Home News in Odia ମଶା ଦମନ ପାଇଁ ସଜବାଜ

ମଶା ଦମନ ପାଇଁ ସଜବାଜ

 ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବି ଏମ୍ ସି) ଅଂଚଳରୁ ମଶା ବଂଶ ଲୋପ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କିତ ଏକ ସମୀକ୍ଷା ବୈଠକ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ସାତ ଦିନ ମଧ୍ୟରେ ମଶା ପ୍ରବଣ ସ୍ଥାନଗୁଡିକୁ ଚିହ୍ନଟ କରିବା ସହ ଦୁଇ ଦିନ ମଧ୍ୟରେ ମଶା ଦମନ ପଦକ୍ଷେପମାନ ନେବାକୁ ନିର୍ଦେଶ ଦେଇଛନ୍ତି ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ।  ବିଏମ୍ ସିର ସମୟୋଚିତ ପଦକ୍ଷେପ ଯୋଗୁଁ, ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଡେଙ୍ଗୁ ରୋଗୀ ଅନେକ ସଂଖ୍ୟାରେ ହ୍ରାସ ପାଇଛି । ଗତ ବର୍ଷ ୪ ହଜାର ୫ ଶହ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ମାତ୍ର ୧୨ ଶହ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି କହିଥିଲେ କମିଶନର ।

ସଂପ୍ରତି ବିଏମ୍ ସି ପାଖରେ ୨୦ଟି ଅଟୋ ମାଉଣ୍ଟଟେଡ୍ ଫଗିଙ୍ଗ ମେସିନ, ୩୦ଟି ଛୋଟ ହ୍ୟାଣ୍ଡ ଫଗିଙ୍ଗ ମେସିନ ଏବଂ ୨ଟି ଟ୍ରାକ୍ଟର ମାଉଣ୍ଟଟେଡ୍ ମେସିନ ରହିଛି । ଏହି ମେସିନ ଜରିଆରେ ବିଭିନ୍ନ ଓ୍ୱାର୍ଡରେ ନିୟମିତ ମଶାମରା ତୈଳ ସିଚନ, ମଶା ଧୂଆଁ ଦିଆଯାଉଛି । ମାତ୍ର ଏହା ଯଥେଷ୍ଟ ହୋଇପାରୁ ନାହିଁ । ତେଣୁ ଆଉ 4ଟି ଟ୍ରାକ୍ଟର ମାଉଣ୍ଟେଟେଡ୍ ମେସିନ ତୁରନ୍ତ କ୍ରୟ କରିବା ପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।

ସେହିପରି ମାନବ ସମ୍ବଳ ମଧ୍ୟ କମ୍ ରହିଛି । ସଂଧ୍ୟା ସମୟରେ ଏକ କାଳୀନ ସମସ୍ତ ଅଂଚଳରେ ଫଗିଙ୍ଗ କରିବା ଦାରକାର । ନଚେତ ମଶାମାନେ ଗୋଟିଏ ଅଂଚଳରୁ ଅନ୍ୟ ଅଂଚଳକୁ ଚାଲିଯାଇଥାନ୍ତି । ତେଣୁ ଏକକାଳୀନ ଫଗିଙ୍ଗ କରିବା ପାଇଁ ଉଭୟ ମେସିନ ଓ ମାନବ ସମ୍ବଳର ଆବଶ୍ୟକତା ରହିଛି । ତୁରନ୍ତ ମାନବ ସମ୍ବଳ ବୃଦ୍ଧି କରିବା ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି ମାନ୍ୟବର ମନ୍ତ୍ରୀ । ଯେତିକି ଆଣ୍ଟି ଲାର୍ଭା ଓ୍ୱାର୍କର ଅଛନ୍ତି, ତାହାକୁ ଦୈନିକ ପ୍ରାପ୍ୟ ଭିତ୍ତିରେ ଦ୍ୱିଗୁଣିତ କରିବା ପାଇଁ ସେ  ନିର୍ଦେଶ ଦେଇଛନ୍ତି ।

ଦୟା ଓ୍ୱେଷ୍ଟ କେନାଲ ମଶା ବଂଶ ବୃଦ୍ଧି କରିବାର ପ୍ରମୁଖ ସ୍ଥଳ ଭାବେ ଚିହ୍ନଟ କରାଯାଇଛି । ତେଣୁ ପ୍ରତି ସପ୍ତାହରେ ଦୟା ଓ୍ୱେଷ୍ଟ କେନାଲରେ ମଶା ତେଳ ସିଚନ କରିବା ପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।

ମଶା ଦମନ ପାଇଁ ସରକାର ଯୋଗାଇ ଦେଉଥିବା କେମିକାଲ ସିଚନ ହେଉଥିବାରୁ ମଶାମାନେ ତା ସହିତ ଅଭ୍ୟସ୍ତ ହୋଇଛନ୍ତି କି ନାହିଁ, ତାର ଗୁଣାତ୍ମକ ମାନ ପରୀକ୍ଷା କରିବାକୁ ମଧ୍ୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । 

ଏହା ବ୍ୟତୀତ ଆବସସ୍ଥଳୀଗୁଡିକର ଆଖପାଖ, ମାର୍କେଟ, ବସ୍ ଷ୍ଟାଣ୍ଡ ଏବଂ ଜନ ଗହଳିପୂର୍ଣ୍ଣ ଅଂଚଳରେ ଥିବା ହଟସ୍ପଟଗୁଡିକୁ ଚିହ୍ନଟ କରିବା, ସଠିକ ଭାବେ ଫଗିଙ୍ଗ ଓ ମଶା ତେଲ ସିଚନ ହେଉଛି କି ନାହିଁ, ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ତାର ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି । ତେବେ ବୁସ୍ କଟିଂ, ଗମ୍ବୁସିଆ ମାଛ ଛାଡିବା, ଜନ ସଚେତନତା ସୃଷ୍ଟି କରିବା ଆଦି କାମ ସାଧାରଣତଃ ଚାଲୁ ରହିବ । ମାତ୍ର ତୁରନ୍ତ ମଶା ବଂଶ ନାଶ କରିବାକୁ ଏହି ସମସ୍ତ ପଦକ୍ଷେପ ଦୁଇ ଦିନ ମଧ୍ୟରେ କାର୍ଯ୍ୟାରମ୍ଭ କରିବା ପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।