Home News in Odia ମହାକୁମ୍ଭ ମେଳା ପାଇଁ ସ୍ୱତନ୍ତ୍ର ଟ୍ରେନ

ମହାକୁମ୍ଭ ମେଳା ପାଇଁ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର :  ପ୍ରୟାଗରାଜ ଠାରେ ଆୟୋଜିତ ହେବାକୁଥିବା ଆଗାମୀ ମହାକୁମ୍ଭ ମେଳା ୨୦୨୫ରେ ଯୋଗଦେବାକୁ ଥିବା ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଶେଷ ଟ୍ରେନ ସୁବିଧା ଆୟୋଜନ କରାଯାଇଅଛି ଯାହାକି ଓଡିଶାରୁ ଉତ୍ପତ୍ତି ଏବଂ ଏହା ମଧ୍ୟଦେଇ ଯାତ୍ରା କରିବ । ଏହି ସ୍ୱତନ୍ତ୍ର ଟ୍ରେନଗୁଡିକ ଏହି ଓଡ଼ିଶାର ବିଭିନ୍ନ ପ୍ରମୁଖ ସହରରୁ ପବିତ୍ର ସହର ପ୍ରୟାଗରାଜକୁ ସହଜ ଗମନାଗମନ ସଂଯୋଗ ଯୋଗାଇବ।

ଭୁବନେଶ୍ୱର-ତୁଣ୍ଡଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା କଟକ, ଯଖପୁରା, କେନ୍ଦୁଝରଗଡ, ନୟାଗଡ଼-ବୋକାରୋ-ଗୟା-ପ୍ରୟାଗରାଜକୁ ଯିବ। ଏହି ଟ୍ରେନ୍ ଜାନୁୟାରୀ ୧, ୮, ୨୨ ତାରିଖ ଓ ଫେବୃୟାରୀ ୫, ୧୯, ୨୬ ତାରିଖରେ ଭୁବନେଶ୍ୱର ଠାରୁ ଅପରାହ୍ନ ୧୨ଟା ୩୦ରେ ଛାଡି କେନ୍ଦୁଝରଗଡ-ବୋକାରୋ-ଗୟା-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ । ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ।

ପୁରୀ-ତୁଣ୍ଡଲା-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଭାୟା ଖୋର୍ଦ୍ଧା ରୋଡ଼ -ଭୁବନେଶ୍ୱର-କଟକ -ଯାଜପୁର କେନ୍ଦୁଝର ରୋଡ଼ -ଭଦ୍ରକ-ବାଲେଶ୍ୱର -ଗୟା-ପ୍ରୟାଗରାଜ। ଏହି ଟ୍ରେନ୍ ଜାନୁୟାରୀ ୬ ଓ ୨୦ ତାରିଖ ଓ ଫେବୃୟାରୀ ମାସ ୧୭ ତାରିଖରେ ପୁରୀରୁ ଅପରାହ୍ନ ୧୨ଟା ୩୦ରେ ଛାଡି ଭୁବନେଶ୍ୱର-ଭଦ୍ରକ-ଗୟା-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ। ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ।

ସେହିଭଳି ଟିଟିଲାଗଡ-ତୁଣ୍ଡଲା-ଟିଟିଲାଗଡ଼ ସ୍ୱତନ୍ତ୍ର ଟ୍ରେନ୍ ଭାୟା ବଲାଙ୍ଗୀର – ବରଗଡ଼ – ସମ୍ବଲପୁର-ଝାରସୁଗୁଡା-ରାଉରକେଲା -ଡ଼ିଡ଼ିୟୁ-ପ୍ରୟାଗରାଜକୁ ଆଉ ଏକ ଟ୍ରେନ ଯିବ। ଏହି ଟ୍ରେନ୍ ଜାନୁୟାରୀ ୯, ୧୬, ୨୩ ତାରିଖ ଓ ଫେବୃୟାରୀ ୬, ୨୦, ୨୭ ତାରିଖରେ ଟିଟିଲାଗଡ଼ରୁ ଅପରାହ୍ନ ୧୨ଟା ୩୦ରେ ଛାଡି ବଲାଙ୍ଗୀର, ବରଗଡ଼ ରୋଡ, ସମ୍ବଲପୁର-ଝାରସୁଗୁଡା-ରାଉରକେଲା, ଡ଼ିଡ଼ିୟୁ-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ।

ଏହି ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ବିଶ୍ୱର ସର୍ବବୃହତ ଧାର୍ମିକ ସମାବେଶ ମହାକୁମ୍ଭ ମେଳାକୁ ଯାତ୍ରା କରୁଥିବା ହଜାର ହଜାର ଭକ୍ତଙ୍କୁ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ବିଶେଷ ଭାବେ ଚଳାଚଳ କରୁଅଛି । ଓଡିଶାରୁ ଓ ଓଡିଶା ମଧ୍ୟଦେଇ ଚଳାଚଳ କରୁଥିବା କୁମ୍ଭମେଳା ସ୍ୱତନ୍ତ୍ର ଟ୍ରେନ ଗୁଡିକ ଓଡ଼ିଶାର ସମସ୍ତ ରେଳମାର୍ଗ ସହିତ ଯୋଡ଼ାଯାଇଅଛି ଯେପରିକି ସମସ୍ତ ଜିଲ୍ଲା ମାନଙ୍କରୁ ପ୍ରୟାଗ କୁମ୍ଭମେଳା ଯିବାପାଇଁ ଯାତ୍ରା ସୁବିଧା ଯୋଗାଇ ପାରିବ l