ଭୁବନେଶ୍ୱର : କେବଳ କଣାସ ଅଞ୍ଚଳ ନୁହେଁ, ଦୟାନଦୀ ପ୍ରବାହିତ ହୋଇଥିବା ବାଟରେ ଯେତେସବୁ ଗାଁ ରହିଛି ସେସବୁରେ ଭୂତଳ ଜଳସ୍ତର ଅତି ମାତ୍ରାରେ ଖରାପ ସ୍ଥିତିକୁ ଆସିଲାଣି । ପରିବେଶ ବିଶେଷଜ୍ଞମାନେ କହୁଛନ୍ତି ଯେ ରାଜଧାନୀ ଭୁବନେଶ୍ୱରରୁ ନିର୍ଗତ ହେଉଥିବା ନାଳ ନର୍ଦ୍ଦମା ପାଣି ସମେତ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ଯୋଗୁଁ ଗଙ୍ଗୁଆ ଓ ଦୟାର ଜଳ ଅତି ମାତ୍ରାରେ ବିଷାକ୍ତ ହୋଇଛି ।
ପ୍ରାୟ ୩୦ବର୍ଷ ଧରି ଦୟା ଓ ଗଙ୍ଗୁଆକୁ ପ୍ରଦୂଷମୁକ୍ତ କରିବାପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବାରମ୍ବାର କୁହାଯାଉଛି । ଏମିତିକି ୧୦ବର୍ଷ ତଳୁ ବିଭାଗୀୟ ମନ୍ତ୍ରୀମାନେ ବିଧାନସଭା ଭିତରେ ଓ ବାହାରେ ଦୟାନଦୀର ଜଳ ବ୍ୟବହାର ଉପଯୋଗୀ ନୁହେଁ ବୋଲି ଗବେଷଣାଲବ୍ଧ ତଥ୍ୟ ଆଧାରରେ ଘୋଷଣା କରିଛନ୍ତି । ଏହା ସତ୍ୱେ ବି ଲୋକେ ଏହି ନଦୀଜଳ ବ୍ୟବହାର କରିବାକୁ ବାଧ୍ୟ ।
ଭୁବନେଶ୍ୱର ଉପକଣ୍ଠ ସାମନ୍ତରାପୁର ଠାରୁ ଦାଣ୍ଡିପାଞ୍ଚଗାଁ ଦେଇ ଜଟଣୀ ପିପିଲି ରାସ୍ତାରେ ଥିବା କଣ୍ଟି, କାଜ ପର୍ଯ୍ୟନ୍ତ ଗଙ୍ଗୁଆ ନଦୀର ଜଳ ବିଷାକ୍ତ ହୋଇସାରିଛି । ଗୋଟିଏ ସମୟରେ ଗଙ୍ଗୁଆର ସ୍ୱଚ୍ଛ ପାଣିକୁ ଲୋକେ ପାନୀୟଜଳ ଭାବେ ବ୍ୟବହାର କରୁଥିଲେ ଏବଂ ଏହି ନଦୀରେ ଭଲ ମାଛ ବି ମିଳୁଥିଲେ । ଏହାର ଜଳକୁ ବ୍ୟବହାର କରି ଚାଷୀମାନେ ବି ଭଲ ଫସଲ ଉତ୍ପାଦନ କରୁଥିଲେ । କିନ୍ତୁ ଏବେ ଗଙ୍ଗୁଆର ପାଣି ବିଷାକ୍ତ ହୋଇଯାଇଥିବାରୁ ଏଥିରେ ମାଛ ବଞ୍ଚୁ ନାହାନ୍ତି । ସିଧାସଳଖ ଭାବେ ରାଜଧାନୀର ପାଇଖାନା ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ଗଙ୍ଗୁଆରେ ମିଶୁଛି ।
ଗଙ୍ଗୁଆ ନଦୀ ପାରହୋଇ ଯେଉଁମାନେ ବିଲକାମ କରିବାକୁ ଯାଉଛନ୍ତି ସେମାନଙ୍କର ଚର୍ମରୋଗ ହେବା ଏକ ସାଧାରଣ କଥାରେ ପଡିଗଲାଣି । ଗଙ୍ଗୁଆରେ ଆଉ ଏବେ କେହି ଲୋକେ ଗାଧଉ ନାହାନ୍ତି । ଗଙ୍ଗୁଆର ପାଣି କଣ୍ଟି, କାଜ ନିକଟରେ ଦୟାରେ ମିଶୁଛି । ଦୟା ଓ ତାହାର ଶାଖାନଦୀଗୁଡିକ ଚିଲିକା ହ୍ରଦରେ ପଡିଛନ୍ତି । ଦୟାର ପାଣି ଅତି ମାତ୍ରାରେ ପ୍ରଦୂଷିତ ହୋଇଯାଇଥିବାରୁ ଚିଲିକାର ପରିବେଶ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡୁଛି ।
ଏବେ ସରକାରଙ୍କ ପକ୍ଷରୁ କଣାସ ଅଞ୍ଚଳରେ ଗାଁ ଗାଁ ବୁଲି ଟ୍ୟାଙ୍କର ଯୋଗେ ପାଣି ଯୋଗାଯାଉଛି ଏବଂ ଏହି ପାଣିରେ ହାଲୋଜେନ୍ ବଟିକା ମିଶାଇ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି । ଇତି ମଧ୍ୟରେ ବିଷାକ୍ତ ପାନୀୟଜଳ ଯୋଗୁଁ କଣାସ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିବା ସହିତ ଅନ୍ୟୁନ ୨ଜଣଙ୍କ ମୃତ୍ୟୁ ଘଟିଲାଣି ଏବଂ ଆହୁରି ଅନେକ ଲୋକ ଘରେ ଓ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ସେ ଅଞ୍ଚଳର ଲୋକେ ଅଭିଯୋଗ କରୁଛନ୍ତି ଯେ ଅଧିକାଂଶ ସ୍ଥାନରେ କୂଅ ଓ ନଳକୂପ ଗୁଡିକର ପାଣି ମଧ୍ୟ ପ୍ରଦୂଷଣମୁକ୍ତ ନୁହେଁ । ବିଶେଷକରି ନଦୀରେ ପ୍ରବାହିତ ପ୍ରଦୂଷିତ ଜଳ ଯୋଗୁଁ ଭୂତଳ ଜଳସମ୍ପଦ ମଧ୍ୟ ପ୍ରଦୂଷିତ ହେବାରେ ଲାଗିଛି । ଏ ପରିପ୍ରେକ୍ଷୀରେ ତଳ ଅଞ୍ଚଳର ଲୋକମାନଙ୍କ ସ୍ୱାସ୍ଥ୍ୟ ଓ ସ୍ୱାର୍ଥରକ୍ଷା ପାଇଁ ତୁରନ୍ତ ଉପର ମୁଣ୍ଡରୁ ଗଙ୍ଗୁଆ ଓ ଦୟା ନଦୀକୁ ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ କରିବାପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ରମ ହାତକୁ ନେବାକୁ ପରିବେଶ ବିଶେଷଜ୍ଞମାନେ ମତ ଦେଉଛନ୍ତି । ଏହା କରାନଗଲେ କିଛି ବର୍ଷ ମଧ୍ୟରେ ଚିଲିକାର ମାଛ, ଚିଙ୍ଗୁଡି, କଙ୍କଡା ସମେତ ଏଠାକୁ ଆସୁଥିବା ଦେଶ ବିଦେଶର ପକ୍ଷୀମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡିବା ସଂଗେ ସଂଗେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଓ ଜୀବିକା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିବ ।
ଏଠାରେ ଉଲ୍ଲେଖନୀୟ ଯେ ସରକାରୀ ତଥ୍ୟ ମୁତାବକ ଓଡିଶାରେ ପ୍ରବାହିତ କୌଣସି ଗୋଟିଏ ହେଲେ ନଦୀର ଜଳ ପାୀନୟ ଉପଯୋଗୀ ତ ଦୂରରକଥା ପ୍ରଦୂଷଣମୁକ୍ତ ନୁହେଁ । (ତଥ୍ୟ)