ଭୁବନେଶ୍ୱର : ପ୍ରଥମ ଦିନର ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ୫୪ ଏମଓୟୁ ସ୍ବାକ୍ଷରିତ ହୋଇଥିବା କହିଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା ଏହି ସୂଚନା ଦେଇଛନ୍ତି। ଏହି ରାଜିନାମା ଦ୍ବାରା ରାଜ୍ୟକୁ ୪ରୁ ସାଢେ ୪ ଲକ୍ଷ କୋଟି ଟଙ୍କାର ନିବେଶ ଆସିବ। ଏହା ଭିତରୁ ସବୁଠୁ ବଡ ବୁଝାମଣା ଆଦାନୀ ଗ୍ରୁପ ସହ ସ୍ବାକ୍ଷର ହୋଇଛି । ୨.୨୮ ଲକ୍ଷ କୋଟି ଟଙ୍କାର ଏମଓୟୁ ସ୍ବାକ୍ଷର କରିଛି ଆଦାନୀ।
କେନ୍ଦୁଝରରେ ୫ ନିୟୁତ ଟନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ପାଇଁ ଜେଏସଡବ୍ଲୁ ଗ୍ରୁପ ସହ ଏମଓୟୁ ହୋଇଛି । କେନ୍ଦୁଝରରେ ଏହି କମ୍ପାନୀ କରିବ ଇସ୍ପାତ କାରଖାନା। ଏନେଇ ପୋସ୍କୋ ସହ ଆଲୋଚନା ଚାଲିଥିବା ସୂଚନା ଦେଇଛନ୍ତି ଜେଏସଡବ୍ଲୁ ମୁଖ୍ୟ ସଜ୍ଜନ ଜିନ୍ଦଲ। କେନ୍ଦୁଝରରେ ୩୦-୪୦ ହଜାର କୋଟିର ନିବେଶ ଲକ୍ଷ୍ୟ ରହିଛି। ଅନ୍ୟ ପକ୍ଷରେ ଜେଏସପିଏଲ ଗ୍ରୁପ୍ ଅନୁଗୁଳ ସ୍ଥିତ ଷ୍ଟିଲ ପ୍ଲାଣ୍ଟ ସମ୍ପ୍ରସାରଣ ପାଇଁ ୭୦ ହଜାର କୋଟି ଟଙ୍କା ପୁଞ୍ଜିନିବେଶ ଲାଗି ଘୋଷଣା କରିଛନ୍ତି ଗ୍ରୁପ ଅଧ୍ୟକ୍ଷ ନବୀନ ଜିନ୍ଦଲ ।
ବିର୍ଲା ଗ୍ରୁପ କପର ଫଏଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ ବୁଝାମଣା କରିଛି । ଏହାଛଡ଼ା ଆଜି ବିଭିନ୍ନ ନିବେଶକଙ୍କଠାରୁ ୧୦୦ରୁ ଅଧିକ ପୁଞ୍ଜିନିବେଶ ଆଗ୍ରହ ପାଇଛନ୍ତି ରାଜ୍ୟ ସରକାର । ଜେଏସପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ ମଧ୍ୟ କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ବସାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
ଉତ୍କର୍ଷ ଓଡ଼ିଶା କନକ୍ଲେଭ ସରିବା ବେଳକୁ ମୁଖ୍ୟମନ୍ତ୍ରୀ ଯେଉଁ ପୁଞ୍ଜିନିବେଶ ଲକ୍ଷ୍ୟ ରଖିଛନ୍ତି, ତାହା ପୂରଣ ହୋଇପାରିବ ବୋଲି ଆଶା । । ସେହିପରି ପାରାଦୀପରେ ୧୨ ମିଲିୟନ୍ ଟନ୍ ଷ୍ଟିଲ୍ ପ୍ଲାଣ୍ଟ କାମ ଆରମ୍ଭ ହୋଇଛି। ଝାରସୁଗୁଡ଼ାରେ ପ୍ଲାଣ୍ଟର ସମ୍ପ୍ରସାରଣ କରିବ ଜେଏସଡବ୍ଲୁ । ଓଡ଼ିଶାରେ କୁମାର ମଙ୍ଗଲମ୍ ବିର୍ଲାଙ୍କ କମ୍ପାନୀ ୫୦ ହଜାର କୋଟି ନିବେଶ କରିବାକୁ ଯୋଜନା ରଖିଛି। ବିଶେଷ କରି ଆଲୁମିନିୟମ୍ ରିଫାଇନାରୀ ଓ ଆଲୁମିନିୟମ୍ ସ୍କେଲଟିଂ କରିବ ବିର୍ଲା ଗ୍ରୁପ୍।
ବେଦାନ୍ତ ରାୟଗଡ଼ାରେ ୩୦ ଲକ୍ଷ ଟନ୍ ଆଲୁମିନିୟମ୍ ପ୍ଲାଣ୍ଟ କରିବାକୁ ଯୋଜନା ରଖିଛି। ଏନେଇ ସୂଚନା ଦେଇଛନ୍ତି ଅନୀଲ ଅଗ୍ରୱାଲ୍। ଆଇଓସିଏଲ ୭୦ ହଜାର କୋଟିର ପୁଞ୍ଜିନିବେଶ ପାଇଁ ଆଗ୍ରହ ଦେଖାଇଛି। ପାରାଦୀପ ଓ ଭଦ୍ରକରେ ପେଟ୍ରୋ କେମିକାଲ୍ କ୍ଷେତ୍ରରେ ନିବେଶ ଯୋଜନା କରିଛି ଆଇଓସିଏଲ । ସେହିପରି ଆବାଡ଼ା ଗ୍ରୁପ୍- ୨୦ ହଜାର କୋଟିର ପୁଞ୍ଜି ନିବେଶ କରିବ। ଗୋପାଳପୁର ସହ ପାରାଦୀପରେ ପ୍ରକଳ୍ପ ଆରମ୍ଭ ହେବ। ଏମାନଙ୍କ ବ୍ୟତୀତ ବହୁ ଶିଳ୍ପପତି ଓ ପୁଞ୍ଜିପତି ବି ଓଡ଼ିଶାରେ ନିବେଶ ନେଇ ଆଗ୍ରହ ପ୍ରକାଶ କରିଥିବା ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଜଣାଇଛନ୍ତି।