ଭୁବନେଶ୍ୱର : ରାଜ୍ୟରେ ଗତବର୍ଷ ଶେଷ ସୁଦ୍ଧା ୨୯୪୫ ମେଗାୱାଟ କ୍ଷମତା ବିଶିଷ୍ଟ ଅକ୍ଷୟଶକ୍ତି ପ୍ରକଳ୍ପ ସ୍ଥାପନ ହୋଇଛି । ଏଥି ମଦ୍ୟରେ ସର୍ବାଧିକ ୨୨୭୦ ମେଗାୱାଟର ଜଳବିଦ୍ୟୁତ୍ ପ୍ରକଳ୍ପ ରହିଥିବା ରାଜ୍ୟସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ନୂତନ ଏବଂ ଅକ୍ଷୟଶକ୍ତି ଏବଂ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟଶୋ ନାଏକ ।
ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସ୍ଥାପନ ହୋଇଥିବା ମୋଟ୍ ଅକ୍ଷୟଶକ୍ତି କ୍ଷମତାମଧ୍ୟରେ ୬୧୫ ମେଗାୱାଟର ସୌରଶକ୍ତି ପ୍ରକଳ୍ପ ଏବଂ ୫୯ ମେଗାୱାଟର ବାୟୋ ପ୍ରକଳ୍ପ ରହିଛି । ତେବେ ପ୍ରମୁଖ ତଥା ବୃହତ୍ ଅକ୍ଷୟଶକ୍ତିପ୍ରକଳ୍ପ ପାଇଁ ୧୩୨.୫ କୋଟି ଟଙ୍କା ମଞ୍ଜୁର ହୋଇଛି । ଏହି ଅର୍ଥ ଗତ ତିନିବର୍ଷ ମଧ୍ୟରେ ବିଭିନ୍ନ ଯୋଜନାରେ ଓଡିଶାକୁ ମିଳିଥିବା କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।
ଏଥି ସହିତ ଅକ୍ଷୟଶକ୍ତିର ବିକାଶ ପାଇଁ କେନ୍ଦ୍ର ସରକାର ପିଏମ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା, ପ୍ରଧାନ ମନ୍ତ୍ରୀ କିଷାନ ଉର୍ଜା ସୁରକ୍ଷା ଏବଂ ଉତଥାନ ମହା ଅଭିଯାନ ବା ପିଏମ୍-କୁସୁମ, ବାୟୋଗ୍ୟାସ ପ୍ରକଳ୍ପ ସହିତ ପିଏମ ଜନମନ ଯୋଜନା ଓ ଧରିତ୍ରୀ ଆଭା ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନା ଅଧିନରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାଇଁ ନୂତନ ସୌର ଶକ୍ତି ଯେଜାନା କାର୍ଯ୍ୟକାରୀ କରୁଛନ୍ତି ।
କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୨୨-୨୩ ବର୍ଷରେ ପିଏମ କୁସୁମ ଯୋଜନାରେ ଓଡିଶା ପାଇଁ ୫୦୦ ମେଗାୱାଟ ମଞ୍ଜୁର ହୋଇଥିଲା । ହେଲେ ପ୍ରକଳ୍ପ ଆଗେଇ ନପାରିବାରୁ ଏଥିରେ ସଂଶୋଧନ ଅଣାଯାଇ ୨୦୨୪-୨୫ ବର୍ଷ ପାଇଁ ତାହାକୁ ୪୦ ମେଗାୱାଟକୁ ହ୍ରାସ କରାଯାଇଛି । ଏହି ଯୋଜନାରେ ୨୦୨୨-୨୩ ବର୍ଷରେ ଓଡିଶା ପାଇଁ ୫୭୪୧ଟି ପମ୍ପସେଟ୍ ମଞ୍ଜୁର ହୋଇଥିବାବେଳେ ୨୦୨୪-୨୫ ବର୍ଷ ପାଇଁ ୧୬,୪୪୧ଟି ମଞ୍ଜୁର ହୋଇଛି ।
ସେହିଭଳି ପିଏମ ସୂର୍ଯ୍ୟଘର ଯୋଜନା ପାଇଁ ଉଦ୍ଦିଷ୍ଟ ପୋର୍ଟାଲରେ ୧୨.୮୦ଲକ୍ଷ ବ୍ୟକ୍ତି ନିଜର ପଞ୍ଜିକରଣ କରିଥିବାବେଳେ ୮୮,୩୮୬ଟି ଦରଖାସ୍ତ ଦାଖଲ ହୋଇଛି ଏବଂ ଚଳିତବର୍ଷ ଫେବୃୟାରୀ ୫ତାରିଖ ସୁଦ୍ଧା ୨୧୪୧ ଜଣଙ୍କ ଘରେ ସୌରଶକ୍ତି ପ୍ରକଳ୍ପ ବସାଯାଇଛି । କୋଣାର୍କ ମନ୍ଦିର ଏବଂ ସହକୁ ଶତ ପ୍ରତିଶତ ସୌରଶକ୍ତି ଯୋଗାଣ ହେଉଛି । ୨୦୨୦-୨୧ ମସିହାରେ ଏଥିପାଇଁ ୧୦ ମେଗାୱାଟର ପ୍ରକଳପ ମଞ୍ଜୁର ହୋଇଥିଲା । ସେହିଭଳି ୨୦୧୮ ମସିହାରେ ଜାତୀୟ ଜଳ ବିଦ୍ୟୁତ୍ ନିଗମ ଓଡିଶା ପାଇଁ ୪୦ ମେଗାୱାଟର ସୌର ପାର୍କ ମଞ୍ଜୁର କରିଥିଲା ।
ଏହାବାଦ୍ ଓଡିଶା ସରକାରଙ୍କ ସୂଚନା ଅନୁଯାୟୀ ସିଙ୍ଗିଲ ୱିଣ୍ଡୋ ଜରିଆରେ ୯୭୮୧.୪୭ କୋଟି ଟଙ୍କାର ୧୪୪୧ ମେଗାୱାଟ କ୍ଷମତା ବିଶିଷ୍ଟ ଅକ୍ଷୟଶକ୍ତି ପ୍ରକଳ୍ପକୁ ମଞ୍ଜୁର କରାଯାଇଛି । ଓଡିଶା ଅକ୍ଷୟ ଶକ୍ତି ନୀତି ୨୦୨୨ ପ୍ରକାଶ ପାଇବା ପରଠାରୁ ଏହିସବୁ ପ୍ରକଳ୍ପଗୁଡିକ ଓଡିଶାକୁ ଆସିଛନ୍ତି । (ତଥ୍ୟ)