ଭୁବନେଶ୍ୱର : ଓଡିଶାରେ ଯେତେ ଅବକାରୀ ରାଜସ୍ୱ ସରକାର ପାଉଛନ୍ତି ତାହା ମୋଟ ରାଜସ୍ୱର ୫ ପ୍ରତିଶତ ମଧ୍ୟ ନୁହେଁ । ଗତ ଆର୍ଥିକ ବର୍ଷରେ ରାଜ୍ୟର ମୋଟ ରାଜସ୍ୱ ପରିମାଣ ୧,୬୬,୫୬୪ କୋଟି ଟଙ୍କା ଥିବାବେଳେ ଏହାର ୪.୩୩ ପ୍ରତିଶତ ମିଳିଥିଲା ଅବକାରୀରୁ ।
ଏଠାରେ ଉଲ୍ଲେଖନୀୟ ଯେ ୧୯୯୦ ମସିହା ବେଳକୁ ଓଡିଶାର ଅବକାରୀ ରାଜସ୍ୱ ପରିମାଣ ୩୫କୋଟି ଟଙ୍କା ମଧ୍ୟରେ ସୀମିତ ଥିବାବେଳେ ୨୦୦୦ ବେଳକୁ ଏହା ବଢି ବଢି ୧୩୮ କୋଟି ଟଙ୍କାରେ ପହଞ୍ଚିଥିଲା । ସରକାରୀ ହିସାବ ମୁତାବକ ୨୦୧୩-୧୪ ବର୍ଷରେ ରାଜ୍ୟର ଅବକାରୀ ରାଜସ୍ୱ ପରିମାଣ ୧୭୮୦ କୋଟି ୨୯ଲକ୍ଷ ଟଙ୍କା ଥିବାବେଳେ ତାହା ବଢି ବଢି ୨୦୨୩-୨୪ ବର୍ଷରେ ୭୨୧୬ କୋଟି ୯୯ଲକ୍ଷ ଟଙ୍କାରେ ପହଞ୍ଚିଥିଲା । ଚଳିତବର୍ଷ ପାଇଁ ଓଡିଶାର ବଜେଟ୍ ପ୍ରାୟ ୨ଲକ୍ଷ ୬୫ହଜାର କୋଟି ଟଙ୍କା ଥିବାବେଳେ ଏଥିରୁ ଅବକାରୀ ରାଜସ୍ୱର ପରିମାଣ ୮୪୦୦ କୋଟି ଟଙ୍କା ହେବବୋଲି ଆଶା ରଖାଯାଇଛି ।
ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ପାନୀୟ ନିଗମ ମାଧ୍ୟମରେ ଲାଇସେନ୍ସପ୍ରାପ୍ତ ମଦ ଦୋକାନଗୁଡିକୁ ମଦ ଯୋଗାଣ ହେଉଛି । ରାଜ୍ୟରେ ମଦ ବ୍ୟବହାର ବି ଉଦବେଗଜନକ ହାରେ ବଢିଚାଲୁଛି । ସରକାରୀ ଲାଇସେନ୍ସପ୍ରାପ୍ତ ଦୋକାନଗୁଡିକରେ ୨୦୧୩-୧୪ ବର୍ଷରେ ପ୍ରାୟ ୪୪୭ଲକ୍ଷ ବିୟର ଲିଟର ଭାରତ ତିଆରି ବିଦେଶୀ ମଦ, ୮୦୬ଲକ୍ଷ ଲିଟର ବିୟର ଓ ପାଖପାଖି ୧ କୋଟି ଲିଟର ଦେଶୀ ମଦ ବିକ୍ରୟପାଇଁ ଉଠାଯାଇଥିଲା । ଏହାଛଡା ମହୁଲି ମଧ୍ୟ ମଧ୍ୟ ରହିଛି । ତେବେ ସରକାରୀ ହିସାବ ମୁତାବକ ଲାଇସେନ୍ସପ୍ରାପ୍ତ ମଦଦୋକାନଗୁଡିକ ଲାଗି ୨୦୨୩-୨୪ ବର୍ଷରେ ୭୯୩ଲକ୍ଷ ବିୟର ଲିଟର ଭାରତ ତିଆରି ବିଦେଶୀ ମଦ ଉଠାଣ ହୋଇଥିବାବେଳେ ୧୫୩୬ ବିୟର ଲିଟର ବିୟର ଓ ୧୬୫ଳକ୍ଷ ଲିଟର ଦେଶୀ ମଦ ଯୋଗାଯାଇଥିଲା ।
ଲାଇସେନ୍ସପ୍ରାପ୍ତ ଭାଟିଗୁଡିକ ମାଧ୍ୟମରେ ମହୁଲି ବଦ ଯୋଗାଣ ବି ବଢି ବଢି ଚାଲିଛି । ଏହାଛଡା ହାଣ୍ଡିଆ, ଚାଉଳି, ସଲପ, ଖଜୁରୀତାତି ଆଦି ବିଭିନ୍ନ କିସମର ମଦ ମଧ୍ୟ ଖୋଲାଖୋଲି ଭାବେ ବିକ୍ରି ହେଉଛି । ଲାଇସେନ୍ସପ୍ରାପ୍ତ ମଦଦୋକାନଗୁଡିକରେ ଯେତେ ମଦ ବିକ୍ରି ହେଉଛି ତାହାର ଢେର ଅଧିକଗୁଣ ମଦ ଚୋରା ବଜାରରେ ମିଳୁଛି । କେବଳ ସେତିକି ନୁହେଁ ନକଲି ମଦ କାରବାର ମଧ୍ୟ ରାଜ୍ୟରେ ଉଦବେଗଜନକ ସ୍ଥିତିରେ ରହିଛି । ଏହାଛଡା ବ୍ରାଉନସୁଗାର, ମାରିଜୁଆନା, ଗଞ୍ଜେଇ, ହେରୋଇନ୍, କଫସିରପ ଆଦି ଆକାରରେ ବ୍ୟାପକ ନିଶା ସାମଗ୍ରୀ କାରବାର ହେଉଛି ।
ଯେଭଳି ଭାବେ ନିଶାର ଲଗାମଛଡା ପ୍ରସାର ଘଟୁଛି ସେଥିଯୋଗୁ ବିଭିନ୍ନ କିସମର ଅପରାଧ ସହିତ ଆତ୍ମହତ୍ୟା, ନାରୀ ଓ ଶିଶୁ ନିର୍ଯ୍ୟାତନା, ସଡକ ଦୁର୍ଘଟଣା, ରୋଗବ୍ୟାଧି ବିଶୃଙ୍ଖଳା ଆଦି ମଧ୍ୟ ବଢି ଚାଲୁଛି । ନିଶାଡିଙ୍କ ଚାହିଦା ମେଣ୍ଟାଇବା ଆଳରେ ଲାଇସେନ୍ସପ୍ରାପ୍ତ ଦୋକାନ ଗୁଡିକର ଏମଜିକ୍ୟୁ ବା ମିନିମମ୍ ଗ୍ୟାରେଣ୍ଟି କୋଟା ମଧ୍ୟ ବଢା ଚାଲିଛି । ଅନ୍ୟ ପକ୍ଷରେ ଓଡିଶାର ୩୦ଟି ଯାକ ଜିଲ୍ଲାରେ କେନ୍ଦ୍ର ସରକାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମାଧ୍ୟରେ ବିପୁଳ ଅର୍ଥ ବ୍ୟୟ କରି ନିଶାମୁକ୍ତ ଅଭିଯାନ ଚଳାଇଥିଲେ ବି ତାହାର ବିଶେଷ ଫାଇଦା ମିଳୁନାହିଁ ।
ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଦ ଓ ଅନ୍ୟାନ୍ୟ ନିଶା ବିରୁଦ୍ଧରେ ମହିଳାମାନଙ୍କ ସ୍ୱର ଅଧିକରୁ ଅଧିକ ଶାଣିତ ହେବାରେ ଲାଗିଛି । ସହିବାର ସବୁ ସୀମା ଟପିଯିବାପରେ ଅନେକ ସ୍ଥାନର ସେମାନେ ସଂଘବଦ୍ଧ ଭାବେ ମଦ ଦୋକାନାମାନ ଭାଙ୍ଗୁଛନ୍ତି । ନିଶାବେପାରୀମାନେ ଯୁବ ପୀଢିକୁ ଲକ୍ଷ୍ୟ ରଖି ବିଭିନ୍ନ କିସମର ନିଶା ସାମଗ୍ରୀ ହାତ ପାଆନ୍ତାରେ ଯୋଗାଉଥିବାରୁ ବ୍ୟବସ୍ଥା କିନ୍ତୁ ବିଗିଡିବାରେ ଲାଗିଛି । (ତଥ୍ୟ)