ଭୁବନେଶ୍ୱର : ଗତ ସରକାର ସମୟରେ ୨୦୨୦ ମସିହାରେ ନୂଆ ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍ ପ୍ରଣୟନ କରାଯିବା ଫଳରେ ହଜାର ହଜାର ସଂଖ୍ୟକ ମୃତ ସରକାରୀ କର୍ମଚାରୀଙ୍କ ଉତ୍ତରାଧିକାରୀମାନେ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହୋଇ ବାଧ୍ୟ ବାଧକତାରେ ସରକାରଙ୍କ ବିରୁଦ୍ଧରେ ମାମଲା ଲଢୁଛନ୍ତି । କିନ୍ତୁ ସାତମାସ ଧରି ଏହି ଆଇନ୍ ପ୍ରତ୍ୟାହାର କରାଯାଇ ନଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ବଢୁଛି ।
ଏଠାରେ ଉଲ୍ଲେଖନୀୟ ଯେ ୧୯୯୦ ମସିହାରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍ ପ୍ରଣୟନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏଥିରେ କେତେକ ସଂଶୋଧନ ଅଣାଯାଇଥିଲା । ଏହି ଆଇନ୍ ମୁତାବକ ସରକାରୀ ଚାକିରିରେ ଥାଇ ମୃତ୍ୟୁବରଣ କରୁଥିବା କର୍ମଚାରୀଙ୍କ ପରିବାରର ଆର୍ଥିକ ଦୁଃସ୍ଥିତିକୁ ବିଚାରକୁ ନେଇ ତୁରନ୍ତ ତାଙ୍କରଜଣେ ଉତ୍ତରାଧିକାରୀଙ୍କୁ ଯୋଗ୍ୟତା ଆଧାରରେ ତୃତୀୟ କିମ୍ବା ଚତୁର୍ଥଶ୍ରେଣୀ ପାହ୍ୟାରେ ନିଯୁକ୍ତି ଦିଆଯାଉଥିଲା । ରାଜ୍ୟ ସରକାରଙ୍କ ବିଭିନ୍ନ ନିଗମ, ସଂସ୍ଥା ଓ ପୌରପାଳିକା, ବିଶ୍ୱବିଦ୍ୟାଳୟ, ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ଆଦିରେ ବି ଏହି ଆଇନ୍ ଆଧାରରେ ତୁରନ୍ତ ଅନୁକମ୍ପାମୂଳକ ନିଯୁକ୍ତି ମିଳୁଥିଲା ।
ତେବେ ୨୦୨୦ ମସିହାରେ ରାଜ୍ୟ ସରକାର ବିଜୁ ବାବୁଙ୍କ ଅମଳର ଅନୁକମ୍ପାମୂଳକ ଆଇନ୍କୁ କବର ଦେଇ ଅନ୍ୟଏକ ନୂଆ ଆଇନ୍ ପ୍ରଣୟନ କଲେ । ଏଥିରେ ଏତେ ବାଡ ବାନ୍ଧି ଦିଆଯାଇଛି ସହଜରେ ଜଣେ ହେଲେ କେହି ନିଯୁକ୍ତି ପାଇପାରିବେ ନାହିଁ ।
ବିଜେଡି ସରକାର ଏହି ଆଇନ୍ ଲାଗୁ କଲାବେଳେ ବିରୋଧିଦଳରେ ଥାଇ ବିଜେପି ଓ କଂଗ୍ରେସ ସମେତ ବାମପନ୍ଥୀମାନେ ଏହାର ତୀବ୍ର ବିରୋଧ କରିଥିଲେ । କେବଳ ସେତିକି ନୁହେଁ, ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ବି ଏହାକୁ କଳା ଆଇନ୍ ବୋଲି ଦର୍ଶାଇ ତାହା ବିରୁଦ୍ଧରେ ଆନ୍ଦୋଳନ ମଧ୍ୟ ହୋଇଥିଲା ।
ଅନୁକମ୍ପାମୂଳକ ନିଯୁକ୍ତି ସୁଯୋଗରୁ ଦୀର୍ଘବର୍ଷ ଧରି ବଞ୍ଚିତ ରହିଥିବା ଅନେକ ପରିବାର ଆଶା କରୁଥିଲେ ଯେ ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠିତ ହେବାପରେ ପୁରୁଣା ଆଇନ୍ ପୁଣି ଲାଗୁହେବ ଏବଂ ନୂଆ ଆଇନ୍ ବଦଳିଯିବ । କିନ୍ତୁ ଇତି ମଧ୍ୟରେ ନୂଆ ସରକାର ପ୍ରତିଷ୍ଠାର ସାତମାସ ବିତି ଯାଇଥିବାବେଳେ ଏହି ଆଇନ୍କୁ ବଦଳାଇବା ତ ଦୂରରକଥା ଏହାର ଯଥାର୍ଥତା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଆଇନ୍ ଅଦାଲତମାନଙ୍କରେ ବାରମ୍ବାର ଯୁକ୍ତି ଉପସ୍ଥାପନ କରାଯାଉଛି । ଏମିତିକି ୨୦୨୦ ମସିହାର ନୂଆ ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍ ଆସିବାର ୫/୧୦ ବର୍ଷ ପୂର୍ବରୁ ଯେଉଁମାନେ ନିଯୁକ୍ତି ପାଇଁ ଆବେଦନ କରିଥିଲେ ସେ କ୍ଷେତ୍ରରେ ବି ନୂଆ ଆଇନ୍ର ବ୍ୟବସ୍ଥାନୁଯାୟୀ ଆବେଦନକୁ ନାକଚ କରିଦିଆଯାଉଛି ।
ଏଭଳି ସ୍ଥିତିରେ ଓଡିଶା ହାଇକୋର୍ଟ ଓ ସୁପ୍ରିମ୍କୋର୍ଟରେ ଅନୁକମ୍ପାମୂଳକ ନିଯୁକ୍ତି ସଂକ୍ରାନ୍ତୀୟ ମାମଲାଗୁଡିକର ଚାପ ବଢିବାରେ ଲାଗିଛି । ମଳୟାନନ୍ଦ ସେଠୀ ନାମକ ଜଣେ ଚାକିରି ପ୍ରତ୍ୟାଶୀଙ୍କ ମାମଲାରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ କଥା ଯାଇଥିଲା ଏବଂ ସୁପ୍ରିମ୍କୋର୍ଟଙ୍କ ରାୟ ମୁତାବକ ତାଙ୍କୁ ସରକାର ନିଯୁକ୍ତି ଦେବାକୁ ବାଧ୍ୟ ହୋଇଥିଲେ । ବିଭାଗୀୟ ଅଧିକାରୀମାନେ ରୋକଠୋକ୍ ଭାବେ କହି ଦେଉଛନ୍ତି ଯେ ଆଇନ୍ ଅଦାଲତରୁ ଅନୁରୂପ ରାୟ ନଆଣିଲେ ନିଯୁକ୍ତି ମିଳିବ ନାହିଁ । ତେଣୁ ଦିନକୁ ଦିନ ଏହି କିସମର ମାମଲା ସଂଖ୍ୟା ବଢି ବଢି ଚାଲୁଛି ଏବଂ ଏ କ୍ଷେତ୍ରରେ ପ୍ରଶାସନର ମଧ୍ୟ ବ୍ୟାପକ ସମୟ ଓ ସମ୍ବଳ ଖର୍ଚ୍ଚ ହେଉଛି । (ତଥ୍ୟ)