ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ଇସ୍ରୋର ସତୀଶ ଧୱନ ମହାକାଶ କେନ୍ଦ୍ରରେ ତୃତୀୟ ଲଞ୍ଚ ପ୍ୟାଡ (ଟିଏଲପି) ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁରି ମିଳିଛି।
ଇସ୍ରୋର ପରବର୍ତ୍ତୀ ପିଢ଼ି ଉତକ୍ଷେପଣ ଯାନ ପାଇଁ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାଠାରେ ଉତକ୍ଷେପଣ ଭିତ୍ତିଭୂମି ପ୍ରତିଷ୍ଠା ଉଦ୍ଦେଶ୍ୟରେ ତୃତୀୟ ଲଞ୍ଚ୍ ପ୍ୟାଡ୍ ପ୍ରକଳ୍ପର ପରିକଳ୍ପନା କରାଯାଇଛି । ଶ୍ରୀହରିକୋଟା ଠାରେ ଥିବା ଦ୍ୱିତୀୟ ଲଞ୍ଚ ପ୍ୟାଡ୍ ପାଇଁ ସହାୟକ ଲଞ୍ଚ୍ ପ୍ୟାଡ୍ ଭାବରେ ଏହାକୁ ଉପଯୋଗ କରାଯିବ । ଏହା ଭବିଷ୍ୟତରେ ଭାରତୀୟ ମାନବ ମହାକାଶ ଉଡ଼ାଣ ଅଭିଯାନର ଉତକ୍ଷେପଣ କ୍ଷମତାକୁ ମଧ୍ୟ ବୃଦ୍ଧି କରିବ।
ଟିଏଲପିକୁ ଏଭଳି ଢାଞ୍ଚା ପ୍ରଦାନ କରାଯାଇଛି ଯାହା ଯଥାସମ୍ଭବ ସାର୍ବଜନୀନ ଏବଂ ଅନୁକୂଳ। ଏହା କେବଳ ଏନଜିଏଲଭି ନୁହେଁ, ବରଂ ସେମିକ୍ରାୟୋଜେନିକ ପର୍ଯ୍ୟାୟ ସହିତ ଏଲଭିଏମ-3 ଯାନ ତଥା ଏନଜିଏଲଭିର ଉନ୍ନତ ବିନ୍ୟାସ ବା କନଫିଗୁରେସନକୁ ମଧ୍ୟ ସମର୍ଥନ କରିପାରିବ। ପୂର୍ବବର୍ତ୍ତୀ ଲଞ୍ଚ୍ ପ୍ୟାଡ୍ ପ୍ରତିଷ୍ଠା ଏବଂ ବର୍ତ୍ତମାନ ଲଞ୍ଚ୍ କମ୍ପ୍ଲେକ୍ସ ସୁବିଧାଗୁଡ଼ିକୁ ଅନ୍ୟମାନଙ୍କ ଉପଯୋଗ ପାଇଁ ସର୍ବାଧିକ ସୁବିଧା ଦେବାରେ ଇସ୍ରୋର ଅଭିଜ୍ଞତାକୁ ସମ୍ପୂର୍ଣ୍ଣ ଉପଯୋଗ କରି ଶିଳ୍ପ କ୍ଷେତ୍ରର ସର୍ବାଧିକ ଅଂଶଗ୍ରହଣ ଜରିଆରେ ଏହା ସାକାର ହେବ।
୪୮ ମାସ କିମ୍ବା ୪ ବର୍ଷ ମଧ୍ୟରେ ଟିଏଲପି ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖାଯାଇଛି। ମୋଟ ପାଣ୍ଠି ଆବଶ୍ୟକତା ହେଉଛି ୩୯୮୪.୮୬ କୋଟି ଟଙ୍କା ଏବଂ ଏଥିରେ ଲଞ୍ଚ ପ୍ୟାଡ୍ ପ୍ରତିଷ୍ଠା ଏବଂ ଆନୁସଙ୍ଗିକ ସୁବିଧା ଅନ୍ତର୍ଭୁକ୍ତ।
ଏହି ପ୍ରକଳ୍ପ ଭାରତୀୟ ମହାକାଶ ଇକୋସିଷ୍ଟମକୁ ଅଧିକ ମହାକାଶଯାନ ଉତକ୍ଷେପଣ ଏବଂ ମାନବ ମହାକାଶ ଉଡ଼ାଣ ଓ ମହାକାଶ ଅନୁସନ୍ଧାନ ମିଶନ ହାତକୁ ନେବା ପାଇଁ ଜାତୀୟ କ୍ଷମତାକୁ ସକ୍ଷମ କରିବ।