ଭୁବନେଶ୍ଵର : ବନୀକରଣ, ଆରଣ୍ୟ ବୃକ୍ଷ ଗବେଷଣା, ବାଉଁଶ ବନ ପରିଚାଳନା, ଓଡିଶାର ଔଷଧୀୟ ଉଦ୍ଭିଦ ଓ ଗୋଷ୍ଠୀ ବନ ପରିଚାଳନା କ୍ଷେତ୍ରରେ ଗବେଷଣା ଓ ଉଦ୍ଭାବନ ପାଇଁ ଅତ୍ୟନ୍ତ ପ୍ରତିଶ୍ରୁତିବଦ୍ଧ ପରିବେଶବିତ, ବନବିଜ୍ଞାନ ବିଶାରଦ ତଥା ଭାରତୀୟ ବନ ସେବା ଅଧିକାରୀ ଶ୍ରୀଯୁକ୍ତ ବିଜୟ କୁମାର ସ୍ୱାଇଁଙ୍କ ଗତକାଲି ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ୭୭ ବର୍ଷ ବୟସରେ ପରଲୋକ ଘଟିଛି ।
ଶ୍ରୀଯୁକ୍ତ ସ୍ୱାଇଁ ଜଣେ ମେଧାବୀ ଛାତ୍ର ଥିଲେ ଏବଂ ଅଧ୍ୟୟନ ପାଇଁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ । ୨୦୦୮ମସିହାରେ ଅବସର ନେବା ପରେ ସେ କଳିଙ୍ଗର ଗୌରବମୟ ସାମୁଦ୍ରିକ ଇତିହାସ ଉପରେ ଗବେଷଣା ଜାରି ରଖିଥିଲେ। କଳିଙ୍ଗ ପରମ୍ପରାକୁ ଅନୁସନ୍ଧାନ କରିବା ପାଇଁ ସେ ପୂର୍ବପୁରୁଷ ସମ୍ବନ୍ଧୀୟ ସ୍ଥାନକୁ ପରିଦର୍ଶନ କରିବା ସହ ସଂସ୍କୃତ ଗ୍ରନ୍ଥ ଏବଂ ଶିଳାଲେଖ ଆଦି ପଢ଼ିଥିଲେ। ସେ କଳିଙ୍ଗ ପରମ୍ପରା ଏବଂ କଳିଙ୍ଗ- ଦକ୍ଷିଣ-ପୂର୍ବ ଏସିଆର ଭାରତୀୟକରଣ ନାମରେ ଦୁଇଟି ପୁସ୍ତକ ରଚନା କରିଛନ୍ତି ।
ତାଙ୍କର ଦୁଇ ଝିଅ ଡାକ୍ତର ରୋମା ରତନ, ଯୁଗ୍ମ ଡିଏମଇଟି ଏବଂ ଶ୍ରୀମତୀ ରୂପା ରୋଶନ ସାହୁ , ଆଇଏଏସ ଅଛନ୍ତି । ତାଙ୍କ ବଡ ଜ୍ୱାଇଁ ଡାକ୍ତର ଦେବାଶିଷ ନାୟକ ଆପୋଲୋ ହସ୍ପିଟାଲରେ ବରିଷ୍ଠ ପରାମର୍ଶଦାତା, କାର୍ଡିଓଥୋରାସିକ୍ ଓ ଭାସ୍କୁଲାର ସର୍ଜନ ଏବଂ ସାନ ଜ୍ୱାଇଁ ଅନୁପ କୁମାର ସାହୁ ଆଇପିଏସ୍ ଭାବରେ ଅବସ୍ଥାପିତ ଅଛନ୍ତି । ତାଙ୍କ ଅବର୍ତ୍ତମାନରେ ପରିବାରରେ ପତ୍ନୀ ଶ୍ରୀମତୀ ଜୟନ୍ତୀ ସ୍ୱାଇଁ, ଦୁଇ ଝିଅ, ଜ୍ୱାଇଁ ଓ ନାତିନାତୁଣୀ ରାଜିନ, ରିଦ୍ଧି ଓ କୁହୁ ରହିଛନ୍ତି।