Home Administration ଅଦାଲତ ଅବମାନନାକୁ ଏଡାଉ ନାହାନ୍ତି ବାବୁ

ଅଦାଲତ ଅବମାନନାକୁ ଏଡାଉ ନାହାନ୍ତି ବାବୁ

ଭୁବନେଶ୍ୱର : ଅଦାଲତ ଅବମାନନା ପ୍ରସଙ୍ଗକୁ ଏଡାଇବାପାଇଁ ରାୟର ତ୍ୱରିତ ଅନୁପାଳନ ଲାଗି ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ସାଧାରଣ ପ୍ରଶାସନ ବିଭାଗର ବାରମ୍ବାର ତାଗିଦା ସତ୍ୱେ ବହୁ କ୍ଷେତ୍ରରେ ତଳିଆ କର୍ମଚାରୀମାନେ ନଥି ଚାପ ରଖୁଥିବାରୁ ବରିଷ୍ଠ ଅଧିକାରୀମାନେ ହଇରାଣରେ ପଡୁଛନ୍ତି । ଏଥିଯୋଗୁଁ ଆଇନ୍‍ ଅଦାଲତରୁ ମିଳିଥିବା ନ୍ୟାୟ ବି ଆବେଦନକାରୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପାଉନଥିବା ଘେନି ଗୁରୁତର ଅଭିଯୋଗ ହେଉଛି ।

ଯେଉଁସବୁ ମାମଲାରେ ଆଇନ୍‍ ଅଦାଲତଙ୍କ ରାୟ ସ ଅନ୍ୟାନ୍ୟ ନିର୍ଦ୍ଦେଶ ପାଳନ କରିବାରେ ସମସ୍ୟା ରହିଛି ସେ ପ୍ରସଙ୍ଗରେ ତୁରନ୍ତ ଉପର ଅଦାଲତରେ ଅପିଲ କରିବାପାଇଁ ସାଧାରଣ ପ୍ରାଶସନ ବିଭାଗ ପକ୍ଷରୁ ସମସ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ହାଇକୋର୍ଟର ମୁଖ୍ୟ ବିଚାରପତି ମଧ୍ୟ ଅଦାଲତ ଅବାମାନନା ମାମଲାକୁ ଗୁରୁତ୍ୱର ସହ ନେଇ ଏ କ୍ଷେତ୍ରରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଲାଗି ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେବାପରେ ବିଭିନ୍ନ ବିଭାଗ ଓ ଦପ୍ତର ଏ ପ୍ରସଙ୍ଗରେ ପ୍ରତି ସପ୍ତାହରେ ସମୀକ୍ଷା କରିବାପାଇଁ କୁହାଯାଇଥିଲା । ରାଜ୍ୟ ସରକାର ମଧ୍ୟ ଅଦାଲତ ଅବମାନନା ମାମଲାଗୁଡିକର ସ୍ଥିତି ସଂକ୍ରାନ୍ତରେ ହାଇକୋର୍ଟଙ୍କୁ ନିୟମିତ ବ୍ୟବଧାନରେ ଜଣାଉଛନ୍ତି ।

ସରକାରୀ ସ୍ତରରେ ଏଭଳି ବ୍ୟବସ୍ଥା ହେବାପରେ ବିଭିନ୍ନ ବିଭାଗ ପକ୍ଷରୁ ନିର୍ଦ୍ଦିଷ୍ଟ ମାମଲାଗୁଡିକରେ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଉଥିଲେ ମଧ୍ୟ ବହୁ କ୍ଷେତ୍ରରେ ତଳିଆ କର୍ମଚାରୀମାନେ ଘଟଣାକୁ ମୋଡାମୋଡି କରିଦେବା ଫଳରେ ସମସ୍ୟା ସୁଧୁରିବା ପରିବର୍ତ୍ତେ ଜଟିଳ ହେଉଛି ।

ସ୍ୱାସ୍ଥ୍ୟ ବିଭାଗର କ୍ଷେତ୍ର କର୍ମଚାରୀଭାବେ କାର୍ଯ୍ୟ କରି ଅବସରଗ୍ରହଣ କରିଥିବା ଜଣେ ଅବିବାହିତା ଭିନ୍ନକ୍ଷମ ମହିଳା ନିୟମିତ ପେନ୍‍ସନ ପାଇଁ ପ୍ରାୟ ୧୨ବର୍ଷ ଧରି ବିଭିନ୍ନ ଦପ୍ତରକୁ ଦଉଡୁଛନ୍ତି । ଏ ପ୍ରସଙ୍ଗରେ ହାଇକୋର୍ଟ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ତିନିମାସ ଭିତରେ ଆବେଦନକାରିଣୀ ଜାନକୀ ଦାସଙ୍କ ପେନ୍‍ସନ ବ୍ୟାପାରର ପୂଣ୍ଣଛେଦ ପକାଇବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ କ୍ଷେତ୍ର ଦପ୍ତରର ତଳିଆ କର୍ମଚାରୀମାନେ ନଥି ପକାଇ ରଖିଥିବାରୁ ପ୍ରାୟ ବର୍ଷେ ଧରି ଅଦାଲତଙ୍କ ନିର୍ଦ୍ଦେଶର ଅନୁପାଳନ ହୋଇପାରୁନଥିବା ଘେନି ଗୁରୁତର ଅଭିଯୋଗ ହୋଇଛି ।

ଏ ସଂକ୍ରାନ୍ତରେ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦପ୍ତର, ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କର୍ତ୍ତୃପକ୍ଷଙ୍କ ଆଡକୁ ଇଙ୍ଗିତ କରୁଥିବାବେଳେ ମେଡିକାଲ କଲେଜର କର୍ମକର୍ତ୍ତା ବିବିଭାଗୀୟ ମୁଖ୍ୟ ନିର୍ଦ୍ଦେଶାଳୟ ଓ ସ୍ୱାସ୍ଥ୍ୟ ବିଭାଗ ଆଡକୁ ଆଙ୍ଗୁଠି ଦେଖାଉଛନ୍ତି । ଏ ପରିସ୍ଥିତିରେ ପ୍ରାୟ ୭୦ବର୍ଷର ବୁଢୀ ଜାନକୀ ଦାସ ତାଙ୍କ ଜୀବଦଶାରେ ନିୟମିତ ପେନ୍‍ସନ ପାଇପାରିବେ କି ନାହାିଁ ସେଥିଘେନି ସନ୍ଦେହବ୍ୟକ୍ତ କରିଛନ୍ତି ।

ଅନ୍ୟଏକ ମାମଲାରେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୁଖ୍ୟ ଶାସନ ସଚିବ ପକ୍ଷଭୁକ୍ତ ଥିବା ଏକ ମାମଲାର ରାୟକୁ କାର୍ଯ୍ୟକାରୀ କରିବାପାଇଁ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ଚିଠି ଲେଖିଥିବାବେଳେ ରାୟର ଅନୁପାଳନ କରିବା ତ ଦୂରରକଥା ତଳିଆ ଅଧିକାରୀମାନେ ରାଜସ୍ୱ ବିଭାଗରୁ ଏହି ଆଦେଶ ଅନୁପାଳନ ଘେନି ସ୍ପଷ୍ଟିକରଣ ଲୋଡି ହାତବାନ୍ଧି ବସିପଡିଛନ୍ତି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗରେ ମାଳ ମାଳ ମାମଲା ସହ ଦିନକୁ ଦିନ ଅଦାଲତ ଅବାମନନା ମୋକଦ୍ଦମାର ସଂଖ୍ୟା ବଢୁଛି । ଏବେ ଓଡିଶା ହାଇକୋର୍ଟରେ ପ୍ରାୟ ୧୨ହଜାର ପାଖାପାଖି ଅଦାଲତ ଅବମାନନା ମାମଲା ପଡି ରହିଛି ଯେଉଁଥିରୁ ଅଧିକାଂଶରେ ବରିଷ୍ଠ ସରକାରୀ ଅଧିକାରୀମାନେଙ୍କୁ ବ୍ୟକ୍ତିଗତ ଭାବେ ପକ୍ଷଭୁକ୍ତ କରାଯାଉଛି । ଏହାର ସରଳ ସମାଧାନ ପାଇଁ ସଚିବାଳୟରେ ଏକ ସ୍ୱତନ୍ତ୍ର ସେଲ୍‍ ପ୍ରତିଷ୍ଠା ଲାଗି ବରିଷ୍ଠ ଅଧିକାରୀମାନେ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)