ଭୁବନେଶ୍ୱର: ରାଜ୍ୟର ମନ୍ତ୍ରୀ ଓ ବିଧାୟକମାନଙ୍କ ବେତନ ତଥା ପୂର୍ବତନ ବିଧାୟକମାନଙ୍କ ପେନ୍ସନ ବୃଦ୍ଧି ପାଇଁ ବିଧାନସଭାର ଆଗାମୀ ବଜେଟ୍ ଅଧିବେଶନ ସମୟରେ ବିଧେୟକ ଆସିପାରେ । ବିଧାନସଭାର ଗତ ଅଧିବେଶନ କାଳରେ ଦଳମତ ନିର୍ବିଶେଷରେ ଅନେକ ବିଧାୟକ ସେମାନଙ୍କ ବେତନ ଓ ଭତ୍ତା ସପକ୍ଷରେ ଖୋଲା ମତବ୍ୟକ୍ତ କରିଥିଲେ ।
ଇତି ମଧ୍ୟରେ ଏ ସଂକ୍ରାନ୍ତରେ ଗଠିତ ବିଧାନସଭାର କମିଟି ତାଙ୍କ ସୁପାରିଶ୍ ଦେଇ ସାରିଛନ୍ତି । ତେବେ ବିଭିନ୍ନ କାରଣରୁ ବିଧାନସଭାର ଗତ ଅଧିବେଶନ ଆଗୁଆ ବନ୍ଦହୋଇ ଯିବାରୁ ଏ ପ୍ରସଙ୍ଗରେ ନିଷ୍ପତ୍ତି ନେବାରେ ବିଳମ୍ବ ଘଟିଥିବା କୁହାଯାଉଛି ।
ବିଧାୟକମାନେ ଏବେ ବେତନ ଓ ଭତ୍ତା ଆଦି ମିଶାଇ ମାସକୁ ପ୍ରାୟ ଲକ୍ଷେ ଟଙ୍କା ପାଉଛନ୍ତି । ଏହାର ପରିମାଣ ୩ଲକ୍ଷ ଟଙ୍କାରୁ ଅଧିକ କରିବାପାଇଁ ମତପ୍ରକାଶ ପାଉଥିବାବେଳେ କମିଟିଙ୍କ ସୁପାରିଶ୍ ମୁତାବକ ଏହାକୁ ୨ଲକ୍ଷ ୭୫ହଜାର ଟଙ୍କାକୁ ବୃଦ୍ଧି କରାଯାଇପାରେ । ଏହାଛଡା ବିଧାୟକମାନଙ୍କ ଲାଗି ୧୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ବ୍ୟବସ୍ଥା କରିବା ଏବଂ ପୂର୍ବତନ ବିଧାୟକମାନଙ୍କ ପାଇଁ ଏହି ବୀମା ପରିମାଣ ୧୦ଲକ୍ଷ ଟଙ୍କା କରାଯାଇପାରେ ବୋଲି ଶୁଣିବାକୁ ମିଳୁଛି ।
ବୀମା ବ୍ୟତିତ ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ପାଇଁ ମାସିକ ମେଡିକାଲ ଆଲାଉନ୍ସ, ଯାତାୟତ ଖର୍ଚ୍ଚ, ମୋଟରଗାଡି କିଣିବାପାଇଁ ଅଗ୍ରୀମ, ରାଜ୍ୟ ଭିତରେ ଓ ବାହାରେ ବିଧାୟକମାନେ ଯୋଗ ଦେଉଥିବା ବୈଠକ ବାବଦ ଭତ୍ତା ଆଦିରେ ବି ବୃଦ୍ଧି ଘଟିପାରେ । ବିଧାୟକମାନଙ୍କୁ ମାସିକ ୧୦ହଜାର ଟଙ୍କାର ଟେଲିଫୋନ୍ ଭତ୍ତା, ୧୫ହଜାର ଟଙ୍କାର ବିଦ୍ୟୁତ୍ ଭତ୍ତା, ଖବରକାଗଜ ଆଦି ପାଇଁ ମାସିକ ୫୦୦୦ ଟଙ୍କାର ଭତ୍ତା ଦେବାକୁ ପ୍ରସ୍ତାବ ଥିବା କୁହାଯାଉଛି । ବିଧାୟକଙ୍କ ମୃତ୍ୟୁପରେ ତାଙ୍କ ପରିବାର ଲାଗି ପେନ୍ସନ ପରିମାଣ ୫୦ହଜାର ଟଙ୍କା କରିବା ଓ ବିଧାୟକମାନଙ୍କ ପେନ୍ସନ ବି ମାସିକ ୧,୨୦,୦୦୦ ଟଙ୍କାରୁ ଅଧିକ କରିବାଲାଗି ଅତୀତରେ ପ୍ରସ୍ତାବ ଥିଲା ।
ମୁଖ୍ୟମନ୍ତ୍ରୀଙ୍କ ବେତନ ଓ ଭତ୍ତା ମାସିକ ୯୮ହଜାର ଟଙ୍କାରୁ ୩ଲକ୍ଷ ୨୫ହଜାର ଟଙ୍କାକୁ ବଢାଇବା ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗର ବ୍ୟବସ୍ଥା କରିବାଲାଗି ମଧ୍ୟ ପ୍ରସ୍ତାବ ରହିଛି । ଉପମୁଖ୍ୟମନ୍ତ୍ରୀମାନଙ୍କ ବେତନ ଓ ଭତ୍ତା ଆଦି ୩ଲକ୍ଷ ୨୩ହଜାର ଟଙ୍କାକୁ ବଢାଇବାପାଇଁ ପ୍ରସ୍ତାବ ଥିବାବେଳେ ବିରୋଧିଦଳ ନେତାଙ୍କ ମାସିକ ବେତନ ଓ ଭତ୍ତା ପରିମାଣ ବି ୯୮ହଜାର ଟଙ୍କାରୁ ୩ଲକ୍ଷ ୨୦ହଜାର ଟଙ୍କାକୁ ବୃଦ୍ଧି ପାଇପାରେ । କ୍ୟାବିନେଟ ମନ୍ତ୍ରୀମାନଙ୍କ ମାସିକ ବେତନ ଓ ଭତ୍ତା ୩ଲକ୍ଷ ୨୦ହଜାର ଟଙ୍କା କରିବାପାଇଁ ବି ଚର୍ଚ୍ଚା ଚାଲିଛି ।
ଏମାନଙ୍କ ଛଡା ବିଧାନସଭାର ବାଚସ୍ପତି, ଉପବାଚସ୍ପତି, ରାଷ୍ଟ୍ରମନ୍ତ୍ରୀ, ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ ଆଦିଙ୍କ ମାସିକ ବେତନ ଓ ଭତ୍ତା ବଢାଇବାପାଇଁ ମଧ୍ୟ ପ୍ରସ୍ତାବ ଅଛି । ତେବେ ଏ ସଂକ୍ରାନ୍ତରେ ବିଲ୍ ନିର୍ଦ୍ଦିଷ୍ଟ ଭାବେ କେବେ ଉପସ୍ଥାପନ କରାଯିବ ଏବଂ ତାହା ଉପରେ କେବେ ଆଲୋଚନା କରାଯାଇ ମତଗ୍ରହଣ ହେବ ସେ ସଂକ୍ରାନ୍ତରେ ସ୍ପଷ୍ଟ ସୂଚନା ବିଧାନସଭାର କାର୍ଯ୍ୟ ବିବରଣୀ ପ୍ରକାଶ ପରେ ଜଣାପଡିପାରେ । (ତଥ୍ୟ)