ଭୁବନେଶ୍ୱର : ରାଜଧାନୀରେ ନିଶା ବ୍ୟବସାୟୀଙ୍କୁ ସାବାଡ ପାଇଁ ପୁଲିସ୍ କମିଶନର ଅଭିଯାନ ଆରମ୍ଭ କରିଥିବାବେଳେ ପୂର୍ବତନ ପୁଲିସ୍ କମିଶନର ମଦ ଦୋକାନୀଙ୍କ ପାଇଁ ଜାରି କରିଥିବା ନିୟମାବଳୀକୁ କଡାକଡି ପାଳନ ପାଇଁ ଦାବି ହେଉଛି । ଏହାଦ୍ୱାରା କେବଳ ନିଶାଡିଙ୍କୁ ନିୟନ୍ତ୍ରଣ କରାଯିବା ସହଜ ହେବନାହିଁ ରାଜଧାନୀରେ ଅପରାଧକୁ ମଧ୍ୟ ହ୍ରାସ କରାଯାଇ ପାରିବ ।
ରାଜଧାନୀରେ ନିଶାଡିଙ୍କ ଉତ୍ପାତ ବଢିବାପରେ ପୁଲିସ୍ କମିଶନଙ୍କ ଏବେ ସେମାନଙ୍କ ସାବାଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଫଳରେ ସହରର ବିଭିନ୍ନ ସ୍ଥାନରେ ଗଞ୍ଜେଇ, ଗଞ୍ଜେଇ ସିଗାରେଟ, ଅଫିମ, ଭାଙ୍ଗ ସମେତ ବ୍ରାଉନସୁଗାର ଆଦି କାରବାର ଚଳାଇଥିବା ନିଶା ମାଫିଅମାନେ କିଛିଦିନ ପାଇଁ ଅଣ୍ଡରଗ୍ରାଉଣ୍ଡ୍ ହୋଇଯାଇଛନ୍ତି । ଫଳରେ ନିଶାଡିମାନେ ନିଶାସେବନ ପାଇଁ ମଦ ଦୋକାନ ଆଗରେ ଭିଡ ଜମାଉଛନ୍ତି । ଏହି ନିଶାଡିଙ୍କ ସହିତ ବିଭିନ୍ନ କିସମର ଅପରାଧି ବି ମଦ ଦୋକାନ ଆଖପାଖରେ ଚକ୍କର କାଟୁଛନ୍ତି ।
ସହରର ନିଶା ଓ ଅପରାଧ ରୋକିବାପାଇଁ ତତ୍କାଳୀନ ପୁଲିସ୍ କମିଶନର ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ମଦଦୋକାନୀମାନଙ୍କ ପାଇଁ ଏକ ମାର୍ଗ ନିର୍ଦ୍ଦେଶିକା ଜାରି କରିଥିଲେ । ଏଥିରେ ସ୍ପଷ୍ଟଭାବେ ଉଲ୍ଲେଖଥିଲା ଯେ ପ୍ରତ୍ୟେକ ମଦ ଦୋକାନୀ ନିଜ ନିଜ ଦୋକାନରେ ସିସିଟିଭି ଲଗାଇବାକୁ ବାଧ୍ୟ । ସିସିଟିଭିରେ ଅତି କମ୍ରେ ୩୦ ଦିନରେ ରେକର୍ଡିଂ ରହିବ ଏବଂ କମିଶନରେଟ ପୁଲିସ୍ ଯେତେବେଳେ ଚାହିଁବ ମଦଦୋକାନୀମାନେ ରେକର୍ଡିଂ ଦେଖାଇବାକୁ ବାଧ୍ୟ ।
ଏଥି ସହିତ ମଦୁଆଙ୍କ ଉତ୍ପାତ ହ୍ରାସ କରିବାଲାଗି ମଦ ଦୋକାନ ନିକଟରେ ବିଭିନ୍ନ କିସମର ଚାଖଣା ଦୋକାନ ଖୋଲିବା ଉପରେ ମଧ୍ୟ କଟକଣା ରହିଥିଲା । ଯଦି କେଉଁଠାରେ ଏହାର ବ୍ୟତିକ୍ରମ ଦେଖାଯିବ ତେବେ ସେଠାରେ ମଦ ଦୋକାନୀମାନେ ଦାୟୀ ରହିବେ । ସେହିଭଳି ମଦୁଆମାନଙ୍କୁ ଆକର୍ଷିତ କଲାଭଳି ମଦଦୋକାନୀମାନେ କୌଣସି ପ୍ରକାର ଆଖିଝଲସା ବିଜ୍ଞାପନ କିମ୍ବା ହୋର୍ଡିଂ ଆଦି ଦୋକାନ ଆଗରେ ଲଗାଇପାରିବେ ନାହିଁ ।
ତେବେ କମିଶନରେଟ ପୁଲିସ୍ର ଏହି ନିୟମକୁ ଆଉ ପ୍ରାୟତଃ କୌଣସି ମଦ ଦୋକାନୀ ମାନୁନାହାନ୍ତି । ପ୍ରାୟତଃ ସବୁ ମଦଦୋକାନ ଆଗରେ ମାଳ ମାଳ ଚାଖଣା ଦୋକାନ ଗଢି ଉଠିଛି । ମଦୁଆମାନେ ଦୋକାନକୁ ମଦ କିଣି ଖୋଲାଖୋଲି ଭାବେ ସେଠାରେ ରାସ୍ତା ଉପରେ ମଦ ପିଇ ମାତାଲ ହେଉଛନ୍ତି । ସେହିଭଳି ମଦ ଦୋକାନୀମାନେ ସିସିଟିଭି ଠିକଣା ଭାବେ ଲଗାଇଛନ୍ତି କି ତାହାର ଯାଞ୍ଚ ବି ନିୟମିତ ଭାବେ ହେଉନାହିଁ ।
ଉଲ୍ଲେଖନୀୟ ଯେ ରାଜଧାନୀରେ ଯେତେସବୁ ଛୋଟ ବଡ ଅପରାଧ ଘଟୁଛି ତାହା ପଛରେ ନିଶା କାରବାର ଓ ନିଶା ସେବନ ରହୁଛି । ଅଧିକାଂଶ ଅପରାଧି ଅପରାଧ ଘଟାଇବା ପୂର୍ବରୁ ମଦ ଦୋକାନରୁ ମଦ କିଣି ସେବନ କରୁଥିବା ନେଇ ସନ୍ଦେହ କରାଯାଉଛି । ତେଣୁ ଯଦି ମଦ ଦୋକାନର ସିସିଟିଭି ନିୟମିତ ଭାବେ ପୁଲିସ୍ ଯାଞ୍ଚ କରିବ ତେବେ ବହୁ ଅପରାଧି ଧରାପଡିବେ ବୋଲି ପୂର୍ବତନ ପୁଲିସ୍ ଅଧିକାରୀମାନେ ମତ ଦେଉଛନ୍ତି ।
ତେଣୁ ନିଶାଡିଙ୍କ ବିରୁଦ୍ଧରେ ପୁଲିସ୍ କମିଶନର ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ସ୍ୱାଗତଯୋଗ୍ୟ ହୋଇଥିବାବେଳେ ମଦ ଦୋକାନୀଙ୍କ ପାଇଁ ପୂର୍ବତନ ପୁଲିସ୍ କମିଶନର ଜାରି କରିଥିବା ମାର୍ଗନିର୍ଦ୍ଦେଶିକା ପାଳନ ପାଇଁ ମଧ୍ୟ ମତପ୍ରକାଶ ପାଉଛି । (ତଥ୍ୟ)