ଭୁବନେଶ୍ୱର : ଓଡିଶାର ବିଭିନ୍ନ ଅଞ୍ଚଳରେ ପାଖାପାଖି ୨୦ ପ୍ରକାରର ଖଣିଜ ପଦାର୍ଥ ମହଜୁଦ ରହିଛି । ଏଥିରୁ ଅନେକ ଖଣିଜ ସମ୍ପଦ ଉତ୍ତୋଳନ ଚାଲିଛି । ତେବେ ଖଣିଜ ସମ୍ପଦରେ ଭରପୂର ଜିଲ୍ଲାଗୁଡିକର ସାମାଜିକ, ଆର୍ଥିକ ଓ ମାନବସମ୍ବଳର ବିକାଶ ଯେପରି ହେବାକଥା ତାହା ହୋଇପାରୁନାହିଁ ।
ସରକାରୀ ତଥ୍ୟ ମୁତାବକ କେନ୍ଦୁଝର, ସୁନ୍ଦରଗଡ, ମୟୁରଭଞ୍ଜ, ଯାଜପୁର ଓ ନବରଙ୍ଗପୁର ଜିଲ୍ଲାରେ ବିପୁଳ ପରିମାଣର ଲୁହାପଥର ମହଜୁଦ ରହିଛି । ଏହିସବୁ ଜିଲ୍ଲାରେ ଦୀର୍ଘବର୍ଷ ଧରି ଖଣିଜ ଉତ୍ତୋଳନ ବି ଚାଲିଛି । ସେହିଭଳି ଢେଙ୍କାନାଳ, ବଲାଙ୍ଗିର, ରାୟଗଡା, କଳାହାଣ୍ଡି, ବୌଦ, କନ୍ଧମାଳ, ବରଗଡ ଓ ଦେବଗଡ ଜିଲ୍ଲାରେ ଗ୍ରାଫାଇଟ୍ ମହଜୁଦ ରହିଛି । କେନ୍ଦୁଝର, ଯାଜପୁର, ଢେଙ୍କାନାଳ ଓ ବାଲେଶ୍ୱର ଜିଲ୍ଲାରେ ମଧ୍ୟ ପ୍ରଚୁର ପରିମାଣର କ୍ରୋମାଇଟ୍ ରହିଛି ।
ସରକାରୀ ତଥ୍ୟ ମୁତାବକ ସୁନ୍ଦରଗଡ, କେନ୍ଦୁଝର, ବଲାଙ୍ଗିର, ବରଗଡ, କୋରାପୁଟ, ରାୟଗଡା, କଳାହାଣ୍ଡି ଓ ମାଲକାନଗିରି ଜିଲ୍ଲାରେ ଅମାପ ବକ୍ସାଇଟ୍ ମହଜୁଦ ଥିବାବେଳେ ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ ଜିଲ୍ଲାରେ ଧରିତ୍ରୀ ମାତାର କୋଳରେ ପ୍ରଚୁର କୃଷ୍ଣ ହୀରକ ବୋଲି କୁହାଯାଉଥିବା କୋଇଲା ମହଜୁଦ ଅଛି ।
ସମ୍ବଲପୁର, ରାୟଗଡା, କୋରାପୁଟ, ବଲାଙ୍ଗିର, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ଉନ୍ନତମାନର ମାଙ୍ଗାନିଜ ମହଜୁଦ ଥିବାବେଳେ କେନ୍ଦୁଝର ଜିଲ୍ଲାରେ ଟ୍ରଫିଲାଇଟ୍ ଓ ସୁନା ଥିବା ମଧ୍ୟ ଜଣାପଡିଛି । ଏହାଛଡା ଢେଙ୍କାନାଳ, ଯାଜପୁର, ନବରଙ୍ଗପୁର, ଝାରସୁଗୁଡା, କଳାହାଣ୍ଡି, କେନ୍ଦୁଝର, ସୁନ୍ଦରଗଡ, ମୟୁରଭଞ୍ଜ, ସମ୍ବଲପୁର, କୋରାପୁଟ, ନବରଙ୍ଗପୁର, ବଲାଙ୍ଗିର, ବୌଦ, ଅନୁଗୁଳ, ରାୟଗଡା ଆଦି ଜିଲ୍ଲାରେ ମୂଲ୍ୟବାନ ରତ୍ନପଥରର ବିପୁଳ ସମ୍ଭାର ରହିଛି ।
ଓଡିଶାର ସୁନ୍ଦରଗଡ, ବଲାଙ୍ଗିର, କୋରାପୁଟ, ମାଲକାନଗିରି, ନୂଆପଡା, ସମ୍ବଲପୁର ଓ ବରଗଡ ଜିଲ୍ଲାରେ ବିପୁଳ ପରିମାଣର ଚୂନପଥର ଖଣି ମଧ୍ୟ ଅଛି । ସରକାରୀ ତଥ୍ୟ ମୁତାବକ ବାଲେଶ୍ୱର, ଗଞ୍ଜାମ, ପୁରୀ, ଜଗତ୍ସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ବିରଳ ମୃତ୍ତିକା ମଧ୍ୟ ଭରିହୋଇ ରହିଛି । ଏହାଛଡା ଅଧିକାଂଶ ଜିଲ୍ଲାରେ ପଥର କାରିଗରି ଶିଳ୍ପପାଇଁ ବି ଉନ୍ନତମାନର ପଥର ଖଣିମାନ ଅଛି । ସୁନ୍ଦରଗଡ, ମୟୁରଭଞ୍ଜ ଓ ଦେବଗଡ ଜିଲ୍ଲାରେ ବେସ୍ମେଟାଲ ଭରିହୋଇ ରହିଛି ।
ଏବେକାର ତଥ୍ୟ ମୁତାବକ ନୟାଗଡ ଜିଲ୍ଲାରେ ଲିଥିୟମ ଥିବାର ଖବର ମିଳିଛି । ଏହାଛଡା ଓଡିଶାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ପ୍ରାକୃତି ଗ୍ୟାସ ଓ ଖଣିଜ ତୈଳ ମିଳିବାର ସମ୍ଭବନା ଥିବାରୁ ଦଶନ୍ଧି ଦଶନ୍ଧି ଧରି ଏହାର ଅନୁଧ୍ୟାନ ମଧ୍ୟ ଚାଲିଛି । ରାଜ୍ୟରେ ବିପୁଳ ପରିମାଣର ଖଣିଜ ସମ୍ପଦ ରହିଥିବାରୁ ଏଠାରେ ଖଣିଜ ବ୍ୟବସାୟ ଓ ଖଣିଜ ଶିଳ୍ପପାଇଁ ଉଦ୍ୟୋଗୀମାନେ ଆଗ୍ରହ ପ୍ରକାଶ କରିଆସୁଛନ୍ତି । ତେବେ ଯେଉଁସବୁ ଜିଲ୍ଲାରେ ବିପୁଳ ଖଣିଜ ସମ୍ପଦ ସହ ଶିଳ୍ପାନୁଷ୍ଠାନମାନ ଗଢି ଉଠିଛି ସେଠାକାର ମୂଳ ଅଧିବାସୀମାନଙ୍କ ଜୀବନ ଜୀବିକା କ୍ଷେତ୍ରରେ ବିଶେଷ ଉନ୍ନତି ପରିଲକ୍ଷିତ ହେଉନାହିଁ ।
ଅନ୍ୟ ପକ୍ଷରେ ଖଣିଜ ସମ୍ପଦର ଚୋରା ଚାଲାଣ କରି ବହୁ ମାଫିଆ ଗୋଷ୍ଠି ବିପୁଳ ସମ୍ପତ୍ତି ଠୁଳ କରିବାରେ ଲାଗିଛନ୍ତି । ଓଡିଶା ବାହାରର ବହୁ ବ୍ୟକ୍ତିବିଶେଷ ଓ ସଂସ୍ଥା ଏହି ଖଣିଜ ସମ୍ପଦରୁ ମୁନାଫା ଉଠାଉଥିବାବେଳେ ବାୟୁ, ଜଳ ଓ ମୃତ୍ତିକା ପ୍ରଦୂଷଣର କଷ୍ଟ ଏବଂ ତଦ୍ଜନିତ ରୋଗବ୍ୟାଧି ଲୋକେ ଭୋଗୁଛନ୍ତି । ଶାହା କମିଶନଙ୍କ ତଦନ୍ତ ମୁତାବକ ବର୍ଷ ବର୍ଷ ଧରି ଓଡିଶାରେ ଖଣି ଲୁଟ୍ ଚାଲିଛି ଏବଂ ଏ ବାବଦରେ ୬୯ହଜାର କୋଟି ଟଙ୍କା ଆଦାୟ କରିବାପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ତାହା ବିଶେଷ ସଫଳ ହୋଇନାହିଁ । (ତଥ୍ୟ)