Home General ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମଞ୍ଜୁର

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମଞ୍ଜୁର

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନାରେ ଗତବର୍ଷ ଶେଷ ସୁଦ୍ଧା ଓଡିଶା ପାଇଁ ୨ଟି ମେଗା ଫୁଡ୍‍ ପାର୍କ, ୯ଟି କୋଲ୍ଡ ଚେନ୍‍ ପ୍ରକଳ୍ପ, ଗୋଟିଏ କୃଷି-ପ୍ରକ୍ରିୟାକରଣ କ୍ଲଷ୍ଟର ଏବଂ ୯ଟି ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‍ ମଞ୍ଜୁର ହୋଇଛି । ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ରଭନୀତ୍‍ ସିଂହ ।

କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଗତବର୍ଷ ଶେଷ ସୁଦ୍ଧା ଓଡିଶାକୁ ମୋଟ୍‍ ୧୭୮୯ଟି କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମଞ୍ଜୁର ହୋଇଛି । ଏହି ଛୋଟ ଛୋଟ ଶିଳ୍ପଗୁଡିକ ପିଏମ୍‍ଏଫ୍‍ଏମ୍‍ଇ ଯୋଜନାରେ ମଞ୍ଜୁର କରାଯାଇଛି । ଏହାବାଦ୍‍ ପିଏଲ୍‍ଆଇଏସଏଫ୍‍ପିଆଇ ଯୋଜନାରେ ଓଡିଶା ପାଇଁ ୫ଟି ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀକୁ ମଞ୍ଜୁର କରାଯାଇଛି ।

ପ୍ରଧାନମନ୍ତ୍ରୀ କୃଷି ସମ୍ପଦ ଯୋଜନାରେ କୋଲ୍ଡଚେନ୍‍ ପ୍ରତିଷ୍ଠାପାଇଁ ସାଧାରଣ ଅଞ୍ଚଳରେ ପ୍ରକଳ୍ପ ଉପରେ ୩୫% ପ୍ରତିଶତ ଏବଂ ସର୍ବାଧିକ ୧୦ କୋଟି ଟଙ୍କାର ସହାୟତା ଥିବାବେଳେ ଅପହଞ୍ଚ ଅଞ୍ଚଳ, ଏସ୍‍ସି/ଏସ୍‍ଟି, କୃଷକ ସଂଗଠନ ଓ ସ୍ୱୟଂ ସହାୟକ ଗୋଷ୍ଠିପାଇଁ ଏହି ସହାୟତା ୫୦ ପ୍ରତିଶତ ଏବଂ ସର୍ବାଧିକ ୧୦ କୋଟି ଟଙ୍କା ରହିଛି । ସେହିଭଳି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ଏହି ଦୁଇ ଅଞ୍ଚଳ ପାଇଁ ଅନୁଦାନ ପରିମାଣ ଯଥାକ୍ରମେ ୩୫% ଓ ସର୍ବାଧିକ ୫ କୋଟି ଟଙ୍କା ଏବଂ ୫୦% ଏବଂ ସର୍ବାଧିକ ୫କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । କୃଷି ପ୍ରକ୍ରିୟାକରଣ କ୍ଲଷ୍ଟର ପାଇଁ କୋଲ୍ଡ ଚେନ୍‍ ଆଧାରରେ ଅର୍ଥ ସହାୟତା ଯୋଗାଇ ଦିଆଯାଉଛି ।

ଖାଦ୍ୟ ସୁରକ୍ଷା ଏବଂ ଗୁଣମାନ ପରୀକ୍ଷାପାଇଁ ପରୀକ୍ଷାଗାର ସ୍ଥାପନ ନିମନ୍ତେ ସରକାରୀ ସଂସ୍ଥାଗୁଡିକୁ ୧୦୦% ସହାୟତା ଯୋଗାଇ ଦିଆଯାଉଥିବାବେଳେ ବେସରକାରୀ ସଂସ୍ଥା ପାଇଁ ଏହା ୫୦ ପ୍ରତିଶତ ରହିଛି । ତେବେ ଅପହଞ୍ଚ ଇଲାକାରେ ଘରୋଇ ସଂସ୍ଥାମାନେ ଏଭଳି ପରୀକ୍ଷାଗାର ନିର୍ମାଣ କଲେ ସେମାନେ ୭୦ ପ୍ରତିଶତ ପର୍ଯ୍ୟନ୍ତ ସହାୟତା ପାଇପାରିବେ ।

ପିଏମଏଫ୍‍ଏମ୍‍ଇ ଯୋଜନାରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନ କଲେ ବ୍ୟକ୍ତିଗତ କିମ୍ବା ଗୋଷ୍ଟି ଭିତ୍ତିକ ଅଣୁ ଶିଳ୍ପ ପାଇଁ ୩୫% ଏବଂ ସର୍ବାଧିକ ୧୦ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ସ୍ୱୟଂ ସହାୟିକା ଗୋଷ୍ଠିଗୁଡିକ ଏଥିପାଇଁ ଆଗେଇ ଆସିଲେ ସେମାନଙ୍କୁ ମୂଳ ପୁଞ୍ଜି ବାବଦରେ ୪୦,୦୦୦ ଟଙ୍କା ଯୋଗାଇ ଦିଆଯିବା ସହିତ ଯନ୍ତ୍ରପାତି ଆଦି କିଣିବାପାଇଁ ସ୍ୱୟଂ ସହାୟିକା ଗୋଷ୍ଠି ମହାସଂଘକୁ ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଉଛି । ସାଧାରଣ ଭିତ୍ତିଭୂମି ସୃଷ୍ଟି ପାଇଁ ମୂଳ ଜମା ଉପରେ ୩୫% କିମ୍ବା ସର୍ବାଧିକ ୩କୋଟି ଟଙ୍କାର ସହାୟତା କୃଷକ ସଂଗଠନ, ଏସଏଚ୍‍ଜି, ସମାବାୟ ଏବଂ ସରକାରୀ ସଂସ୍ଥାଗୁଡିକ ଯୋଗାଇ ଦିଆଯାଉଛି । ଏହାକୁ ସାଧାରଣ ଲୋକେ ବ୍ୟବହାର କରିପାରିବେ । ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରୁ ଉତ୍ପାଦିତ ସାମଗ୍ରୀର ବ୍ରାଣ୍ଡିଂ ଏବଂ ବଜାର ସହାୟତା ପାଇଁ କୃଷକ ସଂଗଠନ, ଏସଏଚଜି, ସମବାୟ ସଂସ୍ଥା ଆଦିକୁ ୫୦% ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଉଛି । ସେହିଭଳି ଏହି ଶିଳ୍ପରେ କାର୍ଯ୍ୟରତ ଶ୍ରମିକମାନଙ୍କର ଦକ୍ଷତା ବୃଦ୍ଧି ଲାଗି ମଧ୍ୟ ତାଲିମ ପ୍ରଦାନ କରାଯାଉଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି । (ତଥ୍ୟ)