Home General ରାତିରେ ହଇରାଣ କରୁଛନ୍ତି କ୍ୟାବ୍‍ ଚାଳକ

ରାତିରେ ହଇରାଣ କରୁଛନ୍ତି କ୍ୟାବ୍‍ ଚାଳକ

ଭୁବନେଶ୍ୱର : ରାତି ନଅଟା ଟପିଲେ ରାଜଧାନୀରେ ଯାତ୍ରୀଙ୍କ ସହିତ ଖେଳୁଛନ୍ତି କ୍ୟାବ୍‍ ଚଳାଉଥିବା ସଂସ୍ଥା । ସହର ଠାରୁ ଅନତି ଦୂରକୁ ଅନ୍‍ଲାଇନ୍‍ରେ ଗାଡିଟିଏ ବୁକିଂ କଲେ ଚାଳକମାନେ ନଗଦ ଆକାରରେ ଅଧିକ ଅର୍ଥ ଦାବି କରୁଛନ୍ତି । ଯେଉଁମାନେ ଧାର୍ଯ୍ୟଠାରୁ ଅଧିକ ଅର୍ଥ ଦେବାକୁ ମନା କରୁଛନ୍ତି ସେମାନଙ୍କ ବୁକିଂକୁ ବାରମ୍ବାର ବାତିଲ କରି ଦେଉଛନ୍ତି ।

ରାଜଧାନୀର ବିଭିନ୍ନ ସ୍ଥାନ ବିଶେଷକରି ରେଳଷ୍ଟେସନ ଓ ବରମୁଣ୍ଡା ବସଷ୍ଟାଣ୍ଡରେ ରାତି ନଅଟା ପରେ ପହଞ୍ଚି ନିଜ ଗନ୍ତବ୍ୟସ୍ଥଳକୁ ଯିବାକୁ ଚାହୁଁଥିବା ଯାତ୍ରୀଙ୍କ ସହିତ ଏଭଳି ଘଟିବାରେ ଲାଗିଛି । ଯଦି ଯାତ୍ରୀମାନେ ସହର ଭିତରେ କୌଣସି ନିକଟସ୍ଥ ଅଞ୍ଚଳକୁ ଯିବାକୁ ଚାହୁଁଛନ୍ତି ତେବେ କ୍ୟାବ୍‍ଗୁଡିକ ସେମାନଙ୍କୁ ସହଜରେ ନେଇଯାଉଛନ୍ତି । ହେଲେ ଯଦି ଯାତ୍ରୀଟି ଷ୍ଟେସନ କିମ୍ବା ବସଷ୍ଟାଣ୍ଡରୁ ଘାଟିକିଆ, କଳିଙ୍ଗନଗର, ପଟିଆ, ସୁନ୍ଦରପଦା, ହଂସପାଳ, କେଶୁରା ଆଦି ଅଞ୍ଚଳକୁ ଯିବାକୁ କ୍ୟାବ୍‍ ବୁକିଂ କରୁଛନ୍ତି ତେବେ ସେମାନଙ୍କୁ ହୀନସ୍ତା ହେବାକୁ ପଡୁଛି ।

ଅବସ୍ଥା ଏଭଳି ହୋଇଛି ଯେ କ୍ୟାବ୍‍ ବୁକିଂ କରିବା ମାତ୍ରେ ସମ୍ପୃକ୍ତ ଗାଡିର ଚାଳକ ଯାତ୍ରୀଙ୍କୁ ଫୋନ୍‍ କରୁଛନ୍ତି । ଅନ୍‍ଲାଇନ୍‍ରେ ଯେତିକି ଅର୍ଥ ପଇଠ କରିବାକୁ ଦର୍ଶାଉଛି ତାହାଠାରୁ ୨୦୦ ରୁ ୩୦୦ ଟଙ୍କା ଅଧିକ ଦାବି କରିବା ସହିତ ଏହା ନଗଦ ଦେବାକୁ କହୁଛନ୍ତି । ବିଳମ୍ବିତ ରାତିରେ ଗଲେ ଅଧିକ ଅର୍ଥ ଦେବାକୁ ପଡିବ ବୋଲି କହୁଛନ୍ତି । ଯେଉଁ ଯାତ୍ରୀ ଏଥିରେ ଅମଙ୍ଗ ହେଉଛନ୍ତି ସେମାନଙ୍କ ପ୍ରତି ଦୁର୍ବବ୍ୟବହାର ପ୍ରଦର୍ଶନ କରିବାକୁ ବି ପଛାଉ ନାହାନ୍ତି । ଗାଳି ଗୁଲଜ କରିବା ସହିତ ବାରମ୍ବାର ବୁକିଂ ବାତିଲ କରିଦେଉଛନ୍ତି ନଚେତ୍‍ ଆଦø ଆସୁନାହାନ୍ତି ।

ତେବେ ସ୍ମାର୍ଟସିଟି ଭୁବନେଶ୍ୱରର ରେଳଷ୍ଟେସନ କିମ୍ବା ବସଷ୍ଟାଣ୍ଡରୁ କୌଣସି ପ୍ରିପ୍ରେଡ୍‍ ଟ୍ୟାକ୍ସି ବ୍ୟବସ୍ଥା ନଥିବାରୁ ଯାତ୍ରୀମାନେ ବାଧ୍ୟହୋଇ ବିଭିନ୍ନ କ୍ୟାବ୍‍ ଓ ଘରୋଇ ଯାନ ଉପରେ ନିର୍ଭର କରୁଛନ୍ତି । ତେବେ ବିଳମ୍ବିତ ରାତ୍ରୀରେ ଏମାନଙ୍କ ସହିତ ଯିବାକୁ ଅନେକ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଯେଉଁମାନେ ଯାଉଛନ୍ତି ସେମାନଙ୍କୁ ଦୁଇ ତିନିଗୁଣ ଅଧିକ ଭଡା ଗଣିବାକୁ ପଡୁଛି ।

ବିଳମ୍ବିତ ରାତି ବିଶେଷକରି ରାତି ୯ଟା ପରେ ଷ୍ଟେସନ କିମ୍ବା ବସଷ୍ଟାଣ୍ଡରୁ ଯାତ୍ରୀମାନେ କିଭଳି ସୁରକ୍ଷିତ ଭାବେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯିବେ ସେ ଦିଗରେ କମିଶନରେ ପୁଲିସ୍‍ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଏପରିକି ଏହି ଯାତ୍ରୀମାନେ କେଉଁଭଳି ପରିସ୍ଥିତିରେ ଯାଉଛନ୍ତି ତାହା ମଧ୍ୟ କିଛି ହିସାବ ରହୁନାହିଁ । ଏଭଳି ସ୍ଥିତି ରାଜଧାନୀରେ କେତେବେଳେ ଦୁର୍ଘଟଣା ଯେ ନଘଟାଇବ ତାହା କହିହେବନାହିଁ ବୋଲି ଅନେକ ଯାତ୍ରୀ ମତ ଦେଉଛନ୍ତି ।

ଅନ୍ୟ କେତେକ ରାଜ୍ୟ ଭଳି ରେଳଷ୍ଟେସନ, ବିମାନବନ୍ଦର ଓ ବସଷ୍ଟାଣ୍ଡରୁ ପୁଲିସ୍‍ ପକ୍ଷରୁ ପ୍ରିପେଡ୍‍ ଟ୍ୟାକ୍ସି ଚଳାଇବାପାଇଁ ହୋଇଥିବା ଯୋଜନା ଶୀତଳଭଣ୍ଡାରରେ ରହିଯାଇଛି । ତେଣୁ ଏହି ଯୋଜନା କାର୍ଯ୍ୟକାରୀ ପର୍ଯ୍ୟନ୍ତ ବିଳମ୍ବିତ ରାତ୍ରୀରେ ମୋବସ୍‍ ଚଳାଇବା କିମ୍ବା ପୁଲିସ୍‍ ସହାୟତାରେ ଯାତ୍ରୀମାନଙ୍କୁ କ୍ୟାବ୍‍ ଓ ଘରୋଇ ଯାନରେ ସୁରକ୍ଷିତ ଭାବେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାପାଇଁ ମତପ୍ରକାଶ ପାଉଛି । (ତଥ୍ୟ)