ଭୁବନେଶ୍ୱର : ବର୍ଷା ମାଡଖିଆ ଧାନ ବହୁ ସ୍ଥାନରେ ଏଫ୍ଏକ୍ୟୁ ମାନ ପରୀକ୍ଷାରେ ଫେଲ୍ ଖବର ପ୍ରସାରିତ ହେବାପରେ ଏବେ ଧାନ ବେପାରୀମାନେ ସକ୍ରିୟ ହୋଇଛନ୍ତି । ଚାଷୀଙ୍କ ଠାରୁ କୁଇଣ୍ଟାଲ ପ୍ରତି ୧୯୦୦ ରୁ ୨୦୦୦ ଟଙ୍କାରେ କିଣିବାକୁ ମୂଲଚାଲ କରୁଥିବାବେଳେ କେତେକ ଚାଷୀ ବି ଏମାନଙ୍କୁ ବିକିବାକୁ ପ୍ରସ୍ତୁତ ହେଉଥିବା ଲକ୍ଷ୍ୟ କରାଯାଉଛି ।
ଚଳିତ ଖରିଫ ଋତୁରେ ସରକାରଙ୍କୁ ଦାନ ବିକ୍ରି କରିବାପାଇଁ ସାଢେ ୧୭ଲକ୍ଷ ଚାଷୀ ନିଜକୁ ପଞ୍ଜିକୃତ କରିଛନ୍ତି । ସେମାନଙ୍କ ପାଇଁ ୩୦ଟି ଜିଲ୍ଲାରେ ୩୯୦୩ ଟି ମଣ୍ଡି ପ୍ରତିଷ୍ଠା ହୋଇଛି । ତେବେ ଏହି ମଣ୍ଡିରେ ଧାନ ବିକ୍ରି ପୂର୍ବରୁ ତାହାର ମାନ ଯନ୍ତ୍ର ଦ୍ୱାରା ପରୀକ୍ଷା ହେଉଛି । ତେବେ ଅମଳ ସମୟରେ ଅଦିନିଆ ବର୍ଷ ଯୋଗୁଁ ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲା ବିଶେଷକରି ଉପକୂଳରେ ବର୍ଷାମାଡରେ ଧାନର ରଙ୍ଗ ବଦଳିବା ସହିତ ମାନ ହ୍ରାସ ପାଇଛି । ଏହି କିସମର ଧାନ ଏଫ୍ଏକ୍ୟୁ ପରୀକ୍ଷାରେ ପାଶ୍ କରିପାରୁ ନାହିଁ ।
ବର୍ତ୍ତମାନ ଉପକୂଳ ଜିଲ୍ଲାଗୁଡିକରେ ମଣ୍ଡିରେ ଧାନ ବିକ୍ରି ଆରମ୍ଭ ହୋଇଥିବାବେଳେ ଚାଷୀମାନେ ନିଜର ଧାନକୁ ନେଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଅଦିନିଆ ବର୍ଷାରେ ପ୍ରଭାବିତ ହୋଇଥିବା ଏହିସବୁ ଧାନ ମାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ କି ନାହିଁ ସେହି ଚିନ୍ତା ଘାରିଛି । ଯଦି ଧାନର ମାନ ଏଫଏକ୍ୟୁର ନହେବ ତେବେ ତାହାକୁ ମଣ୍ଡିରେ ବିକ୍ରିକରି ହେବନାହିଁ । ତେଣୁ ଧାନ ପରିବହନ ଖର୍ଚ୍ଚ ପାଣିରେ ପଡିବା ସହିତ ଏହି ଧାନକୁ ସରକାର କିଣିବେ କି ନାହିଁ ଓ ଯଦି କିଣିବେ ତେବେ କେତେ ଦରରେ କିଣିବେ ତାହା ସ୍ପଷ୍ଟ ହେଉନଥିବାରୁ ଚାଷୀମାନେ ଏବେ ଦୋଛକିରେ ରହିଛନ୍ତି ।
ଏହାର ସୁଯୋଗ ନେଇ ଏବେ ଗାଁ ଗାଁରେ ଧାନ ବେପାରୀମାନେ ସକ୍ରିୟ ହୋଇଛନ୍ତି । ବର୍ଷାମାଡ ଖିଆ ଧାନ ମାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା କାଠିକରପାଠ ବୋଲି ଚାଷୀଙ୍କୁ ବୁଝାଇବାରେ ଲାଗିଛନ୍ତି । ତେଣୁ ମଣ୍ଡିକୁ ନେଇ ହଲାପଟା ହେବା ଅପେକ୍ଷା ଦୁଆର ମୁହଁରେ ବିକ୍ରି କରିବାକୁ କହୁଛନ୍ତି । ଏଥିପାଇଁ କୁଇଣ୍ଟାଲ ପିଛା ୧୯୦୦ ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଦର ଲଗାଉଛନ୍ତି ।
ଚାଷୀମାନେ ଏହାକୁ ନେଇ ଦ୍ୱନ୍ଦରେ ପଡିଛନ୍ତି । କାରଣ ପୂର୍ବରୁ ଧାନର କୁଇଣ୍ଟାଲ ପ୍ରତି ସରକାରୀ ଦର ୨୩୦୦ ଟଙ୍କା ଥିବାବେଳେ ଚଳିତବର୍ଷ ରାଜ୍ୟ ସରକାର ଏଥି ସହିତ ଆଉ ୮୦୦ ଟଙ୍କାର ଇନ୍ପୁଟ୍ ସବସିଡ୍ ପ୍ରଦାନ କରୁଛନ୍ତି । ଫଳରେ ଯେଉଁ ଚାଷୀମାନଙ୍କ ଧାନ ମଣ୍ଡିରେ ବିକ୍ରି ହେବ ସେମାନେ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା କରି ପାଇବେ । ହେଲେ ଏଫ୍ଏକ୍ୟୁ ମାନର ଧାନ ନହେଲେ ତାହା ଖରିଦ କରାଯିବ ନାହିଁ ବୋଲି ବିଭିନ୍ନ ସମୟରେ ବିବୃତ୍ତି ଆସୁଥିବାରୁ ଚାଷୀମାନେ ଦ୍ୱନ୍ଦରେ ପଡିଛନ୍ତି ।
ପୂର୍ବରୁ କୁହାଯାଇଥିଲା ବର୍ଷାମାଡ ଖିଆ ଧାନ ସଂକ୍ରାନ୍ତରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ । ହେଲେ ଏ ନେଇ କୌଣସି ଲିଖିତ ନିର୍ଦ୍ଦେଶନାମା ନଥିବାରୁ ଅନେକ ଜିଲ୍ଲାରେ ଜିଲ୍ଲାପାଳମାନେ ଏ କ୍ଷେତ୍ରରେ ଏକ ପ୍ରକାର ନିରବ ରହୁଛନ୍ତି । ତେଣୁ ଏଫ୍ଏକ୍ୟୁ ପ୍ରମାଣିତ ନହେଲେ ସେହିସବୁ ଧାନକୁ କେତେ ଦରରେ କିଏ ଖରିଦ କରିବ ତାହା ସ୍ପଷ୍ଟ ହେଉନାହିଁ । ତେଣୁ ବହୁ ସ୍ଥାନରେ ରବି ଚାଷ ସହିତ ବ୍ୟାଙ୍କ୍ରେ ଋଣ ଓ ସୁଧ ଭାର ବଢୁଥିବାରୁ ଚାଷୀମାନେ ବେପାରୀଙ୍କ କଥାରେ ରାଜିହେବା ଅବସ୍ଥାକୁ ଆସିଗଲେଣି ।
ତେଣୁ ବର୍ଷାରେ ପ୍ରଭାବିତ ହୋଇଥିବା ଧାନ ଯଦି ଏଫ୍ଏକ୍ୟୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ନହୁଏ ତେବେ ତାହାକୁ ସରକାର କିଣିବେ କି ନାହିଁ ଓ ଯଦି କିଣିବେ କେତେ ଦରରେ କିଣିବେ ତାହା ସ୍ପଷ୍ଟ କରିବାପାଇଁ ଉପକୂଳ ଜିଲ୍ଲାର ବହୁ ଚାଷୀ ଦାବି କରିଛନ୍ତି । ଏହା ନହେଲେ ପୂର୍ବବର୍ଷ ଭଳି ଚାଷୀମାନେ କମ୍ ଦରରେ ବେପାରୀଙ୍କୁ ଧାନ ବିକିବାକୁ ବାଧ୍ୟହେବା ଏକ ପ୍ରକାର ଥୟ । (ତଥ୍ୟ)