ଭୁବନେଶ୍ୱର : ରାଜଧାନୀରେ ପୁଣି ବଞ୍ଜାରାମାନେ ବିଭିନ୍ନ ଛକ ସ୍ଥାନରେ ମାଳ ମାଳ ହୋଇ ଭିକ୍ଷାବୃତ୍ତି ଆରମ୍ଭ କରିଛନ୍ତି । ଏଥର ଅବଶ୍ୟ ସେମାନେ ସିଧାସଳଖ ଅର୍ଥ ମାଗିବା ବଦଳରେ ଗାଡି କାଚ ସଫା କରିବା, ଖେଳନା ବିକ୍ରି କରିବା ବାହାନାରେ ହାତ ପାତୁଥିବା ଲକ୍ଷ୍ୟ କରାଯାଇଛି ।
ସହରରୁ ଭିକାରୀ ହଟାଇବା ଯୋଜନା କାର୍ଯ୍ୟକାରୀ ପରେ ରାଜଧାନୀରେ ଆଉ ବିଭିନ୍ନ ଛକମାନଙ୍କରେ ଭିକ୍ଷାବୃତ୍ତି ପରିଲକ୍ଷିତ ହେଉନଥିଲା । ହେଲେ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରର କାର୍ଯ୍ୟକ୍ରମ ଆୟୋଜନ ସମୟରେ ରାଜ୍ୟ ବାହାର ଅଣଓଡିଆ ଲୋକେ ଛୋଟ ଛୋଟ ପିଲାଙ୍କୁ ଆଣି ବିଭିନ୍ନ ଛକ ସ୍ଥାନରେ ଭିକ୍ଷାବୃତ୍ତି କାର୍ଯ୍ୟରେ ନିୟୋଜିତ କରୁଥିବା ଦେଖିବାକୁ ମିଳୁଛି ।
ଏଭଳି କାର୍ଯ୍ୟରେ ବୟସ୍କ ମହିଳାମାନଙ୍କ ସହିତ ଏକାଧିକ ଛୋଟ ପିଲା ରହୁଛନ୍ତି । କିଛି ପିଲା ହାତରେ ଖେଳନା ଓ କଲମ ଭଳି ସାମଗ୍ରୀ ଧରି ବିକ୍ରି କରୁଥିବାବେଳେ ଆଉ କିଛି ପିଲା ସର୍ଫ ପାଣି ଓ ଗାଡିପୋଛା କପଡା ଧରି ଛିଡା ହେଉଛନ୍ତି । ଟ୍ରାଫିକ ପୋଷ୍ଟରେ ନାଲିବତୀ ଦେଖି କିମ୍ବା ପୁଲିସ୍ ଅଟକାଇଲେ ଗାଡି ରହିବାମାତ୍ରେ ଏମାନେ ଗାଡି ନିକଟକୁ ଆସି ସିଧାସଳଖ ଭାବେ ସର୍ଫ ପାଣି ମାରି ଗାଡି ପୋଛିବାରେ ଲାଗିଛନ୍ତି । ଲୋକେ ମନାକଲେ ମଧ୍ୟ ଜରଦସ୍ତ ଗାଡି ସଫା କରିବା ସହିତ ପଇସା ମାଗୁଛନ୍ତି ।
ସେହିଭଳି କୁନି କୁନି ପିଲାମାନେ ହାତରେ ବିଭିନ୍ନ କିସମର ଖେଳନା ଧରି ଗାଡି ଆଗକୁ ଆସି କିଣିବାପାଇଁ ଲୋକଙ୍କୁ ଅନୁରୋଧ କରୁଛନ୍ତି । ଯେଉଁମାନେ ସିଧାସଳଖ ମନା କରୁଛନ୍ତି ସେମାନଙ୍କୁ ନିଜର ଭୋକିଲା ପେଟ ଦେଖାଉଛନ୍ତି । ଅଧିକାଂଶ ପିଲାଙ୍କ ଦେହରେ ଛିଣ୍ଡା ଜାମାପଟା ଲକ୍ଷ୍ୟ କରାଯାଉଛି । ଅତ୍ୟନ୍ତ ଅପରିଷ୍କାର ଅପରିଚ୍ଛନ୍ନ ଭାବେ ଏହି ପିଲାମାନେ ଲୋକଙ୍କ ଆଗରେ ବିକଳ ହୋଇ ହାତ ପତାଉଛନ୍ତି ।
ତେବେ ରାଜଧାନୀର ଯେଉଁସବୁ ଛକରେ ଏହି କୁନି କୁନି ପିଲାମାନେ ଭିକ ମାଗୁଛନ୍ତି ସେଠରୁ କିଛି ଦୂରେ ରହି ମହିଳାମାନେ ଏମାନଙ୍କୁ ନିୟନ୍ତ୍ରଣ କରୁଛନ୍ତି । ପ୍ରତି ଛକରେ ପିଲାଙ୍କ ସହିତ ଅନ୍ୟୁନ ୩/୪ ଜଣ ମହିଳା ରହୁଥିବା ଲକ୍ଷ୍ୟ କରାଯାଉଛି । ପିଲାମାନେ କିଛି ପଇସା ପାଇଲାମାତ୍ରେ ଦଉଡିଯାଇ ମହିଳାଙ୍କୁ ଦେଇ ଦେଉଛନ୍ତି ନଚେତ୍ ମହିଳମାନେ ସେମାନଙ୍କ ନିକଟକୁ ଆସି ପଇସା ଛଡାଇ ନେଉଛନ୍ତି ।
ରାଜଧାନୀକୁ ଭିକାରୀମୁକ୍ତ କରିବାପାଇଁ ବିଏମ୍ସି ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଚଳାଇବା ସହିତ ସେମାନଙ୍କ ରହିବା, ଖାଇବା ଓ ତାଲିମ ପାଇଁ ବ୍ୟବସ୍ଥା ହୋଇଥିଲା । ପୁଲିସ୍ ମଧ୍ୟ ଭିକ ମାଗୁଥିବା ପିଲା ଓ ସେମାନଙ୍କ ଅଭିଭାବକଙ୍କୁ ଧରି ଏହିସବୁ କେନ୍ଦ୍ରରେ ଛାଡୁଥିଲା । ହେଲେ ଏବେ ସେହିସବୁ ବ୍ୟବସ୍ଥାରେ ପୂର୍ଣ୍ଣଛେଦ ପଡିବାପରେ ଏବେ ରାଜଧାନୀର ରାଜରାସ୍ତାରେ ପୁଣିଥରେ ଭିକ୍ଷାବୃତ୍ତିର ଦୃଶ୍ୟ ଦେଖିବାକୁ ମିଳୁଛି ।
ସବୁଠାରୁ ବଡକଥା ହେଲା ଯେଉଁସବୁ ସ୍ଥାନରେ ଏମାନେ ବିଭିନ୍ନ ଉପାୟରେ ହାତ ପାତୁଛନ୍ତି ସେହି ବାଟ ଦେଇ ନେତା ଓ ପ୍ରଶାସକମାନେ ଯାଉଥିବାବେଳେ ସେଠାରେ ଲାଗିଥିବା ସିସିଟିଭିରେ ବି ପୁଲିସ୍ କର୍ତ୍ତୃପକ୍ଷ ଏହାକୁ ଦେଖୁଛନ୍ତି । ହେଲେ କେହି କିଛି ପଦକ୍ଷେପ ନନେବାରୁ ରାଜ୍ୟ ବାହାରର ଏହି ବଞ୍ଜାରାମାନେ ଧିରେ ଧିରେ ରାଜଧାନୀର ଏକାଧିକ ଛକରେ ସେମାନଙ୍କର ଭିକ୍ଷାବୃତ୍ତିକୁ ସମ୍ପ୍ରସାରିତ କରିବାରେ ଲାଗିଛନ୍ତି । ନିକଟରେ ପ୍ରବାସୀ ଓଡିଆ କାର୍ଯ୍ୟକ୍ରମ ସରିଥିବାବେଳେ ଉତ୍କର୍ଷ ଓଡିଶା ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି । ଏଭଳି ଆର୍ନ୍ତଜାତୀୟ ସ୍ତରର କାର୍ଯ୍ୟକ୍ରମ ସମୟରେ ରାଜରାସ୍ତାରୁ ଏହି ବଞ୍ଜାରାମାନଙ୍କୁ ହଟାଇବା ଦିନରେ ବିଏମ୍ସି ଓ ପୁଲିସ୍ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଦାବି ହେଉଛି । (ତଥ୍ୟ)