ଭୁବନେଶ୍ୱର : ସିଙ୍ଗାପୁର ରାଷ୍ଟ୍ରପତି ଥାର୍ମନ ଶନୁରାଗରତ୍ନମ୍ ଆସନ୍ତାକାଲି ସକାଳେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି।
ଆସନ୍ତା ଜାନୁଆରି ୨୮ ଓ ୨୯ ତାରିଖରେ ରାଜ୍ୟରେ ହେବାକୁ ଥିବା ବିଜେପି ସରକାରଙ୍କ ମେଗା ନିବେଶକ ସମ୍ମିଳନୀ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନ୍ କ୍ଲେଭ୍ ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ଥର ପାଇଁ ରାଜ୍ୟ ଗସ୍ତରେ ଆସୁଥିବାରୁ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।
ତାଙ୍କ ସହ ମନ୍ତ୍ରୀ, ସାଂସଦ ଓ ଅଧିକାରୀଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆସିବେ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ସିଙ୍ଗାପୁର ରାଷ୍ଟ୍ରପତି ପୂର୍ବାହ୍ନ ପ୍ରାୟ ୧୧ଟା ୪୫ରେ ବିମାନବନ୍ଦରରେ ପହଞ୍ଚିବେ। ଆସନ୍ତାକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଏକ ହୋଟେଲରେ ତାଙ୍କୁ ଭେଟିବେ।
ଓଡ଼ିଶାରେ ଦକ୍ଷତା ବିକାଶ ଇକୋସିଷ୍ଟମକୁ ଆହୁରି ବୃଦ୍ଧି କରିବା ଏବଂ ଓଡ଼ିଶାରେ ସେମିକଣ୍ଡକ୍ଟର ସମ୍ବନ୍ଧୀୟ ଦକ୍ଷତା ପ୍ରଚଳନ ମାଧ୍ୟମରେ ଓଡ଼ିଶାରେ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଟିଭିଇଟି ପରିଦୃଶ୍ୟକୁ ବୃଦ୍ଧି କରିବା ପାଇଁ ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା ଓ ପ୍ରଶିକ୍ଷଣ (ଟିଭିଇଟି) କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ଉତ୍ସବରେ ଯୋଗ ଦେବେ । ସିଙ୍ଗାପୁରର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେସନ ଆଣ୍ଡ ଏଜୁକେସନ ସର୍ଭିସେସ୍ (ଆଇଟିଇଇଏସ୍) ପକ୍ଷରୁ ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କର ପାଣ୍ଠିରେ ପ୍ରତିଷ୍ଠା ହୋଇଥିବା ବିଶ୍ୱ ଦକ୍ଷତା କେନ୍ଦ୍ରପରିଦର୍ଶନ କରିବେ ରାଷ୍ଟ୍ରପତି ।
ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ଏକ ସରକାରୀ ରାତ୍ରୀ ଭୋଜନର ଆୟୋଜନ କରିବେ। ସେମାନେ ଅର୍ଥନୈତିକ ରଣନୀତି ଏବଂ ପାରସ୍ପରିକ ସୁଯୋଗ ବିଷୟରେ ମଧ୍ୟ ଆଲୋଚନା କରିବେ ।
ଜାନୁଆରି ୧୮ ତାରିଖ ସକାଳେ ସୂର୍ଯ୍ୟମନ୍ଦିର କୋଣାର୍କ ଗସ୍ତ କରିବା ପରେ ଭୁବନେଶ୍ୱର ଉପକଣ୍ଠରେ ଥିବା ଭାରତ ବାୟୋଟେକ୍ ର ଟିକା ଉତ୍ପାଦନ କାରଖାନା ପରିଦର୍ଶନ କରିବେ। ରାଜ୍ୟ ଛାଡିବା ପୂର୍ବରୁ ସେ କାର୍ଯ୍ୟକ୍ରମ ସ୍ଥଳରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିବେ ।
ଦକ୍ଷତା ବିକାଶ ଏବଂ ଅର୍ଥନୈତିକ ବିକାଶର ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ପାଇଁ ଏକ ବ୍ୟବସାୟିକ ପ୍ରତିନିଧି ଦଳ ମଧ୍ୟ ରାଷ୍ଟ୍ରପତିଙ୍କ ସହ ଓଡ଼ିଶା ଆସିବେ।
ମୁଖ୍ୟତଃ ପେଟ୍ରୋକେମିକାଲ ଓ ସବୁଜ ଶକ୍ତି କ୍ଷେତ୍ରକୁ ଗୁରୁତ୍ୱ ଦେଇ ଅନେକ ଦ୍ୱିପାକ୍ଷିକ ଚୁକ୍ତି ଓଡ଼ିଶାରେ ରହିବା ସମୟରେ ଆନୁଷ୍ଠାନିକ ହେବାର ସମ୍ଭାବନା ରହିଛି। ଏହି ଗସ୍ତ ସିଙ୍ଗାପୁର ଓ ଓଡ଼ିଶା ମଧ୍ୟରେ ଅର୍ଥନୈତିକ ଓ ସାଂସ୍କୃତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ପାରସ୍ପରିକ ଅଭିବୃଦ୍ଧି ଓ ସହଯୋଗ ପାଇଁ ନୂଆ ମାର୍ଗ ଖୋଲିବ ବୋଲି ଆଶା କରାଯାଉଛି।