Home News in Odia ଯାନ ବାହନ ତୁଳନାରେ ବଢୁନି ରାସ୍ତା

ଯାନ ବାହନ ତୁଳନାରେ ବଢୁନି ରାସ୍ତା

ଭୁବନେଶ୍ୱର : ରାଜଧାନୀରେ ବର୍ଷକୁ ବର୍ଷ ବିଭିନ୍ନ କିସମର ଯାନ ପଞ୍ଜିକରଣ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସେହି ଅନୁପାତରେ ପ୍ରମୁଖ ସଡକଗୁଡିକ କିନ୍ତୁ ସମ୍ପ୍ରସାରିତ ହେଉନାହିଁ । ଅନେକ ସ୍ଥାନରେ ସଡକ ସମ୍ପ୍ରସାରଣ ପାଇଁ ସ୍ଥାନ ନଥିବାରୁ ସହରରେ ଏବେ ଉତ୍କଟ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାରେ ଲାଗିଛି ।

ଭୁବନେଶ୍ୱରରେ ଥିବା ଦୁଇଟି ଆରଟିଓ ଦପ୍ତରରେ ଏବେ ବର୍ଷକୁ ହାରାହାରି ୭୫ହଜାରରୁ ଅଧିକ ଯାନ ପଞ୍ଜିକରଣ ହେଉଛି । ଏହାର ସିଂହଭାଗ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଗଡୁଛି । ସର୍ବାଧିକ ପଞ୍ଜିକରଣ ହେଉଥିବା ଦୁଇଚକିଆ ଯାନ ରାଜଧାନୀରେ ଚଳ ପ୍ରଚଳ କରୁଥିବାବେଳେ ଏବେ ସହରରେ ସରକାରୀ ବସ୍‍ର ଚଳାଚଳ ସଂଖ୍ୟା ବି ବଢିଛି ।

ହେଲେ ସେହି ଅନୁପାତରେ ସହରର ପ୍ରମୁଖ ସଡକଗୁଡିକ ଆଉ ସମ୍ପ୍ରସାରିତ ହେଉନାହିଁ । ଓଲଟା ଅନେକ ସ୍ଥାନରେ ସୌନ୍ଦର୍ଯ୍ୟକରଣ ନାମରେ ସ୍ମାର୍ଟସିଟି କର୍ତ୍ତୃପକ୍ଷ ସଡକକୁ ସଙ୍କୁଚିତ କରିବାରେ ଲାଗିଛନ୍ତି । ସହରର ପ୍ରମୁଖ ସଡକ ଜନପଥର ସମ୍ପ୍ରସାରଣ ଦୀର୍ଘଦିନ ହେଲା ହୋଇନାହିଁ । ଏଥିପାଇଁ ଆଉ ସ୍ଥାନ ମଧ୍ୟ ନାହିଁ । ଯେତିକି ସମ୍ପ୍ରସାରଣ କାର୍ଯ୍ୟ ହୋଇଥିଲା ସ୍ମାର୍ଟସିଟି ସୌନ୍ଦର୍ଯ୍ୟକରଣ ନାଁରେ ଟାଇଲ୍‍ ବିଛାଇ ସଡକକୁ ସଙ୍କୁଚିତ କରାଗଲା । ଏହି ସୌନ୍ଦର୍ଯ୍ୟକରଣ ସ୍ଥାନ ଏବେ ବିଏମ୍‍ସିର ରୋଜଗାରିଆ ଅଞ୍ଚଳ ପାଲଟିଛି ।

ସେହିଭଳି ଏଜି ଛକରୁ ଆଚାର୍ଯ୍ୟବିହାର ପର୍ଯ୍ୟନ୍ତ ଲମ୍ବିଥିବା ସଚିବାଳୟ ମାର୍ଗର ଅବସ୍ଥା । ଏହି ସଡକ ଉପରେ ଯାନ ସଂଖ୍ୟା ବହୁଗୁଣିତ ହେଉଥିବାବେଳେ ଏହାର ସମ୍ପ୍ରସାରଣ ପାଇଁ ଆଉ ସୁଯୋଗ ନାହିଁ । ରାଜଭବନରୁ ଆଚାର୍ଯ୍ୟବିହାର, କଳ୍ପନାରୁ ଏଜିଛକ, ବିମାନବନ୍ଦରରୁ ଏଜି ଛକ, ସିପିଆରପି ଛକରୁ ପାୱାରହାଉସ୍‍ ଛକ ଆଦି ଅଞ୍ଚଳରେ ସଡକ ସମ୍ପ୍ରସାରଣ କାର୍ଯ୍ୟ ଦିର୍ଘଦିନ ହେଲା ହୋଇନାହିଁ । ଏହିସବୁ ରାସ୍ତାର ଦୁଇପଟେ ମଜବୁତ୍‍ ଡ୍ରେନ ନିର୍ମାଣ ସରିଥିବାରୁ ଓ ସ୍ଥାନାଭାବ ଯୋଗୁଁ ଏହିସବୁ ସଡକ ସମ୍ପ୍ରସାରିତ ହେବାର ବି ସୁଯୋଗ ନାହିଁ ।

ସ୍ମାର୍ଟସିଟି ଭୁବନେଶ୍ୱର ରାଜମହଲ ଓଭରବ୍ରିଜ ଓ ଶହୀଦନଗର ନିକଟରେ ଥିବା ଓଭରବ୍ରିଜକୁ ବାଦ୍‍ ଦେଲେ ଅନ୍ୟ ଓଭରବ୍ରିଜ ଗୁଡିକ ରେଳପଥ ଓ ରାଜପଥ ଉପରେ ରହିଛି । ଭିଡ ନିୟନ୍ତ୍ରଣ ପାଇଁ ନିର୍ମାଣ ହୋଇଥିବା ରାଜମହଲ ଓଭରବ୍ରିଜର ନକ୍ସା ବଦଳି ଥିବାବେଳେ ଶହୀନନଗରରୁ ରସୁଲଗଡ ପର୍ଯ୍ୟନ୍ତ ଲମ୍ବିଥିବା ଓଭରବ୍ରିଜଟିରେ ଦୁଇ ପଟରୁ ଯାନ ଚଳାଚଳର ସୁବିଧା ନଥିବାରୁ ଏହା ଏକ ପ୍ରକାର ଦୁର୍ଘଟଣାପ୍ରବଣ ଓଭରବ୍ରିଜ ପାଲଟିଛି ।

ସହର ମଧ୍ୟଦେଇ ଯାଇଥିବା ରାଜପଥ ଉପରେ ଖଣ୍ଡଗିରି ଠାରୁ ରସୁଲଗଡ ପର୍ଯ୍ୟନ୍ତ ଓଭରବ୍ରିଜ ଥିବାରୁ କୌଣସି ପ୍ରକାରେ ଏଠାରେ ଯାନବାହାନ ଭିଡକୁ ରୋକାଯାଇ ପାରୁଛି । ତେବେ ଯଦି କୌଣସି ସମୟରେ ଏହି ଓଭରବ୍ରିଜ ଉପରେ ଦୁର୍ଘଟଣା ଘଟୁଛି କିମ୍ବା ଭାରିଯାନ ଅଚଳ ହେଉଛି ତେବେ ଯାନବାହାନଗୁଡିକ ଘଣ୍ଟା ଘଣ୍ଟା ଧରି ଅଟକି ଯାଉଛି ।

ବଢି ଚାଲିଥିବା ଯାନବାହାନ ନିୟନ୍ତ୍ରଣ ପାଇଁ ଓଭରବ୍ରିଜ୍‍ ନିର୍ମାଣ ଅତି ଜରୁରୀ ହୋଇଥିବାବେଳେ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ନିର୍ମାଣ ଶୀତଳଭଣ୍ଡାରରେ ରହିଯାଇଛି । ଗାଡିମୋଟର ଯେଉଁ ହାରରେ ବୃଦ୍ଧି ପାଉଛି ତୁରନ୍ତ ଓଭରବ୍ରିଜ ନିର୍ମାଣ ସହିତ ସୌନ୍ଦର୍ଯ୍ୟକରଣ ନାଁରେ ରାସ୍ତା ସଙ୍କୋଚନକୁ ହଟାନଗଲେ ପାର୍ବଣ ଋତୁର ଦୂରରକଥା ସାଧାରଣ ସମୟରେ ବି ଟ୍ରାଫିକ ନିୟନ୍ତ୍ରଣ କାଠିକରପାଠ ହୋଇପଡିବ । (ତଥ୍ୟ)