ଭୁବନେଶ୍ୱର : ସାମାନ୍ୟ ବିଜୁଳି ବିଲ୍ ବାକି ରହିଲେ ଗ୍ରାହକଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ପାଇଁ ଦଳ ବଳ ଧରି ପହଞ୍ଚିଯାଉଥିବା ବିତରଣ କମ୍ପାନୀଗୁଡିକ ଉପରେ ଗ୍ରିଡକୋର କୋଟି କୋଟି ଟଙ୍କା ବାକିଆ ଗଡୁଛି । ଏହି ପରିମାଣ ସାଢେ ୬ହଜାର କୋଟି ଟଙ୍କାରୁ ଅଧିକ ହୋଇଥିବାବେଳେ ବିତରଣକମ୍ପାନୀମାନେ ଏହାକୁ ଧିରେସୁସ୍ଥେ ପଇଠ କରୁଛନ୍ତି ।
ରାଜ୍ୟରେ ବିଦ୍ୟୁତ୍ ବିତରଣ କମ୍ପାନୀଗୁଡିକ ଗ୍ରିଡକୋ ଠାରୁ ବିଜୁଳି ଖରିଦ କରି ତାହାକୁ ଗ୍ରାହକମାନଙ୍କ ଘରେ ପହଞ୍ଚାଇଥାନ୍ତି । ଏହି ଗ୍ରାହକଙ୍କ ମଧ୍ୟରେ ଘରୋଇ ଉପଭୋକ୍ତାଙ୍କ ଠାରୁ ଆରମ୍ଭ କରି ଶିଳ୍ପସଂସ୍ଥା, କୃଷିଶିଳ୍ପ ଆଦି ରହିଛନ୍ତି । ତେବେ ଗ୍ରାହକମାନଙ୍କ ଠାରୁ ନାଲି ଆଖି ଦେଖାଇବା ସହିତ ବିଭିନ୍ନ ମିଟର ଲଗାଇ ଠିକଣା ସମୟରେ ଅର୍ଥ ଆଦାୟ କରୁଥିବା ବିତରଣ କମ୍ପାନୀଗୁଡିକ ଗ୍ରିଡ୍କୋର ଅର୍ଥ ପଇଠ କରୁନାହାନ୍ତି ।
ବର୍ତ୍ତମାନ ରାଜ୍ୟରେ ବିଦ୍ୟୁତ୍ ବଣ୍ଟନ ଦାୟିତ୍ୱରେ ଟାଟା ପାୱାରର ୪ଟି ସଂସ୍ଥା ଥିବାବେଳେ ପୂର୍ବରୁ ଏହି ଦାୟିତ୍ୱ ସେସୁ, ନେସ୍କୋ, ୱେସ୍କୋ ଓ ସାଉଥ୍କୋ ହାତରେ ଥିଲା । ତେବେ ମିଳିଥିବା ସୂଚନା ଅନୁଯାୟୀ ଗତବର୍ଷ ଶେଷ ସୁଦ୍ଧା ବିଦ୍ୟୁତ୍ ବିତରଣ କମ୍ପାନୀଗୁଡିକ ଉପରେ ଗ୍ରିଡକୋର ବାକିଆ ୬୫୮୭ କୋଟି ଟଙ୍କା ରହିଥିଲା । ସର୍ବାଧିକ ବାକି ଗଡୁଛି ପୂର୍ବର ସେସୁ ତଥା ବର୍ତ୍ତମାନର ଟିପିସିଓଡିଏଲ୍ ଉପରେ । ଏହା ଉପରେ ବକେୟା ଦେୟ ଓ ସରଚାର୍ଜ ମିଶି ୨୬୫୧ କୋଟି ଟଙ୍କାକୁ ଟପିଗଲାଣି ।
ସେହିଭଳି ସେତେବେଳର ନେସ୍କୋ ଉପରେ ୯୫୮ କୋଟି ଟଙ୍କାର ବାକି ଥିବାବଳେ ୱେସ୍କୋ ଉପରେ ୧୬୭୭ କେଟି ଏବଂ ସାଉଥ୍କୋ ଉପରେ ୧୩୦୦ କୋଟି ଟଙ୍କା ରହିଛି । ତେବେ ବାକିଆ ଅର୍ଥକୁ ବିଳମ୍ବ ଲାଗୁଥିବା ସରଚାର୍ଜ ପରିମାଣ ଟପି ଗଲାଣି ।
ତେବେ ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗର ଗାଇଡ୍ଲାଇନ୍ ଅନୁଯାୟୀ ବର୍ତ୍ତମାନ ବିଦ୍ୟୁତ୍ ବିତରଣ ଦାୟିତ୍ୱରେ ଥିବା ଟାଟା ଅଧିକୃତ କମ୍ପାନୀମାନେ ପୂର୍ବବର୍ତ୍ତୀ ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କ ସମୟର ବକେୟା ବିଦ୍ୟୁତ୍ ଆଦାୟ କରି ଗ୍ରିଡକୋକୁ ତାହାର ଦେୟ ପ୍ରଦାନ କରୁଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ ଏହି ବକେୟା ଆଦାୟ ପରିମାଣ ଅତ୍ୟନ୍ତ ମନ୍ଥର ହେବା ସହିତ ଅଦାଲତରେ ମାଲି ମୋକଦ୍ଦମା ଥିବାରୁ ଠିକଣା ଭାବେ ଗ୍ରିଡକୋକୁ ବାକିଆ ଅର୍ଥ ପଇଠ କରାଯାଇ ପାରୁନାହିଁ । ଯାହା ଫଳରେ ବିଳମ୍ବ ଜନିତ ସରଚାର୍ଜ ଅର୍ଥ ପରିମାଣ ବଢି ଚାଲିଛି ।
ଅନ୍ୟ ପକ୍ଷରେ ଗ୍ରିଡକୋ ଉପରେ ଆର୍ଥିକ ବୋଝ ବଢି ଚାଲିଥିବାରୁ ଋଣ ପାଇଁ ଗ୍ରିଡ୍କୋ ସରକାରଙ୍କ ଅନୁମତି ଲୋଡୁଥିବାବେଳେ ମିଳିତ ଭାବେ ବିଦ୍ୟୁତ୍ ବିଲ୍ ବୃଦ୍ଧି ପାଇଁ ମଧ୍ୟ ଓଇଆରସିର ଦ୍ୱାରସ୍ଥ ହେଉଛନ୍ତି । ତେଣୁ ବିତରଣ କମ୍ପାନୀମାନେ କାହିଁକି ଗ୍ରିଡ୍କୋକୁ ତାହାର ଅର୍ଥ ଠିକଣା ସମୟରେ ପରିଶୋଧ କରୁନାହାନ୍ତି ସେ ସଂକ୍ରାନ୍ତରେ ଅନୁଧ୍ୟାନ କରାଯିବା ସହିତ ଓଇଆରସି କଡା ପଦକ୍ଷେପ ନେବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)