Home News in Odia ଫେବୃଆରୀରେ ତିନି ଦଳର ନୂଆ ସଭାପତି

ଫେବୃଆରୀରେ ତିନି ଦଳର ନୂଆ ସଭାପତି

ଭୁବନେଶ୍ୱର : ବିଜୁ ଜନତା ଦଳର ପରବର୍ତ୍ତୀ ରାଜ୍ୟ ସଭାପତି ପୁଣିଥରେ ନବୀନ ପଟ୍ଟନାୟକ ହେବା ଏକପ୍ରକାର ନିଶ୍ଚିତ ଥିବାବେଳେ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟିର ରାଜ୍ୟ ଶାଖା ସଭାପତି କିଏ ହେବେ ସେଥିଘେନି ଏ ପର୍ଯ୍ୟନ୍ତ ସ୍ପଷ୍ଟ ଚିତ୍ର ମିଳୁନାହିଁ ।

୧୯୯୭ ମସିହାରେ ବିଜୁ ଜନତା ଦଳ ସୃଷ୍ଟି ହେବା ପରଠାରୁ ଏଯାବତ୍‍ ନବୀନ ଏହାର ପ୍ରତିଷ୍ଠାତା ସଭାପତି ରହିଆସିଛନ୍ତି । ବିଜେଡିରେ ଦ୍ୱିତୀୟ ଧାଡ଼ିର ନେତୃତ୍ୱ ସୃଷ୍ଟି କରାଯାଇନଥିବାରୁ ନବୀନଙ୍କ ଉତ୍ତରାଧିକାରୀ କିଏ ହେବେ ସେଥିଘେନି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲେ ମଧ୍ୟ ନବୀନଙ୍କୁ ପୁଣି ସଭାପତି କରି ଦଳ ତାହାର ସାଂଗଠନିକ ଶକ୍ତି ବଢ଼ାଇବ ବୋଲି ବରିଷ୍ଠ ନେତାମାନେ ସ୍ୱୀକାର କରୁଛନ୍ତି । ଇତିମଧ୍ୟରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ପୂରା ଦମ୍‍ରେ ଚାଲିବା ସହିତ ନିର୍ବାଚନ ପରିଚାଳନା ପାଇଁ ରିଟର୍ଣ୍ଣିଂ ଅଫିସର ମଧ୍ୟ ନିଯୁକ୍ତି ପାଇସାରିଛନ୍ତି । ମାସେ ଦୁଇମାସ ଭିତରେ ବିଜେଡିର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇ ପୁଣି ଦଳର ଛାମୁଆ ସଂଗଠନଗୁଡ଼ିକର ମଙ୍ଗୁଆଳଙ୍କ ସମେତ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ କର୍ମକର୍ତ୍ତାଙ୍କ ନାମ ଘୋଷଣା ହୋଇପାରେ ।

ବିଜେପିର କେନ୍ଦ୍ରୀୟ ସଭାପତି ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ୨୦୨୪ର ନିର୍ବାଚନ ଦୃଷ୍ଟିରୁ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା । ଇତିମଧ୍ୟରେ ଶ୍ରୀ ନଡ୍ଡା କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପୁଣିଥରେ ସାମିଲ ହୋଇଛନ୍ତି । ସାରା ଦେଶରେ ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନ ସହିତ ବୁଥ୍‍ ସ୍ତରରୁ କେନ୍ଦ୍ର ସ୍ତର ପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ଇତିମଧ୍ୟରେ ଓଡ଼ିଶାର ପ୍ରୟ ୨୩ଟି ଜିଲ୍ଲାର ସଭାପତିଙ୍କ ନାମ ବିଜେପି ଘୋଷଣା କରିସାରିଛି । ଗତ ନିର୍ବାଚନ ପୂର୍ବରୁ ମନମୋହନ ସାମଲଙ୍କୁ ପୁଣିଥରେ ଦଳର ରାଜ୍ୟ ସଭାପତି କରାଯାଇଥିଲା । ଏଥର ସାଂଗଠନିକ ନିର୍ବାଚନରେ ଶ୍ରୀ ସାମଲ ତାଙ୍କ ପଦବୀ ବଜାୟ ରଖିବେ କି ତାଙ୍କୁ ଅନ୍ୟ କୌଣସି ଦାୟିତ୍ୱ ଦିଆଯାଇ ତାଙ୍କ ସ୍ତାନରେ ନୂଆ ରାଜ୍ୟ ସଭାପତି ବଛା ହେବେ ସେଥିଘେନି ଚର୍ଚ୍ଚା ଜୋର ଧରିଛି । ତେବେ ଫେବୃଆରୀ ମାସ ଭିତରେ ବିଜେପିର ଉଭୟ ରାଜ୍ୟ ଓ କେନ୍ଦ୍ର ସଭାପତିଙ୍କ ନାମ ଘୋଷିତ ହେବା ସମ୍ଭାବନା ଅଧିକ ।

ଦେଶର ସର୍ବ ପୂରାତନ ରଜାନୈତିକ ଦଳ କଂଗ୍ରେସ ଓଡ଼ିଶାରେ ଅତି ଦୟନୀୟ ସ୍ଥିତିରେ ରହିଛି । ଗତ ନିର୍ବାଚନ ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିକୁ କେନ୍ଦ୍ର ନେତ୍ୱତ୍ୱ ଭାଙ୍ଗି ଦେଇଛନ୍ତି । ପ୍ରାୟ ୭ମାସ ଧରି ଓଡ଼ିଶାର କଂଗ୍ରେସ ସଂଗଠନ ବିନାମଙ୍ଗୁଆଳରେ ଚାଲିଛି । ଓଡ଼ିଶା ପାଇଁ ଥିବା କେନ୍ଦ୍ର ପ୍ରଭାରୀଙ୍କ ଦର୍ଶନ ଏଠି ମିଳୁନାହିଁ । ୬ମାସ ଧରି ଦଳର ନେତାମାନେ ଖୁବ୍‍ଶୀଘ୍ର ରାଜ୍ୟ ସଭାପତିଙ୍କ ସମେତ ପିସିସି ପୁନର୍ଗଠନ ହେବ ବୋଲି ବାରମ୍ବାର ତାରିଖ ଦେଇ ଫତୁଆ ହେଉଛନ୍ତି ।

ଏବେ କୁହାଯାଉଛି ଯେ ଦିଲ୍ଲୀ ନିର୍ବାଚନ ପରେ ଫେବୃଆରୀ ମାସରେ ନୂଆ ପିସିସି ସଭାପତିଙ୍କ ନାମ ଘୋଷଣା କରାଯାଇପାରେ । ଅନ୍ୟପକ୍ଷରେ ମଙ୍ଗୁଆଳ ନଥାଇ ବି ରାଜ୍ୟରେ ଦଳର ଉପସ୍ଥତି ଜାହିର କରିବା ପାଇଁ ମଝିରେ ମଝିରେ ଅବଶ୍ୟ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ କିଛିକିଛି କାର୍ଯ୍ୟକ୍ରମ ହେଉଛି । ବିଜେପି ଓ ବିଜେଡି ସେମାନଙ୍କ ସଂଗଠନ ବଢ଼ାଇବା ପାଇଁ ଉଦ୍ୟମ ଚଳାଇଥିବା ବେଳେ କଂଗ୍ରେସ ସଂଗଠନ କିନ୍ତୁ ଛିଡ଼ିଛିଡ଼ି ଚାଲିଛି । ଏଥିଯୋଗୁ କର୍ମୀ ମହଲରେ ନୈରାଶ୍ୟଭାବ ବୃଦ୍ଧି ପାଉଥିବାବେଳେ ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନ କଂଗ୍ରେସ ପାଇଁ ପ୍ରମୁଖ ଆହ୍ୱାନ ହୋଇପାରେ ବୋଲି ଦଳୀୟ ନେତାମାନେ ଆଶଙ୍କାବ୍ୟକ୍ତ କରୁଥିଲେ ମଧ୍ୟ ହାଇକମାଣ୍ଡଙ୍କ ଆଗରେ କେହି ପାଟି ଖୋଲିପାରୁ ନାହାନ୍ତି । ମୋଟାମୋଟି ଭାବେ କେବଳ କଂଗ୍ରେସ କାହିଁକି, ରାଜ୍ୟ ବିଜେପି ଓ ବିଜେଡିର ନିର୍ବାଚନ ପ୍ରକ୍ରିୟା ଫେବୃଆରୀ ମାସରେ ଶେଷ ହେବା ଏକ ପ୍ରକାର ନିଶ୍ଚିତ । (ତଥ୍ୟ)