ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭକୁ ଉଦଘାଟନ କରିଛନ୍ତି।
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ସିଧାସଳଖ ଜନତା ମଇଦାନ ଅଭିମୁଖେ ଯାତ୍ରା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଅନେକ କେନ୍ଦ୍ରମନ୍ତ୍ରୀ ଓ ଶିଳ୍ପ ପତିଙ୍କ ଉପସ୍ଥିତିରେ ବ୍ୟବସାୟ ଶିଖର ସମ୍ମିଳନୀକୁ ଉଦଘାଟନ କରିଥିଲେ।
ଶିଳ୍ପ ବିଭାଗର ଶୀର୍ଷ ଅଧିକାରୀଙ୍କ ମଧ୍ୟରେ ଜେଏସଡବ୍ଲ୍ୟୁ ମୁଖ୍ୟ ସଜ୍ଜନ ଜିନ୍ଦଲ, ଜେଏସ୍ ପି ମୁଖ୍ୟ ନବୀନ ଜିନ୍ଦଲ, ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ, ବିର୍ଲା ଗ୍ରୁପ୍ ମୁଖ୍ୟ କୁମାର ମଙ୍ଗଲମ୍ ବିର୍ଲା, ଗୌତମ ଆଦାନୀଙ୍କ ପୁଅ କରଣ ଆଦାନୀ, ଟାଟା ଷ୍ଟିଲର ଗ୍ଲୋବାଲ୍ ସିଇଓ ଟିଭି ନରେନ୍ଦ୍ରନ୍ ଉପସ୍ଥିତ ଥିଲେ।
ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ପ୍ରମୁଖ ଶିଳ୍ପପତିଙ୍କ ସମେତ ପ୍ରାୟ ୭୫୦୦ ପ୍ରତିନିଧି ଯୋଗ ଦେଉଛନ୍ତି।
ପ୍ରଧାନମନ୍ତ୍ରୀ ‘ମେକ୍ ଇନ୍ ଓଡ଼ିଶା’ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ, ଯେଉଁଥିରେ ଏକ ଶିଳ୍ପ ଇକୋସିଷ୍ଟମର ବିକାଶ ରେ ରାଜ୍ୟର ସଫଳତା କୁ ଦର୍ଶାଯାଇଥିଲା ।
ଏହି କନ୍ କ୍ଲେଭ୍ ଶିଳ୍ପନେତା, ନିବେଶକ ଏବଂ ନୀତି ନିର୍ଧାରକମାନଙ୍କ ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ ଏବଂ ଓଡ଼ିଶାରେ ପୁଞ୍ଜିନିବେଶ ଗନ୍ତବ୍ୟସ୍ଥଳ ଭାବରେ ଉପଲବ୍ଧ ସୁଯୋଗ ବିଷୟରେ ଆଲୋଚନା କରିବ ।
କନକ୍ଲେଭରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମ ମଧ୍ୟରେ ସିଇଓ ଓ ନେତାଙ୍କ ରାଉଣ୍ଡଟେବୁଲ, କ୍ଷେତ୍ରୀୟ ଅଧିବେଶନ, ବି୨ବି ବୈଠକ ଏବଂ ନୀତି ଗତ ଆଲୋଚନା ରହିଛି।
ଚଳିତ ମାସରେ ଏହା ତାଙ୍କର ଦ୍ୱିତୀୟ ରାଜ୍ୟ ଗସ୍ତ। ଜାନୁଆରୀ ୯ ତାରିଖରେ ସେହି ସ୍ଥାନରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ସେ ଯୋଗ ଦେଇଥିଲେ।
ସିଙ୍ଗାପୁର, ଅଷ୍ଟ୍ରେଲିଆ, ମାଲେସିଆ, ଭିଏତନାମ, ଜିମ୍ବାୱେ, କାଜାଖସ୍ତାନ, ଭେନେଜୁଏଲା, ବ୍ରିଟେନ ଏବଂ ଆମେରିକାର ବ୍ୟବସାୟିକ ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି
ସମୃଦ୍ଧ ଓଡ଼ିଶା ୨୦୩୬ର ଲକ୍ଷ୍ୟ ହାସଲ ଏବଂ ବିକଶିତ ଭାରତ ୨୦୪୭ର ଜାତୀୟ ଆକାଂକ୍ଷାରେ ଯୋଗଦାନ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏହି କନ୍ କ୍ଲେଭ୍ ଭାରତର ଶିଳ୍ପ ଅଭିବୃଦ୍ଧି କାହାଣୀରେ ଏକ ପ୍ରମୁଖ ଖେଳାଳି ଭାବରେ ଓଡ଼ିଶାର ବିପୁଳ ସମ୍ଭାବନାଉପରେ ଆଲୋକପାତ କରିବ।
ସୁଭଦ୍ରା ଯୋଜନାରେ ଷ୍ଟାର୍ଟଅପ୍ ଓଡ଼ିଶା, ସ୍କିଲଡ୍ ଇନ୍ ଓଡ଼ିଶା ଓ ମହିଳା ଉଦ୍ୟୋଗକୁ କେନ୍ଦ୍ର କରି ତିନୋଟି ବିଷୟଗତ ଅଧିବେଶନ ଅନୁଷ୍ଠିତ ହେବ। ଏହାବ୍ୟତୀତ ସିଇଓ ରାଉଣ୍ଡଟେବୁଲ, ମହିଳା ନେତୃତ୍ୱ ରାଉଣ୍ଡଟେବୁଲ ଏବଂ ସମ୍ପାଦକଙ୍କ ରାଉଣ୍ଡଟେବୁଲ ଅର୍ଥପୂର୍ଣ୍ଣ ଆଲୋଚନା ଏବଂ ଭାଗିଦାରୀକୁ ପ୍ରୋତ୍ସାହିତ କରିବେ ।
ପାଖାପାଖି ୧୫୦ ଜଣ ପ୍ରଦର୍ଶକଙ୍କୁ ନେଇ ଆୟୋଜିତ ମେକ୍ ଇନ୍ ଓଡ଼ିଶା ଏକ୍ସପୋରେ ଅଭିନବ ଉତ୍ପାଦ ଓ ସମାଧାନ ପ୍ରଦର୍ଶିତ ହୋଇଛି। କନ୍ କ୍ଲେଭ୍ ରେ ପ୍ରତିନିଧିମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ଖୋଲା ରହିଥିବା ଏହି ଏକ୍ସପୋ ୨୦୨୫ ଜାନୁଆରି ୩୦ ତାରିଖରେ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ।
ଉଦ୍ ଘାଟନୀ ଦିବସରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ଦ୍ବିତୀୟ ଦିନରେ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିନିଧିମାନେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଅନୁଭବ କରିବେ। ପରମ୍ପରାକୁ ଟେକ୍ନୋଲୋଜି ସହ ମିଶାଇ ଏକ ଚମତ୍କାର ଡ୍ରୋନ୍ ସୋ’ ମାଧ୍ୟମରେ ଉଭୟ ସନ୍ଧ୍ୟା ଶେଷ ହେବ।
ଉତ୍କର୍ଷ ଓଡ଼ିଶା କନ୍ କ୍ଲେଭ୍ ରେ ବୈଷୟିକ ବୟନଶିଳ୍ପ, ଡାଉନଷ୍ଟ୍ରିମ୍ ପେଟ୍ରୋକେମିକାଲ୍ସ, ସ୍ପେଶାଲିଟି ମେଟାଲ୍ ଏବଂ ଚଳଚ୍ଚିତ୍ର ଓ ଗଣମାଧ୍ୟମ ଭଳି କ୍ଷେତ୍ରଉପରେ ଆଲୋକପାତ କରାଯିବା ସହ ଅକ୍ଷୟ ଶକ୍ତି, ସବୁଜ ଇନ୍ଧନ ଏବଂ ସର୍କୁଲାର ଅର୍ଥନୀତିକୁ ପ୍ରୋତ୍ସାହିତ କରାଯିବ। ନିରନ୍ତର ବିକାଶ ଏବଂ ବିଶ୍ୱ ସ୍ତରୀୟ ଭାଗିଦାରୀକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶାର ପ୍ରତିବଦ୍ଧତା ସହ ଏହି ପ୍ରୟାସ ଯୋଡ଼ି ହୋଇଛି।
ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନ୍ କ୍ଲେଭ୍ ୨୦୨୫ ଏକ ଐତିହାସିକ କାର୍ଯ୍ୟକ୍ରମ ହେବ, ଯାହା ଉଦ୍ଭାବନକୁ ପ୍ରୋତ୍ସାହିତ କରିବ, ଭାଗିଦାରୀକୁ ପ୍ରୋତ୍ସାହିତ କରିବ ଏବଂ ଏକ ଶିଳ୍ପ ଶକ୍ତି ଭାବରେ ଓଡ଼ିଶାର ଭବିଷ୍ୟତକୁ ଗଢ଼ିତୋଳିବ। ଏହି ଦୁଇଦିନିଆ ବାଣିିଜ୍ୟିକ କାର୍ଯ୍ୟକ୍ରମରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ ରଖାଯାଇଛି।