ଭୁବନେଶ୍ୱର : ରାଜଧାନୀରେ ମଶାଙ୍କ କାମୁଡା ଏବେ ନିୟନ୍ତ୍ରଣ ବାହାରେ । ସହର ସାରା ମଶା ଭଣ ଭଣ ହେଉଥିବାବେଳେ ଦିନ ରାତି ଲୋକଙ୍କୁ କାମୁଡି ଗୋଡାଉଛନ୍ତି । ମଶାଙ୍କ ପାଇଁ ସହରରେ ମଶା ଘଉଡାବା ମଶାଧୂପ ଓ ମଶା ମାରିବାପାଇଁ ଇଲେକ୍ଟ୍ରି ରାକେଟର ବିକ୍ରି ଆଶାତୀତ ଭାବେ ବୃଦ୍ଧି ପାଇଛି ।
ପ୍ରବାସୀ ଓଡିଶା ଦିବସ ଓ ଅଳ୍ପ କିଛିଦିନ ପରେ ଆୟୋଜିତ ହେବାକୁ ଯାଉଥିବା ଉତ୍କର୍ଷ ଓଡିଶା ପାଇଁ ରାଜଧାନୀ ସଜେଇ ହୋଇଥିବାବେଳେ ଏହା ସହିତ ତାଳ ଦେଇ ମଶାବଂଶ ବୃଦ୍ଧି ପାଇଛି । ମଶାମାନେ ଏବେ ରାତି ହେଉ କି ଦିନ ଲୋକଙ୍କୁ କାମୁଡିବାରେ ଲାଗିଛନ୍ତି । ରାଜଧାନୀବାସୀଙ୍କ ସହିତ ରାଜ୍ୟ ଓ ଦେଶ ବାହାରୁ ଆସୁଥିବା ଅତିଥି ବି ମଶା କାମୁଡାରେ ଅତିଷ୍ଠ ।
ସହରରେ ମଶା ନିୟନ୍ତ୍ରଣ ଦାୟିତ୍ୱ ଭୁବନେଶ୍ୱର ମହାନଗର ନିଗମର । ଏଥିପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରୁ ଆରମ୍ଭକରି ଫାଇଲେରିଆ ନିୟନ୍ତ୍ରଣ ଅଧିକାରୀ ରହିଛନ୍ତି । ମଶା ତେଲ ସିଞ୍ଚନ ଠାରୁ ମଶା ଧୂଆଁ ଛଡା ଯାଉଥିବା କୁହାଯାଉଛି । ହେଲେ ମଶାଙ୍କୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆସିଥିବାବେଳେ ମଶାଙ୍କୁ ଘଉଡାଇବାପାଇଁ ରାଜଭବନ ଚାରିପଟେ ଦୁଇ ବେଳା ମଶା ଧୂଆଁ ଛଡାଯାଇ କୌଣସି ପ୍ରକାରେ ନିୟନ୍ତ୍ରଣ କରାଯାଇଥିଲା । ସହରର କିଛି ଭିଭିଆଇପି ଓ ଭିଆଇପି ଅଞ୍ଚଳରେ ବି ମଶାଧୂଆଁ ଗାଡି ବୁଲୁଛି । ହେଲେ ଏହି ଧୂଆଁରେ ମଶାମାନେ ନିଷ୍କ୍ରିୟ ହେବା ବଦଳରେ ସକ୍ରିୟ ହୋଇ ଲୋକଙ୍କ ଘରେ ପଶିଯାଉଛନ୍ତି ।
ମଶାବଂଶ ବିସ୍ତାର କରୁଥିବା ସନ୍ତସନ୍ତିଆ ସ୍ଥାନରେ ବିଏମ୍ସି ପକ୍ଷରୁ ଲାର୍ଭା ମାରିବାପାଇଁ ବିଷାକ୍ତ ତେଲ ସିଞ୍ଚନ କରାଯାଉଛି । ହେଲେ ଏହା ବି ମଶାବଂଶ ବୃଦ୍ଧିକୁ କାବୁ କରିପାରୁ ନାହିଁ । ସହରର ଅନ୍ୟ ଅଞ୍ଚଳ ତ ଦୂରରକଥା ଲୋକସେବାଭବନ, ରାଜଭବନ, ବିଧାନସଭା, ପୁଲିସ୍ କମିଶନରେଟ, ବିଏମ୍ସି ମୁଖ୍ୟାଳୟ ଆଦି ଅଞ୍ଚଳରେ ଭଣ ଭଣ ମଶା ଲୋକଙ୍କୁ କାମୁଡି ଗୋଡାଉଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ସଞ୍ଜ ହେଲେ ଲୋକଙ୍କ ତାଟିକବାଟ ପଡିବା ସ୍ଥିତି ଉପୁଜିଲାଣି । ମଶାଙ୍କ ଡରରେ ଲୋକେ ଘରର ଝରକା କବାଟ ଖୋଲୁ ନାହାନ୍ତି ।
ତେବେ ମଶାବଂଶ ବୃଦ୍ଧି କିନ୍ତୁ ମଶାଧୂପ ଓ ଇଲେକ୍ଟ୍ରିକ ରାକେଟ୍ ବ୍ୟବସାୟକୁ ବଢାଇ ଦେଇଛି । ମଶା ମରା ରାକେଟର ଦର ବୃଦ୍ଧି ସହିତ ଚାଇନା ତିଆରି ରାକେଟର ବହୁଳ ବିକ୍ରି ହେଉଥିବା ବ୍ୟବସାୟୀମାନେ ମତ ଦେଉଛନ୍ତି । ସେହିଭଳି ମଶା ଘଉଡାପାଇଁ ବଜାରକୁ ନୂଆ ନୂଆ ଧୂପକାଠି ଆସିବା ଭଲ ବ୍ୟବସାୟ ବି ହେଉଛି ।
ଏତେ ସବୁ ସତ୍ୱେ ବିଏମ୍ସି ବେଫିକର ହେବା ସହିତ ମଶାଙ୍କ ଆଗରେ ଆତ୍ମସମର୍ପଣ କରିଦେବା ଭଳି ଲକ୍ଷ୍ୟ କରାଯାଉଛି । ପୂର୍ବରୁ ମଶାଙ୍କ ସାନ୍ଧ୍ରତା ଅଧିକ ହେଲେ ବିଏମସି ଯେଭଳି ତତ୍ପରତା ଦେଖାଇବା ସହିତ ଯୁଦ୍ଧକାଳୀନ ଭିତ୍ତିରେ ଏହା ମୁକାବିଲା କରିଥାଏ ତାହା କିନ୍ତୁ ଏଥର ଦେଖିବାକୁ ମିଳୁନାହିଁ । ବିଏମ୍ସିର ଅଧିକାରୀଙ୍କ ଠାରୁ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ମଶା କାମୁଡାରେ କଲବଲ ହେଉଥିଲେ ବି ମଶା ସଂକ୍ରାନ୍ତରେ କେହି ମୁହଁ ଖୋଲୁ ନାହାନ୍ତି । ରାଜଧାନୀରେ ଯଦି ମଶାଙ୍କୁ ଶୀଘ୍ର ନିୟନ୍ତ୍ରଣ କରାନଯାଏ ତେବେ ଏହା ଅନେକ ରୋଗକୁ ନିମନ୍ତ୍ରଣ କରିବ ବୋଲି ଚିକିତ୍ସକମାନେ ମତ ଦେଉଛନ୍ତି । (ତଥ୍ୟ)