Home Judiciary ଦେଶର ମୋଟ୍‍ ଅପରାଧରେ ଓଡିଶାର ୪ ପ୍ରତିଶତ

ଦେଶର ମୋଟ୍‍ ଅପରାଧରେ ଓଡିଶାର ୪ ପ୍ରତିଶତ

ଭୁବନେଶ୍ୱର : ସାରା ଦେଶରେ ଯେତେ ଅପରାଧ ଘଟୁଛି ତାହାର ପାଖାପାଖି ୪ ପ୍ରତିଶତ ଓଡିଶାରେ ସଂଗଠିତ ହେଉଛି । ତେବେ ଉତ୍ତରପ୍ରଦେଶ, କେରଳ, ମହାରାଷ୍ଟ୍ର, ଦିଲ୍ଲୀ ଓ ବିହାର ଭଳି ରାଜ୍ୟରେ ଅପରାଧର ହାର ଢେର ଅଧିକ ରହୁଛି ।

ଓଡିଶାରେ ଚୋରି ଡକାୟତି ଭଳି ଅପରାଧର ମାତ୍ରା ଅଧିକ ରହୁଥିବାବେଳେ ଏବେ ନିଶା ସାମଗ୍ରୀର ବହୁଳ ବ୍ୟବହାର ରାଜ୍ୟପାଇଁ ବଡ ଆହ୍ୱାନ ପାଲଟିଛି । ଦେଶର ସର୍ବଶେଷ ଅପରାଧ ହାର ରିପୋର୍ଟରେ ଏକଥା ଉଲ୍ଲେଖ କରାଯାଇଛି ଯେ ମଦ ଓ ଅନ୍ୟାନ୍ୟ ନିଶାର ପ୍ରସାର ଯୋଗୁଁ ଓଡିଶାର ବହୁ ଯୁବକ ନିଶାଡି ହୋଇଯାଉଛନ୍ତି । ଏହା ଏକ ବଡ ଆହ୍ୱାନ ଭାବେ ଉଭା ହୋଇଛି ।

ପୂର୍ବରୁ ଅପରାଧିକ ମାମଲାରେ ଦଣ୍ଡବିଧାନ ହାର ଓଡିଶାରେ ଢେର କମ୍‍ ରହୁଥିବାବେଳେ ଗତ ୨/୩ ବର୍ଷ ଭିତରେ ଏଥିରେ କିଛିଟା ସୁଧାର ଆସିଥିବା ରାଜ୍ୟ ସରକାରଙ୍କ ସୂଚନାରୁ ଜଣାପଡୁଛି । ଜାତୀୟ କ୍ରାଇମ୍‍ ରେକର୍ଡ ବ୍ୟୁରୋର ତଥ୍ୟ ମୁତାବକ ସେତେବେଳର ଭାରତୀୟ ଦଣ୍ଡବିଧି ଆଇନ୍‍ର ବିଭିନ୍ନ ଦଫାରେ ରୁଜୁ ହେଉଥିବା ଅପରାଧିକ ମାମଲାଗୁଡିକରେ ୨୦୦୭ ମସିହାରେ ଦଣ୍ଡବିଧାନ ହାର ମାତ୍ର ୫.୭ ପ୍ରତିଶତ ଥିଲା । ୨୦୧୬ରେ ଏହି ହାର ୧୦.୪ ପ୍ରତିଶତ ଥିବାବେଳେ ୫ବର୍ଷ ଭିତରେ ପ୍ରାୟ ଅଧା କମିଯିବା ଉଦ୍‍ବେଗ ସୃଷ୍ଟି କରିଥିଲା । ଯେଉଁବର୍ଷ ଆଇପିସି ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ୫.୭ ପ୍ରତିଶତ ଥିଲା ସେହିବର୍ଷରେ ସର୍ବଭାରତୀୟ ସ୍ତରରେ ଦଣ୍ଡବିଧାନ ହାର ୫୭ ପ୍ରତିଶତ ରେକର୍ଡ ହୋଇଥିଲା ।

ତେବେ ୨୦୨୨ ବର୍ଷରେ ଆଇପିସି ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ୧୧.୯ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ୨୦୨୩ରେ ଏହା ୨୯.୩୯ ପ୍ରତିଶତରେ ପହଞ୍ଚିଥିବା କୁହାଯାଉଛି ।

ସରକାରୀ ରିପୋର୍ଟ ମୁତାବକ ଅପରାଧିକ ମାମଲାରେ ଓଡିଶାରେ ଫଏସଲା ହାର ୬ ପ୍ରତିଶତରୁ କମ୍‍ ରହୁଛି ।୨୦୨୩ ଡିସେମ୍ବର ମାସରେ ପ୍ରକାଶ ପାଇଥିବା ଏନସିଆରବି ରିପୋର୍ଟର ତଥ୍ୟ ମୁତାବକ ଆଇପିସି ମାମଲାରେ ଫଏସଲା ହାର ୩.୨ ପ୍ରତିଶତ ଥିବାବେଳେ ଆର୍ଥିକ ଅପରାଧ ମାମଲାରେ ୧.୨ ପ୍ରତିଶତ ଓ ଭିଜିଲାନ୍ସ ମାମଲାରେ ୬.୪ ପ୍ରତିଶତ ମୋକଦ୍ଦମା ଫଏସଲା ହୋଇଥିଲା । ସେହିପରି ଉକ୍ତବର୍ଷରେ ମହିଳାମାନଙ୍କ ପ୍ରତି ଅପରାଧିକ ମାମଲାର ଫଏସଲା ହାର ମାତ୍ର ୪.୨ ପ୍ରତିଶତ ଥିବାବେଳେ ଶିଶୁମାନଙ୍କ ପ୍ରତି ଘଟିଥିବା ଅପରାଧିକ ମାମଲାରେ ଓଡିଶାରେ ଫଏସଲା ହାର ୪.୪ ପ୍ରତିଶତ ରହିଥିଲା ।

ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କ ପ୍ରତି ଘଟୁଥିବା ଅପରାଧିିକ ମାମଲାରେ ଉକ୍ତ ରିପୋର୍ଟ ମୁତାବକ ଫଏସଲା ହାର ୨ପ୍ରତିଶତରୁ କମ୍‍ ରହୁଛି । ସେହିଭଳି ସାଇବର କ୍ରାଇମ୍‍ ବଢି ଚାଲିଥିବାବେଳେ ଏ କ୍ଷେତ୍ରରେ ମଧ୍ୟ ମାମଲା ଫଏସଲା ହାର ୨ପ୍ରତିଶତରୁ କମ୍‍ ରହିବା ଚିନ୍ତାର କାରଣ ହୋଇଛି ।

ଏବେ ରାଜ୍ୟରେ ୨୦ଲକ୍ଷରୁ ଅଧିକ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିରୁ ପ୍ରୟ ୧୪ଲକ୍ଷ ହେଉଛି ଅପରାଧିକ ମାମଲା । ବିଚାର ପ୍ରତୀକ୍ଷାରେ ଥିବା ମାମଲାଗୁଡିକ ମଧ୍ୟରୁ ଅନେକ ୨୦ବର୍ଷରୁ ଅଧିକ ସମୟ ଧରି ଗଡୁଛନ୍ତି । ୫ବର୍ଷରୁ ପୁରୁଣା ମାମଲାଗୁଡିକର ସଂଖ୍ୟା କମାଇବା ପାଇଁ ରାଜ୍ୟ ସରକାର ଯେଉଁ ମାମଲା ନୀତି ପ୍ରଣୟନ କରିଥିଲେ ତାହା ୧୪ବର୍ଷ ଭିତରେ ବିଶେଷ ଫଳପ୍ରଦ ହୋଇନାହିଁ । ଏବେ ବି ଆଇନ୍‍ଅଦାଲତ ଗୁଡିକରେ ୨୦୦୦ ମସିହା ପୂର୍ବରୁ ବିଚାର ପ୍ରତୀ୪କ୍ଷାରେ ଥିବା ହଜାର ହଜାର ମାମଲା ଗଡୁଛି । (ତଥ୍ୟ)