Home Health ଦୟା ଓ୍ୱେଷ୍ଟ କେନାଲ ମଶାଙ୍କ ଘର

ଦୟା ଓ୍ୱେଷ୍ଟ କେନାଲ ମଶାଙ୍କ ଘର

ଭୁବନେଶ୍ୱର : ଦୟା ଓ୍ୱେଷ୍ଟ କେନାଲ ମଶା ବଂଶ ବୃଦ୍ଧି କରିବାର ପ୍ରମୁଖ ସ୍ଥଳ ଭାବେ ଚିହ୍ନଟ କରାଯାଇଛି । ତେଣୁ ପ୍ରତି ସପ୍ତାହରେ ଦୟା ଓ୍ୱେଷ୍ଟ କେନାଲରେ ମଶା ତୈଳ ସିଚନ କରାଯାଉଛି । ପଳାଶୁଣିଠାରେ ଦୟା ଓ୍ୱେଷ୍ଟ କେନାଲର ୧୦୦ ମିଟର ପରୀକ୍ଷା ମୂଳକ ଭାବେ ସଫା କରିବା ପାଇଁ ବିଏମ୍ ସି ପକ୍ଷରୁ ପଦକ୍ଷେପ ନିଆଯାଉଛି ।  ସରକାର ଯୋଗାଇ ଦେଉଥିବା କେମିକାଲ ସହ ମଶାମାନେ ଅଭ୍ୟସ୍ତ ହୋଇଯାଇଥିବାରୁ, ସେହି କେମିକାଲ ବା ତୈଳ ପରିବର୍ତ୍ତନ କରାଯାଇ ଏବେ କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ ।

ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ମଶା କମାଇବା ସହ ବିଭିନ୍ନ ବିକାଶ ମୂଳକ ସମୀକ୍ଷା ଶ୍ରମତୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପରିମଳ ଓ ଜନସ୍ୱାସ୍ଥ୍ୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ବି ଏମ୍ ସିର ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ସିଟି ଇଂଜିନିୟର ଶ୍ରୀ ବିଳାସ କୁମାର ବେହେରା, ନଗର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦୀପକ କୁମାର ବିଶୋଇ, ଡେପୁଟି କମିଶନର ଶ୍ରୀ ଅଜୟ କୁମାର ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ ।

ମେୟର କହିଛନ୍ତି ଯେ ମଶା ବଂଶ କମାଇବା  ପାଇଁ ସଂପ୍ରତି ବିଏମ୍ ସି ପାଖରେ ୨୦ଟି ଅଟୋ ମାଉଣ୍ଟଟେଡ୍ ଫଗିଙ୍ଗ ମେସିନ, ୩୦ଟି ଛୋଟ ହ୍ୟାଣ୍ଡ ଫଗିଙ୍ଗ ମେସିନ ଏବଂ ୨ଟି ଟ୍ରାକ୍ଟର ମାଉଣ୍ଟଟେଡ୍ ମେସିନ ରହିଛି । ଏହି ମେସିନ ଜରିଆରେ ବିଭିନ୍ନ ଓ୍ୱାର୍ଡରେ ନିୟମିତ ମଶା ତୈଳ ସିଚନ, ମଶା ଧୂଆଁ ଦିଆଯାଉଛି । ମାତ୍ର ଏହା ଯଥେଷ୍ଟ ହୋଇପାରୁ ନାହିଁ । ଖୁବ୍ ଶୀଘ୍ର ଆଉ ୪ଟି ଟ୍ରାକ୍ଟର ମାଉଣ୍ଟେଟେଡ୍ ମେସିନ କିଣିବା ପାଇଁ ପଦକ୍ଷେପ ନିଆଯାଉଛି । ଏହା ବ୍ୟତୀତ ମାସ୍ ଆଣ୍ଟି ଲାର୍ଭା କାର୍ଯ୍ୟକ୍ରମ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଉଛି । ଏଥିପାଇଁ ଆବଶ୍ୟକ ହେଉଥିବା ମାନବ ସମ୍ବଳ ଯୁଦ୍ଧ କାଳୀନ ଭିତ୍ତିରେ ନିୟୋଜିତ କରାଯାଉଛି । କେତେକ ଅଂଚଳରେ ଦିନକୁ ଦୁଇଥର ଫଗିଙ୍ଗ କରିବା ପାଇଁ ମଧ୍ୟ କୁହାଯାଇଛି ।

 ଦଳମତ ନିର୍ବିଶେଷରେ ବିଏମ୍ ସି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ୍ୱ କରିଥାଏ । ବିଗତ ବର୍ଷଗୁଡିକ ଭଳି ଚଳିତ ବର୍ଷ ମଧ୍ୟ ପ୍ରତ୍ୟେକ ଓ୍ୱାର୍ଡରେ କାର୍ଯ୍ୟ କରିବା ପାଇଁ ଯୋଜନା ହେଉଛି । ପ୍ରାଥମିକତା ଏବଂ ଅତ୍ୟାବଶକୀୟତାକୁ ଗୁରୁତ୍ୱ ଦିଆଯାଉଛି । ନାଗରିକଙ୍କ ଅବଶ୍ୟକତା ବିଏମ୍ ସିର ଆବଶ୍ୟକତା । ଏଥିରେ କୌଣସି ରାଜନୈତିକ ଉଦ୍ୟେଶ୍ୟ ନଥାଏ ବୋଲି ଓ୍ୱାର୍ଡଗୁଡିକର ବିକାଶ କାର୍ଯ୍ୟ ସମୀକ୍ଷା ଅବସରରେ କହିଛନ୍ତି ମେୟର । ଏହାକୁ ନେଇ କୌଣସି ରାଜନୀତି କରିବା ଉଚିତ୍ ନୁହେଁ । ବିଏମ୍ ସି ଅଂଚଳର ବିକାଶ ପାଇଁ ମେୟର, କମିଶନର,କର୍ପୋରେଟରଙ୍କଠାରୁ ସମସ୍ତ ଅଧିକାରୀ ଓ କର୍ମଚାରୀ ଅହରହ ଲାଗିପଡିଛନ୍ତି ବୋଲି ସେ କହିଛନ୍ତି । ପୂର୍ବରୁ ଚାଲୁ ରହିଥିବା ବିକାଶ ମୂଳକ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ଏବଂ ମୁକ୍ତା କାର୍ଯ୍ୟକ୍ରମକୁ ଚାଲୁ ରଖିବା ପାଇଁ ସେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ମଶା କମାଇବା ପାଇଁ ବିଏମ୍ ସି ପକ୍ଷରୁ ସଂପ୍ରତ୍ତି ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ମାନନୀୟା ମେୟର ନଗର ସ୍ୱାସ୍ଥ୍ୟ ଅଧିକାରୀଙ୍କଠାରୁ ପଚାରି ବୁଝିଥିଲେ । ତେବେ ବିଏମ୍ ସିର ସମୟୋଚିତ ପଦକ୍ଷେପ ଯୋଗୁଁ, ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଡେଙ୍ଗୁ ରୋଗୀ ସଂଖ୍ୟା ହ୍ରାସ ପାଇଛି । ଏବେ ମଶା ଦମନ ଅଭିଯାନକୁ ଜୋରଦାର କରାଯାଇଛି । ବିଭିନ୍ନ ହଟ୍ ସ୍ପଷ୍ଟଗୁଡିକୁ ଟିହ୍ନଟ କରିବା ସହ ସେଠାରେ ବୁଶ୍ କଟିଂ, ଡ୍ରେନ ସଫା, ମଶା ତେଲ ସିଚନ, ମଶା ଧୁଆଁ ଦେବା ଆଦି କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଛି । ସେଥିପାଇଁ ଚଳିତ ବର୍ଷ ଡେଙ୍ଗୁରୋଗୀ ସଂଖ୍ୟା ବହୁ ଗୁଣରେ ହ୍ରାସ ପାଇଛି । ଗତ ବର୍ଷ ୪ ହଜାର ୫ ଶହ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ମାତ୍ର ୧୨ ଶହ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ନଗର ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।