Home Culture ‘ଏକ ଅବାସ୍ତବ ଗଳ୍ପ’ ନାଟକ ମଞ୍ଚସ୍ଥ

‘ଏକ ଅବାସ୍ତବ ଗଳ୍ପ’ ନାଟକ ମଞ୍ଚସ୍ଥ

ଭୁବନେଶ୍ଵର : ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଶ୍ରୀ ସତ୍ୟବ୍ରତ ସାହୁକହିଲେ ଯେ, ବିଭାଗରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଲୁକ୍କାୟିତ ଅନ୍ତର୍ନିହିତ କଳାତ୍ମକ ପ୍ରତିଭାର ପରିସ୍ପୁଟନ ପାଇଁ ଏହି ସାଂସ୍କୃତିକ ପରିଷଦଏକ ନିର୍ଣ୍ଣାୟକ ଭୂମିକା ନିର୍ବାହ କରୁଛି ।

ଏହାର ସଦସ୍ୟ-ସଦସ୍ୟାଗଣ  ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମରେ ସ୍ଵେଚ୍ଛାକୃତ ଭାବେ ସାମିଲ ହୋଇଛନ୍ତି । ସଂପ୍ରୀତି, ସଦ୍‌ଭାବ ଓ ସଂପୃକ୍ତିର ଅନନ୍ୟ ବାତାବରଣ ଗଢି ତୋଳିବାରେ ପରିଷଦ ଅଧିକ ସକ୍ରିୟ ହେବଏବଂ ନାଟକ ପରିବେଷଣ ମାଧ୍ୟମରେ ପରିବେଶପ୍ରତି ଅଙ୍ଗୀକାରବଦ୍ଧତାର ବାର୍ତ୍ତାପ୍ରସାର କରିବ ବୋଲି ସେ ଆଶା ପୋଷଣ କରିଥିଲେ ।

ଏହି ପରିଷଦର ଉଦ୍ୟମରେ ରକ୍ତଦାନ ଶିବିର ଓ ଅନ୍ୟ ସାମାଜିକ ସେବା କାର୍ଯ୍ୟକ୍ରମର ଆୟୋଜନ ପ୍ରଶଂସନୀୟ । ମଣିଷ ଭିତରେ ଅନେକ ପ୍ରକାର ପ୍ରତିଭା ରହିଛି । ଏଗୁଡିକ ଯେତେବେଳେ ଉପଯୁକ୍ତ ମଞ୍ଚ ପାଏ ସେତେବେଳେ ଏହା ବିକଶିତ ହୁଏ । ନଚେତ୍‌ ଅନେକ କ୍ଷେତ୍ରରେ ସେମିତି ଚାପି ହୋଇ ରହିଯାଏ । ଆମେ ପେଟପାଟଣା ପାଇଁ ଜଣେ ସରକାରୀ ଚାକିରିଆ ହୋଇପାରୁ କିନ୍ତୁ ଆମ ଭିତରେ ମଧ୍ୟ ଲେଖକ, କବି, ସାମ୍ବାଦିକ, ଚିତ୍ରକର, କ୍ରୀଡାବିତ୍‌ ଭଳି ଅନେକ ଗୁଣ ଲୁଚି ରହିଛି । ତେଣୁ ସେଗୁଡିକ ଲୋକଲୋଚନକୁ ଆସିବା ଦରକାର । ନାଟକ ଏକ ପ୍ରଭାବଶାଳୀ ମାଧ୍ୟମ । ନାଟକ ଅଭିନେତା ଓ ଦର୍ଶକ ମଧ୍ୟରେ ସିଧାସଳଖ ଯୋଗସୂତ୍ରର ଏକ ବଳିଷ୍ଠ ମାଧ୍ୟମ । ତେଣୁ ଏଥିରେ ଏକ ପରିବର୍ତ୍ତନଧର୍ମୀ ବାର୍ତ୍ତା ରହିଲେ ତାହା ଦର୍ଶକଙ୍କୁ ପ୍ରଭାବିତ କରିବା ସହ ତାଙ୍କ ମଧ୍ୟରେ ପରିବର୍ତ୍ତନର ସୂତ୍ରପାତ କରାଇପାରିବ ବୋଲି ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ ।

ପ୍ରଧାନ ମୁଖ୍ୟ ବନସଂରକ୍ଷକତଥା ବନବାହିନୀ ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ଵାଳ ଓ ପ୍ରଧାନ ମୁଖ୍ୟ ବନସଂରକ୍ଷକ (ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶ୍ରୀ ପ୍ରେମ କୁମାର ଝା ସମ୍ମାନିତ ଅତିଥି ରୂପେ ଯୋଗଦେଇ କହିଲେ ଯେ ସାଂସ୍କୃତିକ ଉତ୍ସବର ଯଥାର୍ଥ ଉଦ୍ଦେଶ୍ୟ କେବଳ ମନୋରଞ୍ଜନ ବା ଆନନ୍ଦ ଉଲ୍ଲାସ କି ଖୁସିପାଳନ ନୁହେଁ, ଏହା ନିଜ ନିଜ ମଧ୍ୟରେ ଭାଇଚାରା, ଭାଗିଦାରୀ ଓ ସଦ୍‌ଭାବନାର ଉତ୍ତରଣକରାଇଥାଏ ।

ବିଭାଗୀୟ ସ୍ଵତନ୍ତ୍ର ସଚିବ ତଥା ପରିବେଶ ନିର୍ଦ୍ଦେଶକ ଡ.କେମୁରୁଗେସନ ଉଦବୋଧନ ଦେଇଥିଲେ । ପରିଷଦର କାର୍ଯ୍ୟକାରୀ ସଭାପତିଶ୍ରୀ ଶଙ୍କର ସୋରେନ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଓ  ସାଧାରଣ ସଂପାଦକଶ୍ରୀ ବିଭୁଦତ୍ତ ପ୍ରସାଦ ସାମନ୍ତରାୟ ପରିଷଦର ବାର୍ଷିକ ବିବରଣୀ ପାଠ କରିଥିଲେ ।

ଏହି ଅବସରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଶ୍ରୀ ସତ୍ୟବ୍ରତ ସାହୁ ପରିଷଦର ବାର୍ଷିକ ପତ୍ରିକା “ଆରଣ୍ୟକ”କୁ ଉନ୍ମୋଚନ କରିଥିଲେ । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ ।

ବିଭାଗୀୟ ସଦସ୍ୟାଓ କ୍ଷେତ୍ର କର୍ମଚାରୀଙ୍କଦ୍ଵାରା ନୃତ୍ୟ ପରିବେଷିତ ହୋଇଥିଲା । ବିମଳ ବନ୍ଦୋପାଧ୍ୟାୟଙ୍କ ଦ୍ଵାରା ରଚନା କରାଯାଇଥିବା ଓ ଦେବବ୍ରତ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ନାଟକ “ଏକ ଅବାସ୍ତବ ଗଳ୍ପ” ମଞ୍ଚସ୍ଥ ହୋଇଥିଲା । ବିଭାଗର ପ୍ରତିଭାବାନ କର୍ମଚାରୀମାନେ ନିଖୁଣ ଅଭିନୟ ମାଧ୍ୟମରେ  ଦର୍ଶକମାନଙ୍କ ମନକୁ ମୋହି ନେଇଥିଲେ ।ନାଟକଟି ଥିଲା ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ଆକର୍ଷଣୀୟ ।