Home Judiciary ଅଦାଲତଙ୍କ ନିର୍ଦ୍ଦେଶ ପାଳନରେ ମନ୍ଥରତା

ଅଦାଲତଙ୍କ ନିର୍ଦ୍ଦେଶ ପାଳନରେ ମନ୍ଥରତା

ଭୁବନେଶ୍ୱର : ଅଦାଲତ ଅବମାନନା ମାମଲାର ଚାପ ହ୍ରାସ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ତଦନୁଯାୟୀ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ସତ୍ତ୍ୱେ ଅଧିକାଂଶ ସ୍ଥଳରେ କ୍ଷେତ୍ର ଦପ୍ତରଗୁଡ଼ିକର ନକାରାତ୍ମକ ମନୋଭାବ ଯୋଗୁ ଏ କ୍ଷେତ୍ରରେ ସ୍ଥିତି ସୁଧୁରି ପାରୁନାହିଁ । ଏବେ ଓଡ଼ିଶାରେ ପ୍ରାୟ ୧୧ ହଜାର ଅଦାଲତ ଅବମାନନା ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିରୁ ଅଧିକାଂଶରେ ସରକାରୀ ଅଫିସରମାନେ ବ୍ୟକ୍ତିଗତ ଭାବେ ଅଦାଲତ ଅବମାନନାକାରୀ ପ୍ରତିପକ୍ଷ ରହିଛନ୍ତି ।

ଆଇନ୍‍ ଅଦାଲତଙ୍କ ନିର୍ଦ୍ଦେଶନାମା ଓ ରାୟର ପ୍ରତିପାଳନ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କରାଯିବା କଥା । ବିଧିବିଶେଷଜ୍ଞମାନେ କହୁଛନ୍ତି ଯେ ଯଦି କୌଣସି ସ୍ଥଳରେ ଆଇନ୍‍ ଅଦାଲତଙ୍କ ନିର୍ଦ୍ଦେଶ ପାଳନ କରିବାରେ ଅସୁବିଧା ଥାଏ ତେବେ ସେ କ୍ଷେତ୍ରରେ କର୍ତ୍ତୃପକ୍ଷ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉଚ୍ଚ ଫୋରମ୍‍ରେ ଅପିଲ କରିପାରିବେ । ନିର୍ଦ୍ଦେଶ ପ୍ରତିପାଳନ ପାଇଁ ଅଧିକ ସମୟ ଆବଶ୍ୟକ ପଡୁଥିଲେ ଯୁକ୍ତିଯୁକ୍ତ କାରଣ ଦର୍ଶାଇ ନିର୍ଦ୍ଧାରିତ ଫୋରମ୍‍ରେ ଆବେଦନ କରିପାରିବେ । କିନ୍ତୁ ସଂଖ୍ୟାଧିକ କ୍ଷେତ୍ରରେ କର୍ତ୍ତୃପକ୍ଷ ଉପର ଫୋରମ୍‍କୁ ଅପିଲରେ ଯାଉନାହାନ୍ତି କିମ୍ବା ଆଇନ୍‍ ଅଦାଲତଙ୍କ ନିର୍ଦ୍ଦେଶନାମାର ପ୍ରତିପାଳନ କରୁନାହାନ୍ତି । ଏଭଳି ସ୍ଥିତିରେ ବାଧ୍ୟ ହୋଇ ଆବେଦନକାରୀମାନେ ସରକାରୀ କର୍ତ୍ତୃପକ୍ଷଙ୍କ ବିରୋଧରେ ବ୍ୟକ୍ତିଗତ ନାମରେ ଅଦାଲତ ଅବମାନନା ମାମଲା ରୁଜୁ କରିବାକୁ ବାଧ୍ୟ ହେଉଛନ୍ତି । କେତେକ କ୍ଷେତ୍ରରେ ହାଇକୋର୍ଟ ଅଧିକ ସମୟ ମଞ୍ଜୁର କରୁଥିଲେ ବି ତାହାର ପ୍ରତିପାଳନ ହେଉନଥିବା ଘେନି ଅଭିଯୋଗମାନ ଆସୁଛି ।

ବର୍ଷବର୍ଷ ଧରି ଏଭଳି ସମସ୍ୟା ଲାଗିରହୁଥିବାରୁ ଅଦାଲତ ଅବମାନନା ମାମଲା ସଂଖ୍ୟା ବଢ଼ିବା ସଂଗେ ସଂଗେ ଅଧିକାରୀମାନଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ପଡୁଛି । ଏଭଳି ସ୍ଥିତିକୁ ଆଖି ଆଗରେ ରଖି କିଛିମାସ ତଳେ ହାଇକୋର୍ଟର ମୁଖ୍ୟ ବିଚାରପତି ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେବା ସହିତ ପ୍ରତି ସପ୍ତାହରେ ବରିଷ୍ଠ ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ରିପୋର୍ଟ କରିବା ଲାଗି ପଠାଇବାକୁ ମଧ୍ୟ କହିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଇବା ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର, ଜିଲ୍ଲାସ୍ତରୀୟ ଓ ଅନ୍ୟ କ୍ଷେତ୍ର କାର୍ଯ୍ୟାଳୟଗୁଡ଼ିକୁ ଜଣାଇ ଦିଆଯାଇଥିଲା । ତଦନୁଯାୟୀ କେତେକ ବିଭାଗରେ ମଧ୍ୟ ନିୟମିତ ବ୍ୟବଧାନରେ ଏ ସଂକ୍ରାନ୍ତରେ ସମୀକ୍ଷା ବୈଠକମାନ କରାଯାଉଥିଲା । କେବଳ ସେତିକି ନୁହେଁ ଅଦାଲତ ଅବମାନନା ମାମଲା ଭଳି ସ୍ପର୍ଶକାତର ମାମଲା ପ୍ରସଂଗରେ ଅଧିକାରୀମାନଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ମଧ୍ୟ ତାଲିମ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷଭୁକ୍ତ ଥିବା ମାମଲାଗୁଡ଼ିକ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ଗୋଟିଏ ନିଯୁକ୍ତି ମାମଲାରେ ଆବେଦନକାରୀଙ୍କୁ ଲକ୍ଷେ ଟଙ୍କାର କ୍ଷତିପୂରଣ ସହ ତାଙ୍କୁ ପିଛିଲା ତାରିଖରୁ ନିଯୁକ୍ତି ଦେବା ସଂଗେ ସଂଗେ ତାଙ୍କ କନିଷ୍ଠମାନେ ଯେଉଁ ହାରରେ ବେତନ ପାଉଛନ୍ତି ସେହି ହାରରେ ତାଙ୍କ ବେତନ ନିର୍ଦ୍ଧାରଣ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ପତ୍ର ଲେଖିଥିଲେ । କିନ୍ତୁ ସାଧାରଣ ପ୍ରଶାସନ ବିଭାଗର ଏହି ଚିଠିକୁ ଅଣଦେଖା କରି ଏବେ ଜିଲ୍ଲା ପ୍ରଶାସନ ରାଜସ୍ୱ ବିଭାଗରୁ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି । ଏଭଳି ସ୍ଥିତିରେ ମୁଖ୍ୟ ଶାସନ ସଚିବ ପକ୍ଷଭୁକ୍ତ ଥିବା ଉକ୍ତ ମାମଲାରେ ଅଦାଲତଙ୍କ ନିର୍ଦ୍ଦେଶ ମୁତାବକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅନୁପାଳନ ରିପୋର୍ଟ ଦାଖଲ କରାଯାଇପାରୁ ନାହିଁ । ଅନ୍ୟଜଣେ ଶାରୀରିକ ଭିନ୍ନକ୍ଷମ ଅବସରପ୍ରାପ୍ତ ମହିଳା କର୍ମଚାରୀଙ୍କ ପେନ୍‍ସନ୍‍ ବ୍ୟାପାରରେ ସ୍ୱାସ୍ଥ୍ୟ ସଚିବଙ୍କୁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ କ୍ଷେତ୍ର ଦପ୍ତରର ନକାରାତ୍ମକ ମନୋଭାବ ଯୋଗୁ ଚାପି ହୋଇ ରହିଥିବା ଅଭିଯୋଗ ହେଉଛି । ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ଯେଉଁ କର୍ମଚାରୀ ଓ ଅଧିକାରୀମାନେ ଏଭଳି କ୍ଷେତ୍ରରେ ବିଳମ୍ବ ଘଟାଉଛନ୍ତି ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି କର୍ତ୍ତୃପକ୍ଷ ଚିନ୍ତା କରୁଛନ୍ତି । (ତଥ୍ୟ)