ଭୁବନେଶ୍ୱର : ମୋଟର ଯାନ ଫିଟନେସ ପରୀକ୍ଷାକୁ ସ୍ୱଚ୍ଛ ଏବଂ ପାରଦର୍ଶୀ କରିବାକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ରାଜ୍ୟରେ ପଞ୍ଜୀକୃତ ହୋଇଛି ପ୍ରଥମ ସ୍ୱୟଂକ୍ରିୟ ଯାନ ପରୀକ୍ଷଣ ବ୍ୟବସ୍ଥା ବା ଏଟିଏସ । କଟକ ଆରଟିଓ ଅଧୀନରେ ଏହାର ସ୍ଥାପନା ହୋଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ବୈଷୟିକ ଜ୍ଞାନକୌଶଳ ଜରିଆରେ ସ୍ୱୟଂକ୍ରିୟ ପଦ୍ଧତିରେ ଏହା ଗାଡ଼ିର ଫିଟନେସ ପରୀକ୍ଷା କରିବ । ଆଜି ଉକ୍ତ ଏଟିଏସର ସଂପୂର୍ଣ୍ଣ କାର୍ଯ୍ୟକାରିତାର ଅନୁଧ୍ୟାନ କରିଛନ୍ତି ପରିବହନ ଆୟୁକ୍ତ ଅମିତାଭ ଠାକୁର । ଏହା ସଡ଼କ ସୁରକ୍ଷା କ୍ଷେତ୍ରରେ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।
କେନ୍ଦ୍ରୀୟ ମୋଟର ଯାନ ନିୟମ ଅନୁଯାୟୀ ଗାଡ଼ିର ଫିଟନେସ ପରୀକ୍ଷା ପାଇଁ ଏଟିଏସ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଖୁବଶୀଘ୍ର ରାଜ୍ୟରେ ଆହୁରି ୨୧ଟି ଆରଟିଓ ବୌଦ୍ଧ, ଝାରସୁଗୁଡ଼ା, ବରଗଡ଼, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ନୟାଗଡ଼, ନବରଙ୍ଗପୁର, ଗଞ୍ଜାମ, ସମ୍ବଲପୁର, ବାଲେଶ୍ୱର, କୋରାପୁଟ, ନୂଆପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, ରାଉରକେଲା, କେନ୍ଦୁଝର, ଅନୁଗୁଳ ଓ ଭୁବନେଶ୍ୱର ଆରଟିଓ-୨ ସମେତ କଟକରେ ଆଉ ଏକ କେନ୍ଦ୍ର ସ୍ଥାପନା ପାଇଁ ଲକ୍ଷ୍ୟ ରହିଛି ।
ସଡ଼କ ସୁରକ୍ଷା କ୍ଷେତ୍ରରେ ଯାନର ସ୍ଥିତି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ରାସ୍ତାରେ ଗାଡ଼ି ଚାଲିବା ପାଇଁ ଗାଡ଼ିର ସ୍ଥିତି କିଭଳି ଥିବା ଦରକାର ସେଥିପାଇଁ ମୋଟର ଯାନ ନିୟମାବଳୀ ରହିଛି। ତେବେ ପୂର୍ବରୁ ଫିଟନେସ ସାର୍ଟିଫିକେଟ ତଥା ଗାଡ଼ିର ପଞ୍ଜୀକରଣ ନବୀକରଣ ନିମନ୍ତେ ଗାଡ଼ିର ଯାଞ୍ଚ ଅବସ୍ଥାପତି ଅଧିକାରୀଙ୍କ ଦ୍ୱାରା ହେଉଥିଲା । କେନ୍ଦ୍ର ସରକାର କେନ୍ଦ୍ରୀୟ ମୋଟର ଯାନ ଆଇନରେ ଏହି ପଦ୍ଧତିରେ ସଂଶୋଧନ କରି ଏଟିଏସ ମାଧ୍ୟମରେ ଯାଞ୍ଚ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଛନ୍ତି ।
କେନ୍ଦ୍ରୀୟ ମୋଟର ଯାନ ଆଇନର ଏହି ସଂଶୋଧନକୁ ଲାଗୁ କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଫଳରେ ରାସ୍ତାକୁ ଯିବା ପାଇଁ ଯୋଗ୍ୟ ନ ଥିବା ଗାଡ଼ି ଗୁଡ଼ିକ ସ୍ୱୟଂକ୍ରିୟ ପଦ୍ଧତିରେ ବାଦ୍ ପଡ଼ିବେ। ଯାହା ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ ସହାୟକ ହେବ ବୋଲି ସରକାର ଆଶା ରଖିଛନ୍ତି ।
କଟକ ଆରଟିଓଙ୍କ ଉଦ୍ଦେଶ୍ୟରେ ପଞ୍ଜୀକରଣ ସାର୍ଟିଫିକେଟ ପ୍ରଦାନ କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ପରିବହନ ଆୟୁକ୍ତ ଅମିତାଭ ଠାକୁର, ଅତିରିକ୍ତ ପରିବହନ ଆୟୁକ୍ତ ଦୀପ୍ତିରଂଜନ ପାତ୍ର, ଲାଲମୋହନ ସେଠୀ, ଯୁଗ୍ମ ପରିବହନ ଆୟୁକ୍ତ ସମରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।