Home Industry ଜଳ ଶୋଷି ଚାଲିଛନ୍ତି ଶିଳ୍ପସଂସ୍ଥା

ଜଳ ଶୋଷି ଚାଲିଛନ୍ତି ଶିଳ୍ପସଂସ୍ଥା

ଭୁବନେଶ୍ୱର : ଆଗାମୀ ଗ୍ରୀଷ୍ମ ଋତୁରେ ଜଳଭାବକୁ ନେଇ ଏବେ ଠାରୁ ଚିନ୍ତା ପ୍ରକଟ କରାଯାଉଥିବାବେଳେ ଶିଳ୍ପସଂସ୍ଥାଗୁଡିକ ଯେଉଁ ହାରରେ ହୀରାକୁଦ ଜଳଭଣ୍ଡାର ଓ ମହାନଦୀ ସମେତ ଅନ୍ୟ ନଦୀଗୁଡିକରୁ ଜଳ ଶୋଷୁଛନ୍ତି ତାହା ସ୍ଥିତିକୁ ବହୁଗୁଣିତ କରିଦେବ । ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳବାସୀ ତ ଦୂରରକଥା ନଦୀକୂଳିଆ ଲୋକେ ବି ପାଣିଟୋପେ ପାଇବେ କି ନାହିଁ ଏବେଠାରୁ ସେହି ଚିନ୍ତାରେ ପଡିଲେଣି ।

ଗୋଟିଏ ପଟେ ପଡୋଶୀ ଛତିଶଗଡ ମହାନଦୀକୁ ପାଣି ଛାଡିବା ନେଇ ଲୁଚୁକାଳି ଖେଳୁଥିବାବେଳେ ଛୋଟ ବଡ ୪୭ଟି ଶିଳ୍ପସଂସ୍ଥା ହୀରାକୁଦ ସମେତ ମହାନଦୀର ବିଭିନ୍ନ ସ୍ଥାନରୁ ନିଜର ଆବଶ୍ୟକତା ପାଇଁ ଜଳ ଶୋଷିବାରେ ଲାଗିଛନ୍ତି । ହୀରାକୁଦରୁ ଜଳ ଶୋଷିବା ତାଲିକାରେ ସବୁଠାରୁ ଆଗରେ ରହିଛି ଝାରଗୁଡାରେ ଥିବା ସେସା ଷ୍ଟେରଲାଇଟ୍‍ କମ୍ପାନୀ । ଏହି କମ୍ପାନୀର ହୀରାକୁଦରୁ ୭୨ କ୍ୟୁସେକ ଜଳ ଟାଣୁଥିବାବେଳେ ସମ୍ବଲପୁରର ଲପଙ୍ଗା ଠାରେ ଥିବା ଆଦିତ୍ୟ ଆଲୁମିନିୟମ କମ୍ପାନୀ ହୀରାକୁଦ ଜଳଭଣ୍ଡାରରୁ ସିଧାସଳଖ ୫୨.୭୩ କ୍ୟୁସେକ ଜଳ ଟାଣୁଛି । ଏହା ପଛକୁ ରହିଛି ସେହି ଇଲାକାରେ ଥିବା ଭୂଷଣ ପାୱାର ଓ ଷ୍ଟିଲ । ଏହି କମ୍ପାନୀ ହୀରାକୁଦରୁ ୪୫ କ୍ୟୁସେକ ପାଣି ଟାଣୁଥିବାବେଳେ ଝାରସୁଗୁଡା ଠାରେ ଥିବା ବେଦାନ୍ତ ଆଲୁମିନିୟମ ହୀରାକୁଦରୁ ୪୦ କ୍ୟୁସେକ ପାଣି ଶୋଷୁଥିବା ଜଣାଯାଇଛି ।

୧୩ଟି ପମୁଖ କମ୍ପାନୀ ସିଧାସଳଖ ଭାବେ ହୀରାକୁଦ ଜଳଭଣ୍ଡାରରୁ ପାଣି ଟାଣୁଥିବାବେଳେ ଆଉ ୩୪ଟି କମ୍ପାନୀ ମହାନଦୀ ଓ ତାହାର ଶାଖାନଦୀରୁ ପାଣି ଟାଣୁଛନ୍ତି । ଏମାନଙ୍କ ଯୋଗୁଁ ମହାନଦୀର ବିଭିନ୍ନ ସ୍ଥାନ ଶୁଖିଲା ପଡୁଥିବାବେଳେ ମତ୍ସ୍ୟଜୀବୀଙ୍କ ବେଉଷା ବୁଡିଗଲାଣି । ଚାଷୀମାନେ ଆବଶ୍ୟକ ପାଣି ପାଇବେ କି ନାହିଁ ସେହିଚିନ୍ତାରେ ରହିଛନ୍ତି ।

କେବଳ ମହାନଦୀ ନୁହେଁ, ବୈତରଣୀ ଉପରେ ମଧ୍ୟ ୩୭ଟି କଳ କାରଖାନା ନିର୍ଭରଶୀଳ । ବୈତରଣୀ ଓ ଏହାର ଶାଖାଦୀ କୁଶେଇ ନାଳ, କାକରପାଣି ନାଳ, ନାଇବାଗା ନାଳ, କୁକୁରଙ୍ଗୀ ନାଳ, ଚାବଡା ନାଳ, କାଶୀ ନାଳ, ଠାକୁରାଣୀ ନାଳ, ତେହେରି ନାଳ ଓ କୁନ୍ଦ୍ରା ନାଳରୁ ଜିନ୍ଦଲ, ଟାଟା ଷ୍ଟିଲ, ଓଏମ୍‍ସି, ରୁଙ୍ଗ୍‍ଟା, ଫାକର, ଏସଏଲ୍‍ ମାଇନିଂ, ଧାମରା ବନ୍ଦର ଭଳି ଶିଳ୍ପସଂସ୍ଥା ପାଣି ଶୋଷୁଛନ୍ତି ।

ସେହିଭଳି ବ୍ରାହ୍ମଣୀ ଉପରେ ଛୋଟବଡ ୬୮ଟି କମ୍ପାନୀ ନିର୍ଭରଶୀଳ ଥିବାବେଳେ ବଂଶଧାରା ଉପରେ ଗୋଟିଏ, ଇନ୍ଦ୍ରାବତୀ ଉପରେ ୩ଟି, କୋଲାବ ଉପରେ ୭ଟି, ନାଗାବଳୀ ଉପରେ ଦୁଇଟି, ଋଷିକୂଲ୍ୟା ଉପରେ ୫ଟି ଓ ସୁବର୍ଣ୍ଣରେଖା ଉପରେ ଗୋଟିଏ ଶିଳ୍ପସଂସ୍ଥା ନିର୍ଭରଶୀଳ । ଏହିସବୁ ଶିଳ୍ପସଂସ୍ଥା ମୁଖ୍ୟ ନଦୀ ସମେତ ଶାଖାନଦୀରୁ ଜଳ ଟାଣିବାରେ ଲାଗିଛନ୍ତି । ଏଥିଯୋଗୁଁ ଗ୍ରୀଷ୍ମଋତୁର ବହୁ ପୂର୍ବରୁ ନଦୀର ବିଭିନ୍ନ ସ୍ଥାନରେ ଜଳଭାବ ପରିଲକ୍ଷିତ ହେଉଛି ।

ଜଳାଭାବର ପ୍ରଭାବ ମତ୍ସ୍ୟଜୀବୀଙ୍କ ବେଉସା ବୁଡାଇଥିବାବେଳେ ବହୁ ସ୍ଥାନରେ ଚାଷବାସ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି । ଏପରିକି ସ୍ୱଳ୍ପ ଜଳରେ କିଭଳି ଚାଷ କରାଯାଇ ପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି । ନଦୀକୂଳରେ ଥିବା ରାଜଧାନୀ ଭଳି ସହରରେ ବି ଖରାଦିନେ ପାନୀୟଜଳ ସମସ୍ୟା ପରିଲକ୍ଷିତ ହେବାରେ ଲାଗିଛି । ତେଣୁ ଆଗାମୀ ଦିନରେ ଜଳର ସ୍ଥିତିକୁ ଦେଖି ଶିଳ୍ପପାଇଁ ଅନୁମତି ପ୍ରଦାନ କରିବାକୁ ପରିବେଶବିତ୍‍ମାନେ ମତ ଦେଉଛନ୍ତି । (ତଥ୍ୟ)