ଭୁବନେଶ୍ୱର : ବିଦ୍ୟୁତ୍ ଭିତ୍ତିଭୂମି ମରାମତି ନାଁରେ ଗାଁ ରୁ ସହର ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ୍ ହେଉଥିବାବେଳେ ବିଦ୍ୟୁତ୍ ବିତରଣ ଦାୟିତ୍ୱରେ ଥିବା ଟାଟା ପାୱାର ଏ ବାବଦରେ ୪୭୨୮ କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରିସାରିଲାଣି । ତଥାପି ବ୍ୟାପକ ବିଜୁଳି କାଟ୍ ଏବେ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢାଇବାରେ ଲାଗିଛି ।
ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି)ର ସୂଚନା ଅନୁଯାୟୀ ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ବିଦ୍ୟୁତ୍ ବିତରଣ ଦାୟିତ୍ୱରେ ଥିବା ଟାଟା ପାୱାର ଦ୍ୱାରା ପରିଚାଳିତ ଚାରିଟି କମ୍ପାନୀକୁ ୬୯୧୪ କୋଟି ଟଙ୍କା କାପେକ୍ସ ମାଧ୍ୟମରେ ଖର୍ଚ୍ଚ କରିବାପାଇଁ ଅନୁମୋଦନ ମିଳିଛି । ଏହି ଟଙ୍କାରୁ ବର୍ତ୍ତମାନ ସୁଦ୍ଧା ବିତରଣ କମ୍ପାନୀଗୁଡିକ ୪୭୨୮ରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି ।
ଏହି ବିପୁଳ ପରିମାଣର ଅର୍ଥ ବ୍ୟୟ ଭିତ୍ତିଭୂମି ବିକାଶ ପାଇଁ ହୋଇଛି ଏବଂ ବର୍ତ୍ତମାନ ସୁଦ୍ଧା ଏହା ଜାରି ରହିଛି । ତେବେ ଏହି କାର୍ଯ୍ୟ ପାଇଁ ଗାଁ ଠାରୁ ସହର ପର୍ଯ୍ୟନ୍ତ ଘନ ଘନ ବିଦ୍ୟୁତ୍ କାଟ୍ରେ ଗ୍ରାହକମାନେ ଅତିଷ୍ଠ ହେଉଛନ୍ତି । ଅବଶ୍ୟ ଯେଉଁଠାରେ ବିଦ୍ୟୁତ୍ କାଟ ହେଉଛି ସେଠାରେ ଗ୍ରାହକମାନଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରକୁ ବିଦ୍ୟୁତ୍ କାଟ୍ର ସମୟ ଜଣାଇ ଦିଆଯାଉଛି । ତେବେ କେଉଁ ଅଞ୍ଚଳରେ କି ପ୍ରକାର କାର୍ଯ୍ୟ ପାଇଁ ଏଭଳି ବିଦ୍ୟୁତ୍କାଟ୍ ହେଉଛି ତାହା ଗ୍ରାହକଙ୍କୁ କୁହାଯାଉ ନାହିଁ । ଯଦି ଗ୍ରାହକଟି ନିକଟସ୍ଥ ବିଦ୍ୟୁତ୍ ଅଫିସ୍କୁ ଫୋନ୍ କରୁଛି ସେଠାରୁ ମଧ୍ୟ କାର୍ଯ୍ୟ ବିଷୟରେ ସବିଶେଷ ସୂଚନା ପାଇପାରୁ ନାହିଁ ।
ତେବେ ସବୁଠାରୁ ବଡ କଥା ହେଉଛି ଟାଟା ପାୱାର ପରିଚାଳିତ ବିତରଣ କମ୍ପାନୀଗୁଡିକ ଓଡିଶା ଗାଁ ଠାରୁ ସହର ପର୍ଯ୍ୟନ୍ତ ହିତାଧିକାରୀମାନଙ୍କୁ ଯେଉଁ ବିଦ୍ୟୁତ୍ କାଟ୍ ମେସେଜ୍ ପଠାଉଛନ୍ତି ତାହା ସମ୍ପୂର୍ଣ୍ଣ ଇଂରାଜୀରେ ଦେଉଛନ୍ତି । ଫଳରେ ଗାଁ ଗହଳର ହିତାଧିକାରୀମାନେ ଏହାକୁ ସହଜରେ ବୁଝିପାରୁ ନାହାନ୍ତି । ଏବେ ଗାଁ ଗହଳରେ ଧାନ ଅମଳ ଋତୁ ହୋଇଥିବାବେଳେ ଚାଷୀମାନେ ଏଥିପାଇଁ ବିଦ୍ୟୁତ୍ ଉପରେ ନିର୍ଭର କରୁଛନ୍ତି । ହେଲେ ଭିତ୍ତିଭୂମି ବିକାଶ ନାଁରେ ଘଣ୍ଟା ଘଣ୍ଟା ବିଜୁଳି କାଟ୍ ଏବେ ଫସଲ ଅମଳକୁ ପ୍ରଭାବିତ କରିବାରେ ଲାଗିଛି । ବ୍ୟାପକ ଅର୍ଥ ଖର୍ଚ୍ଚ ସତ୍ୱେ ଅଧିକାଂଶ ସମୟରେ ବିଜୁଳି କାଟ୍ କେବଳ ହିତାଧିକାରୀମାନଙ୍କୁ କଲବଲ କରୁନାହିଁ, ଟଙ୍କା ଖର୍ଚ୍ଚର ସଠିକତା ନେଇ ସେମାନଙ୍କ ମନରେ ପ୍ରଶ୍ନ ଉଠିବାରେ ଲାଗିଲାଣି ।
ଇତି ମଧ୍ୟରେ ବାତ୍ୟା ଦାନାରେ ବିଦ୍ୟୁତ୍ ବିଭାଗର ହୋଇଥିବା କ୍ଷୟକ୍ଷତିର ମରାମତି ଓ ପୁନରୁଦ୍ଧାର ପାଇଁ ଟିପିଏନଓଡିଏଲ୍କୁ ରାଜ୍ୟ ସରକାର ୯୩ କୋଟି ୮୩ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । କମ୍ପାନୀ କିନ୍ତୁ ଏଥିପାଇଁ ୯୬.୮୮ କୋଟି ଟଙ୍କାର ଆକଳନ କରିବା ସହିତ ତାହାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିକଟରେ ଦାଖଲ କରିଥିଲା । (ତଥ୍ୟ)