ଭୁବନେଶ୍ୱର : ୧୫ ତମ ଜାତୀୟ ମତଦାତା ଦିବସ ପାଳନର ରାଜ୍ୟସ୍ତରୀୟ ସମାରୋହ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ମହାସମାରୋହରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମତଦାତା ସଂକଳ୍ପ ପାଠ କରାଇଥିଲେ ।
ମତଦାତା ସଚେତନତା ଓ ଭାରତକୁ ଏକ ସୁଦୃଢ ଗଣତନ୍ତ୍ର ରୂପେ ବଜାୟ ରଖିବା ଦିଗରେ ପ୍ରେରିତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ଆନୁକୂଲ୍ୟରେ ଆଜି ରାଜ୍ୟ ସ୍ତରୀୟ ୧୫ ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଛି ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମତଦାତା ସଂକଳ୍ପ ପାଠ କରାଇବା ସହ ସଭାକୁ ସମ୍ବୋଧନ କରିଥିଲେ । ଏହି ଅବସରରେ ନିଜର ମତ ରଖି ମତଦାନକୁ ଗୁରୁତ୍ୱପୂର୍ଣ୍ଣ ଗଣତାନ୍ତ୍ରିକ ଦାୟିତ୍ୱ ରୂପେ ଅଭିହିତ କରିଥିଲେ । ଭାରତ ସର୍ବବୃହତ ଗଣତନ୍ତ୍ର ରୂପେ ସମଗ୍ର ବିଶ୍ୱରେ ଏକ ଉଦାହରଣ ଅଟେ । ଏହି ପ୍ରତିଷ୍ଠାକୁ ଅକ୍ଷୁଣ୍ଣ ରଖିବା ଦିଗରେ ନାଗରିକ ରୂପେ ଆମ ସମସ୍ତଙ୍କର ଦାୟିତ୍ୱ ରହିଛି । ତେଣୁ ସମସ୍ତ ମତଦାତା ସେହି ଦାୟିତ୍ୱ ପ୍ରତି ଯନିବାନ ହେବା ପାଇଁ ସେ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ମତଦାତା ସଚେତନତା ସମ୍ବନ୍ଧୀୟ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ଫଟୋ ପ୍ରଦର୍ଶନୀ ଲୋକାର୍ପିତ ହୋଇଥିଲା ।
ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଶ୍ରୀ ଆର୍ ଏସ୍ ଗୋପାଲନ୍, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ବି ପରମେଶ୍ୱରନ୍, ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଚଞ୍ଚଳ କୁମାର ରାଣା ଭାରତୀୟ ଗଣତନ୍ତ୍ର ଓ ସେଥିରେ ମତଦାତାଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ । କାର୍ଯକ୍ରମର ପ୍ରାରମ୍ଭରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ରେ ଆଇକନ୍ ରୂପେ କାର୍ଯ୍ୟ କରି ମତଦାନ ପାଇଁ ସଚେତନତା ସୃଷ୍ଟି ପାଇଁ ଶ୍ରୀ ପ୍ରମୋଦ ଭଗତ, ଶ୍ରୀ କମଳାକାନ୍ତ ନାୟକ, ଜୟନ୍ତୀ ବେହେରା, ସାଧନା ମିଶ୍ର ଓ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା । ସାଧାରଣ ନିର୍ବାଚନ-୨୦୨୪ ପାଇଁ ବିଭିନ୍ନ ଦିଗରେ ସୂଚାରୁ ରୂପେ ଦାୟିତ୍ୱ ନିର୍ବାହ କରିଥିବାରୁ ଖୋର୍ଦ୍ଧା, କେନ୍ଦୁଝର, ପୁରୀ, ମାଲକାନଗିରି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବୌଦ୍ଧ, ବାଲେଶ୍ୱର, ସମ୍ବଲପୁର ଆଦି ଜିଲ୍ଲାମାନଙ୍କୁ ସମ୍ମାନିତ କରାଯାଇଥିଲା ।