Home General ଏମଜିନରେଗା ମଜୁରୀ ୨୫୪ ଟଙ୍କା

ଏମଜିନରେଗା ମଜୁରୀ ୨୫୪ ଟଙ୍କା

ଭୁବନେଶ୍ୱର : ଦେଶର ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମହତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅଣକୁଶଳୀ ଶ୍ରମିକମାନଙ୍କ ଦୈନିକ ମଜୁରୀ ୩୦୦ କିମ୍ବା ତାହାଠାରୁ ଅଧିକ ଟଙ୍କା ହୋଇଥିବାବେଳେ ଓଡିଶାରେ ଏହା ୨୫୪ ଟଙ୍କା ରହିଛି । ହରିଆନା ଓ ସିକିମ୍‍ରେ ଏହି ଯୋଜନାରେ ଦିନକୁ ସର୍ବାଧିକ ୩୭୪ ଟଙ୍କା କରି ମଜୁରୀ ପ୍ରଦାନ କରାଯାଉଛି ।

ବିଜେଡି ସାଂସଦ ନିରଞ୍ଜନ ବିଶିଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ କମଳେଶ ପାଶୱାନ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗୋଆରେ ଏହି କେନ୍ଦ୍ରୀୟ ଯୋଜନାରେ ଦୈନିକ ମଜୁରୀ ୩୫୬ ଟଙ୍କା ରହିଥିବାବେଳେ କେରଳରେ ୩୪୬, ପଞ୍ଜାବରେ ୩୨୨, ତାମିଲନାଡୁ ଓ ପୁଡୁଚେରୀରେ ୩୧୯ ଓ ଆନ୍ଧ୍ରପ୍ରଦେଶରେ ୩୦୦ ଟଙ୍କା ରହିଛି । ଲକ୍ଷାଦୀପ, ଆଣ୍ଡାମାନ ଭଳି କେନ୍ଦ୍ରଶାସିତ ଅଞ୍ଚଳରେ ଏହା ୩୦୦ ଟଙ୍କା ଉପରେ ରହିଛି ।

ସେହିଭଳି ଓଡିଶା ସଂକ୍ରାନ୍ତରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟରେ ୯କୋଟି ୩୫ଲକ୍ଷ ଶ୍ରମ ଦିବସ ସୃଷ୍ଟି ହୋଇଛି । ଗତବର୍ଷ ଏପ୍ରିଲ ଓ ମଇ ମାସରେ ଶ୍ରମ ଦିବସ ସଂଖ୍ୟା ଏକ କୋଟିରୁ ଅଧିକ ରହିଥିବାବେଳେ ସବୁଠାରୁ କମ୍‍ ଚଳିତବର୍ଷର ଜାନୁୟାରୀ ମାସରେ ରହିଛି ।

ତେବେ ସମଗ୍ର ଦେଶରେ ୨୦୨୪-୨୫ ବର୍ଷରେ ୨୪୦କୋଟିରୁ ଅଧିକ ଶ୍ରମ ଦିବସ ସୃଷ୍ଟି ହୋଇଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ସେହିବର୍ଷ ଏପ୍ରିଲ ଓ ମଇ ମାସରେ ସର୍ବାଧିକ ଶ୍ରମ ଦିବସ ସୃଷ୍ଟି ହେଉଥିବାବେଳେ ଜାନୁଆରୀ ମାସରେ ଏହା ସାଧାରଣତଃ କମ୍‍ ରହୁଛି । ସେହିଭଳି ଅଗଷ୍ଟ ମାସରେ ଜାତୀୟ ସ୍ତରରେ ଶ୍ରମ ଦିବସ ସଂଖ୍ୟା ହ୍ରାସ ପାଉଥିବାବେଳେ ଓଡିଶାରେ କିନ୍ତୁ ଏହା ହାରାହାରି ଭାବେ ଅଧିକ ପରିଲକ୍ଷିତ ହୋଇଛି ।

ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଗ୍ରାମାଞ୍ଚଳର ଗରିବ ଲୋକଙ୍କ ହାତକୁ କାମଧନ୍ଦା ଯୋଗାଇ ଦେବାପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ ହେଉଛି । ଏହି ଯୋଜନାରେ ବର୍ଷକୁ ଅତି କମ୍‍ରେ ଲୋକଙ୍କ ହାତକୁ ୧୦୦ ଦିନର କାମ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଏହା କେବଳ ଲୋକଙ୍କ ଜୀବନଧାରଣ ମାନକୁ ସହଜ କରେ ନାହିଁ, ବରଂ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିଥାଏ ।

ଓଡିଶା ସରକାର ଏନ୍‍ଆରଇଜିଏସ୍‍ ଯୋଜନାରେ ୨୦୨୪-୨୫ ବର୍ଷ ପାଇଁ ଶ୍ରମିକଙ୍କ ଦୈନିକ ମଜୁରୀ ୨୫୪ ଟଙ୍କା ଧାର୍ଯ୍ୟ କରିଥିବାବେଳେ ୯ଟି ଜିଲ୍ଲାର ୩୦ଟି ଦାଦନ ପ୍ରବଣ ବ୍ଲକରେ ଶ୍ରମିକମାନଙ୍କ ପାଇଁ ଦୈନିକ ମଜୁରୀରେ ଅତିରିକ୍ତ ୯୮ ଟଙ୍କା ପ୍ରଦାନ କରାଯାଉଛି । ଏହି ଅର୍ଥ ଓଡିଶା ସରକାର ତାଙ୍କର ନିଜସ୍ୱ ପାଣ୍ଠିରୁ ଯୋଗାଇ ଦେଉଛନ୍ତି ।(ତଥ୍ୟ)