ଭୁବନେଶ୍ୱର : ରାଜ୍ୟର ନୂଆ ସରକାର ଶୀତଳଭଣ୍ଡାର ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଉଥିବାବେଳେ ପ୍ରସ୍ତାବିତ ସୌରଚାଳିତ କ୍ଷୁଦ୍ର ଶୀତଳଭଣ୍ଡାର ଯୋଜନା ଆଗକୁ ବଢିପାରୁ ନାହିଁ । ବିଭିନ୍ନ ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ୬୬ଟି ନୂତନ ସୌରଚାଳିତ ଶୀତଳଭଣ୍ଡାର ପ୍ରତିଷ୍ଠାର ପ୍ରସ୍ତାବ ରହିଛି ।
ସମସ୍ତ ପ୍ରକାର ପ୍ରୋତ୍ସାହନ ସତ୍ୱେ ରାଜ୍ୟରେ ବିଦ୍ୟୁତ୍ ଚାଳିତ ବଡ ବଡ ଶୀତଳଭଣ୍ଡାର ପ୍ରତିଷ୍ଠା ହୋଇପାରୁ ନାହିଁ । ବିଦ୍ୟୁତ୍ ବୋଝ ଯୋଗୁଁ ଉଦ୍ୟୋଗୀମାନେ ଏଥିପାଇଁ ପଛଘୁଞ୍ଚା ଦେଉଛନ୍ତି । ଯେଉଁଥିପାଇଁ ରାଜ୍ୟରୁ ଉତ୍ପାଦିତ ଆଳୁ ଓ ପନିପରିବା ରଖିବାପାଇଁ ଚାଷୀମାନେ ସ୍ଥାନଟିକେ ପାଇପାରୁ ନାହାନ୍ତି ।
ତେବେ ବୃହତ୍ ଶୀତଳଭଣ୍ଡାର ବଦଳରେ କ୍ଷୁଦ୍ର ସୌରଚାଳିତ ଶୀତଳଭଣ୍ଡାର ପ୍ରତିଷ୍ଠା ଉପରେ ସରକାର ଜୋର ଦେଉଛନ୍ତି । ବର୍ତ୍ତମାନ ସୁଦ୍ଧା ୪୩୭ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ୩୫ଟି ସୌରଚାଳିତ କ୍ଷୁଦ୍ର ଶୀତଳଭଣ୍ଡାର ସ୍ଥାପନ ହୋଇଛି । ୨୧୫୦ ଟନ୍ କ୍ଷମତା ବିଶିଷ୍ଟ ଆଉ ୬୬ଟି ଶୀତଳଭଣ୍ଡାର ପ୍ରତିଷ୍ଠାପାଇଁ ପ୍ରସ୍ତାବ ରହିଥିବାବେଳେ ତାହା ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି ।
ତେବେ କେତେକ ବେସରକାରୀ ସଂସ୍ଥା ପନିପରିବା ଚାଷ ହେଉଥିବା ଅଞ୍ଚଳରେ ସୌରଚାଳିତ କ୍ଷୁଦ୍ର ଶୀତଳଭଣ୍ଡାର ପ୍ରତିଷ୍ଠା କରିଥିବାବେଳେ ଏଥିପ୍ରତି ଲୋକଙ୍କର ଆଗ୍ରହ ପରିଲକ୍ଷିତ ହେଉଛି । ବିଶେଷକରି ପନି ପରିବା ଚାଷ କରୁଥିବା ମହିଳା ସ୍ୱେଚ୍ଛାସେବୀ ସଂଗଠନଗୁଡିକ ଏହାଦ୍ୱାରା ବେଶ୍ ଉପକୃତ ହେଉଛନ୍ତି । ତେବେ ଏହି ଶୀତଳଭଣ୍ଡାର ପ୍ରତିଷ୍ଠାରେ ଏକକାଳୀନ ଖର୍ଚ୍ଚ ସହିତ ଏହାର ରକ୍ଷଣାବେକ୍ଷଣ ଆବଶ୍ୟକ ଥିବାରୁ ଉଦ୍ୟୋଗୀମାନେ ଏଥିପ୍ରତି ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି ।
ଇତି ମଧ୍ୟରେ ଓଡିଶା ରାଜ୍ୟ କୃଷି ବିପ୍ପଣନ ପରିଷଦ ଆର୍ନ୍ତଜାତୀୟ ସ୍ତରର ସଂସ୍ଥାକୁ ଏଭଳି ଶୀତଳଭଣ୍ଡାର ନିର୍ମାଣ ପାଇଁ ନିୟୋଜିତ କରିଥିବାବେଳେ ଉକ୍ତ ସଂସ୍ଥା ବିଭିନ୍ନ ସ୍ଥାନରେ ସ୍ଥିତି ଅନୁଧ୍ୟାନ କରୁଛି । ବିଶେଷକରି ଏଭଳି ଶୀତଳଭଣ୍ଡାର ନିର୍ମାଣ କରାଗଲେ ସେଥିରୁ କେତେ ସୁଫଳ ମିଳିବ ସେ ନେଇ ଏହି ସଂସ୍ଥା ସର୍ଭେ ଚଳାଇଥିବା ସୂଚନା ମିଳିଛି ।
ତେବେ ରାଜ୍ୟର ନୂଆ ସରକାର ଇତି ମଧ୍ୟରେ ପ୍ରତି ବ୍ଲକରେ ନୂତନ ଶିତଳଭଣ୍ଡାର ପ୍ରତିଷ୍ଠା ଘୋଷଣା କରିଥିବାବେଳେ ଆଗେଇ ଆସିବାକୁ ଥିବା ଉଦ୍ୟୋଗୀମାନଙ୍କ ଲାଗି ପ୍ରୋତ୍ସାହନ ଘୋଷଣା କରିଛନ୍ତି । ନୂତନ ଶୀତଳଭଣ୍ଡାର ପ୍ରତିଷ୍ଠା ଲାଗି ବିପୁଳ ପରିମାଣର ସବସିଡ୍ ଘୋଷଣା ହୋଇଥିବାବେଳେ କେତେ ସଂଖ୍ୟକ ଉଦ୍ୟୋଗୀ ଏଥିପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ଓ ଶୀତଳଭଣ୍ଡାର ବାସ୍ତବ ରୂପ ନେଉଛି ତାହା ଉପରେ ଏବେ ଚାଷୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କର ନଜର ରହିଛି । (ତଥ୍ୟ)