Home Agriculture ଧାନ ବେପାରୀଙ୍କ ଉପରେ ଚଢଉ

ଧାନ ବେପାରୀଙ୍କ ଉପରେ ଚଢଉ

ଭୁବନେଶ୍ୱର : ଗାଁ ଗହଳରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରୁଥିବା ବ୍ୟବସାୟୀଙ୍କ ଉପରେ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ଚଢଉ କରିବାପରେ ଏବେ ଚାଷୀମାନେ ଚିନ୍ତାରେ ପଡିଛନ୍ତି । ନିଜର ଆବଶ୍ୟକତା ପୂରଣ ପାଇଁ ସେମାନେ ଧାନ ବିକ୍ରି କରିବାର ଯେଉଁ ସୁଯୋଗ ପାଉଥିଲେ ତାହା ବନ୍ଦ ହୋଇଯାଇଛି । ବିଶେଷକରି ମଣ୍ଡିରେ ଧାନ ବିକିବାର ସୁଯୋଗପାଉନଥିବା ଭାଗଚାଷୀ ଓ ଅଧିକ ଧାନ ଅମଳ କରୁଥିବା ଚାଷୀମାନେ ବ୍ୟବସାୟୀଙ୍କୁ ଧାନ ବିକ୍ରି କରୁଥିଲେ ।

ଚଳିତବର୍ଷ ଗୋଟିଏ କୁଇଣ୍ଟାଲ ଧାନ ଉପରେ ସରକାର ୮୦୦ ଟଙ୍କାର ଇନ୍‍ପୁଟ୍‍ ସବସିଡ୍‍ ପ୍ରଦାନ କରୁଥିବାବେଳେ କୁଇଣ୍ଟାପ୍ରତି ଦର ୩୧୦୦ ଟଙ୍କାକୁ ବୃଦ୍ଧି ପାଇଛି । କିନ୍ତୁ ଅଦିନିଆ ବର୍ଷା ଏଥିରେ ଦାଉ ସାଧିଛି । ବର୍ଷା ମାଡରେ ଧାନର ରଙ୍ଗ ବଦଳିବା ସହିତ ମାନ ବି କମିଛି । ଅଧିକାଂଶ ସ୍ଥାନରେ ବର୍ଷାମାଡ ଖାଇଥିବା ଧାନ ଏଫ୍‍ଏକ୍ୟୁ ମାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରୁ ନାହିଁ । ଏହାକୁ ନେଇ ଚିନ୍ତାରେ ପଡିଥିବା ଚାଷୀମାନେ ଘର ପାଖରେ ବ୍ୟବସାୟୀମାନଙ୍କୁ ଧାନ ବିକ୍ରି କରୁଥିଲେ ।

ଆଜି ପୁରୀ ଜିଲ୍ଲାର କେତେକ ସ୍ଥାନରେ ପ୍ରଶାସନ ପକ୍ଷରୁ ଧାନ ବ୍ୟବସାୟୀଙ୍କ ଗୋଦାମ ଉପରେ ଚଢଉ ହେବା ଫଳରେ ସେମାନେ ଧାନ ଖରିଦ ବନ୍ଦକରି ଦେଇଛନ୍ତି । ଫଳରେ ଯେଉଁ ଚାଷୀମାନେ ମଣ୍ଡି ଖୋଲିବା ପୂର୍ବରୁ ନିଜର ଅର୍ଥ ଆବଶ୍ୟକ ପାଇଁ ଧାନ ବିକ୍ରି କରିବାକୁ ବାହାରିଥିଲେ ସେମାନଙ୍କ ମୁଣ୍ଡରେ ଚଡକ ପଡିଛି ।

ଏଥି ସହିତ ଯେଉଁ ଚାଷୀମାନେ ସରକାରଙ୍କ ଧାର୍ଯ୍ୟ ସୀମାଠାରୁ ଅଧିକ ଧାନ ଫଳାଇଛନ୍ତି ଓ ସେହିସବୁ ଧାନର ମାନ ଅଦିନିଆ ବର୍ଷାରେ କମିଛି ତାହାକୁ ବ୍ୟବସାୟୀଙ୍କ ହାତରେ ଦେବାପାଇଁ ଉଦ୍ୟମ ଚଳାଇଥିଲେ ସେମାନେ ମଧ୍ୟ ହତାଶ ହୋଇଛନ୍ତି । ଉଲ୍ଲେଖନୀୟ ଯେ ଚାଷୀଙ୍କ ଠାରୁ ଧାନ ଖରିଦ କ୍ଷେତ୍ରରେ ଜଳସେଚିତ ଜମି ପାଇଁ ୧୯ କୁଇଣ୍ଟାଲ ଓ ଅଣଜଳସେଚିତ ଜମି ପାଇଁ ୧୩ କୁଇଣ୍ଟାଲ ପରିମାଣ ଧାର୍ଯ୍ୟ କରିଛନ୍ତି । ତେବେ ବହୁ ଚାଷୀ ଏହି ସୀମାଠାରୁ ଢେର ଅଧିକ ଧାନ ଫଳାଇଛନ୍ତି । ତେଣୁ ବଳକା ଧାନକୁ ବିକ୍ରି କରିବାପାଇଁ ମଣ୍ଡିରେ କାକୁତି ମିନତି ହେବା ଅପେକ୍ଷା ବ୍ୟବସାୟୀଙ୍କୁ ଦେବାପାଇଁ ସେମାନେ ପ୍ରସ୍ତୁତ ଅଛନ୍ତି ।

ଅନ୍ୟ ପକ୍ଷରେ ଉପକୂଳ ଜିଲ୍ଲାର ବହୁ ସ୍ଥାନରେ ମଣ୍ଡିଗୁଡିକ ଖୋଲିନଥିବାବେଳେ ଚାଷୀମାନେ କିନ୍ତୁ ଧାନ ଅମଳ କରିସାରିଲେଣି । ଏହିସବୁ ଧାନ ଶୁଖିଯିବା ସହିତ ବର୍ଷାମାଡ ଯୋଗୁଁ ତାହାର ରଙ୍ଗ ମଧ୍ୟ ଖରାପ ହେବାରେ ଲାଗିଛି । ଏଗୁଡିକ ସରକାରଙ୍କ ଏଫ୍‍ଏକ୍ୟୁ ମାନ ପରୀକ୍ଷା ଯନ୍ତ୍ରରେ ଉତ୍ତୀର୍ଣ୍ଣ ହେବ କି ନାହିଁ ତାହାକୁ ନେଇ ଚାଷୀମାନେ ଚିନ୍ତାରେ ରହିଛନ୍ତି ।

ଏଥି ସହିତ ବହୁ ସ୍ଥାନରେ ବର୍ଷାଭିଜା ଧାନ ଏଫ୍‍ଏକ୍ୟୁ ମାନ ପରୀକ୍ଷାରେ ଫେଲ୍‍ ମାରୁଥିବାରୁ ଏହାର ସୁଯୋଗ ନେଇ ମିଲ୍‍ମାଲିକମାନେ ଚାଷୀଙ୍କ ସହିତ ମୂଲଚାଲ ଆରମ୍ଭ କରିଛନ୍ତି । ତେଣୁ ଏଭଳି ସ୍ଥିତିରେ ମଣ୍ଡିକୁ ଧାନ ନେଇ ଅପେକ୍ଷା କରିବା, ଧାନ ପରିବହନ ପାଇଁ ଖର୍ଚ୍ଚାନ୍ତ ହେବା, ଦିନ ଦିନ ଧରି ଅପେକ୍ଷା କରିବା ବଦଳରେ କିଛି ଚାଷୀ ବ୍ୟବସାୟୀଙ୍କୁ ଧାନ ଦେବାପାଇଁ ସ୍ଥିର କରିଥିବାବେଳେ ପ୍ରଶାସନ ଏଥିରେ ବାଧକ ସାଜିଛି । ତେଣୁ ସେମାନେ ଏବେ କମ୍‍ ମାନର ଧାନ ଓ ବଳକା ଧାନକୁ କାହାକୁ କିଭଳି ବିକ୍ରି କରିବେ ସେହି ଚିନ୍ତାରେ ପଡିବା ସହିତ ଚାଷୀମାନଙ୍କୁ ନିଜ ଇଚ୍ଛା ମୁତାବକ ଧାନ ବିକ୍ରି କରିବାପାଇଁ ସୁଯୋଗ ଦେବାକୁ କହିଛନ୍ତି । (ତଥ୍ୟ)