Home Finance ଅର୍ଥ କମିଶନ ଗଠନ ପ୍ରକ୍ରିୟା ଆରମ୍ଭ

ଅର୍ଥ କମିଶନ ଗଠନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଅର୍ଥ କମିଶନ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଥିବାବେଳେ ରାଜ୍ୟ ଅର୍ଥ କମିଶନ ଗଠନ ପାଇଁ ଓଡ଼ିଶା ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଖୁବ୍‍ଶୀଘ୍ର ଓଡ଼ିଶା ଅର୍ଥ କମିଶନ ଗଠିତ ହେବାକୁ ଯାଉଥିବା ଜଣାପଡିଛି ।

୧୯୫୧ ମସିହାରେ କେନ୍ଦ୍ର ସରକାର କେସି ନିୟୋଗିଙ୍କ ଅଧ୍ୟକ୍ଷତାରେ ପ୍ରଥମ ଅର୍ଥ କମିଶନ ଗଠନ କରିଥିଲେ । ସାଧାରଣତଃ ଅର୍ଥ କମିଶନଙ୍କ କାର୍ଯ୍ୟକାଳ ୫ବର୍ଷ ପାଇଁ ରୁହେ । ଏବେ ଅରବିନ୍ଦ ପାନଗେରିଆଙ୍କ ଅଧ୍ୟକ୍ଷତାରେ ଭାରତ ସରକାରଙ୍କ ଅର୍ଥ କମିଶନ ଚାଲିଛି । ସାଧାରଣତଃ ବିଶିଷ୍ଟ ଅର୍ଥନୀତିଜ୍ଞ, ଯୋଜନା ବିଶାରଦ ଏବଂ ଅଭିଜ୍ଞ ରାଜନେତାମାନଙ୍କୁ ଅର୍ଥ କମିଶନ ଅଧ୍ୟକ୍ଷ କରାଯାଇଥାଏ । ନିୟୋଗିଙ୍କ ପରେ କେ. ସନ୍ଥନମ୍‍, ଏ.କେ. ଚନ୍ଦା, ପି.ଭି. ରାଜମନ୍ନାର୍‍, ମହାବୀର ତ୍ୟାଗୀ, କେ. ବ୍ରହ୍ମାନନ୍ଦ ରେଡ୍ଡୀ, ଜେ.ଏମ୍‍. ସେଲାଟ୍‍, ୱା.ବି. ଚୌହ୍ୱାନ, ଏମ.କେ.ପି. ସାଲ୍‍ଭେ, କେ.ସି. ପନ୍ଥ, ଏ.ଏମ. ଖୁସ୍ରୁ, ସି. ରଙ୍ଗରାଜନ୍‍, ଭି.ଏଲ୍‍. କେଲକାର, ୱାଇ.ଭି. ରେଡ୍ଡୀ, ଏନ୍‍.କେ. ସିଂହ ପ୍ରମୁଖ କେନ୍ଦ୍ରୀୟ ଅର୍ଥ କମିଶନର ଅଧ୍ୟ ଭାବେ ଦାୟିତ୍ୱ ତୁଲଇ ଆସିଛନ୍ତି । ଅରବିନ୍ଦ ପାନଗେରିଆ ଷୋଡ଼ଶ ଅର୍ଥ କମିଶନର ଏବେ ଅଧ୍ୟକ୍ଷ ଅଛନ୍ତି ।

ଓଡ଼ିଶାରେ ପ୍ରଥମ ଅର୍ଥ କମିଶନ ଜଷ୍ଟିସ୍‍ ଏସ.କେ. ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ବେଳେ ତ୍ରିଲୋଚନ କାନୁନ୍‍ଗୋ ଦ୍ୱିତୀୟ ଓଡ଼ିଶା ଅର୍ଥ କମିଶନର ଅଧ୍ୟକ୍ଷ ଥିଲେ । ବିଶିଷ୍ଟ ଅର୍ଥନୀତିଜ୍ଞ ସୁଧାକର ପଣ୍ଡାଙ୍କୁ ତୃତୀୟ, ଅବସରପ୍ରାପ୍ତ ଅଇଏଏସ୍‍ ଅଫିସର ଚିନ୍ମୟ ବସୁଙ୍କୁ ଚତୁର୍ଥ ଓ ରବି ନାରାୟଣ ସେନାପତିଙ୍କୁ ପଞ୍ଚମ ଅର୍ଥ କମିଶନ ଭାବେ ନିଯୁକ୍ତ କରାଯାଇଥିଲା । ଦୀର୍ଘବର୍ଷ ଧରି ଓଡ଼ିଶାରେ ଅର୍ଥ କମିଶନ କାମ କରୁନାହିଁ ।

ରବି ନାରାୟଣ ସେନାପତିଙ୍କ ଅଧ୍ୟକ୍ଷତାରେ ୨୦୧୮ ମସିହାରେ ଗଢ଼ାଯାଇଥିବା ଅର୍ଥ କମିଶନରେ ଉତ୍କଳ ବିଶ୍ୱବିଦ୍ୟାଳୟର ସେତେବେଳେର ବାଣିଜ୍ୟ ବିଭାଗର ପ୍ରଫେସର ସାମ୍‍ସନ ମହାରଣା, ଅବସରପ୍ରାପ୍ତ ଓଏଏସ୍‍ ଅଧିକାରୀ ସଂଜୀବ କୁମାର ମିଶ୍ର, ଜାଭିୟର ଇନ୍‍ଷ୍ଟିଚ୍ୟୁଟର ପ୍ରଫେସର ଅସିତ ମହାନ୍ତି ପ୍ରମୁଖ ସଦସ୍ୟ ଥିଲେ । ସେତେବେଳର ପଞ୍ଚାୟତି ରାଜ ବିଭାଗର ଶାସନ ସଚିବ ଡି.କେ. ସିଂହ ଏହି କମିଶନର ସଚିବ ଭାବେ କାର୍ଯ୍ୟ କରୁଥିଲେ ।

ରାଜ୍ୟ ଅର୍ଥ କମିଶନଙ୍କ ରିପୋର୍ଟ ଆଧାରରେ କେନ୍ଦ୍ରୀୟ ଅର୍ଥ କମିଶନ କେଉଁ ରାଜ୍ୟକୁ କେଉଁ ବାବଦରେ କେତେ ଅନୁଦାନ ଦିଆଯିବ ଏବଂ ରାଜ୍ୟ ଟିକସ ଅର୍ଥରୁ କେତେ ଭାଗ ପାଇବ ସେ ସଂକ୍ରାନ୍ତରେ ସୁପାରିସ କରିଥାନ୍ତି । ଏହି ଆଧାରରେ ରାଜ୍ୟର ସ୍ୱାୟତ୍ତ ଶାସନ ସଂସ୍ଥା ଓ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଆର୍ôଥକ ସହଯୋଗ ମିଳିଥାଏ । ଏହି ସଂସ୍ଥାଗୁଡ଼ିକର ଆର୍ôଥକ ସମୃଦ୍ଧି ଲାଗି ଅର୍ଥ କମିଶନଙ୍କ ଅନୁଧ୍ୟାନ ବିଶେଷ ଉପଯୋଗୀ ହୋଇଥାଏ । ତେଣୁ ଉଭୟ ଗ୍ରାମାଞ୍ଚଳ ଓ ନଗରାଞ୍ଚଳରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ ।

ରବି ନାରାୟଣ ସେନାପତିଙ୍କ ଅଧ୍ୟତାରେ ଗଠିତ ଓଡ଼ିଶା ଅର୍ଥ କମିଶନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଗତ ସରକାର ସମୟରେ ନୂଆ କମିଶନ ଗଢ଼ାଯାଇନଥିଲା । ଓଡ଼ିଶାରେ ବିଜେପି ସରକାର ଗଢ଼ାଯିବାର ୭ମାସ ବିତିଯାଇଥିଲେ ବି ରାଜ୍ୟର ନୂଆ ଅର୍ଥ କମିଶନ ଏଯାବତ୍‍ ଗଠନ କରାଯାଇ ନାହିଁ । କେନ୍ଦ୍ରୀୟ ଅର୍ଥ କମିଶନ ଚଳିତବର୍ଷ ଶେଷ ପୂର୍ବରୁ ତାଙ୍କର ଅନ୍ତରୀଣ ରିପୋର୍ଟ ଦେବା ସମ୍ଭାବନା ରହିଛି । ଏହା ପୂର୍ବରୁ ଓଡ଼ିଶା କେନ୍ଦ୍ରୀୟ କମିଶନଙ୍କୁ ସ୍ମାରକପତ୍ର ଓ ରିପୋର୍ଟ ମାଧ୍ୟମରେ ଠିକଣା ଭାବେ ଅବହିତ ନକରାଇଲେ ରାଜ୍ୟ ଆର୍ôଥକ ଦୃଷ୍ଟିରୁ କ୍ଷତିରେ ପଡ଼ିପାରେ ବୋଲି ଅର୍ଥନୀତି ବିଶାରଦମାନେ କହୁଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅର୍ଥ ବିଭାଗ ଦାୟିତ୍ୱରେ ଅଛନ୍ତି । ଏ ପରିପ୍ରେକ୍ଷୀରେ ନୂଆ ଓଡ଼ିଶା ଅର୍ଥ କମିଶନ ଗଠନ ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଚାଲୁଛି ଏବଂ ଖୁବ୍‍ଶୀଘ୍ର ବିଷୟ ବିଶେଷଜ୍ଞ ଓ ଅଭିଜ୍ଞ ବ୍ୟକ୍ତିବିଶେଷଙ୍କୁ ନେଇ ନୂଆ ଅର୍ଥ କମିଶନ ଗଠିତ ହେବାକୁ ଯାଉଛି ବୋଲି ସୂଚନା ମିଳୁଛି । (ତଥ୍ୟ)