Home General ସାତ ମାସରେ ପ୍ରଧାନମନ୍ତ୍ରୀଙ୍କ ୫ ଗସ୍ତ

ସାତ ମାସରେ ପ୍ରଧାନମନ୍ତ୍ରୀଙ୍କ ୫ ଗସ୍ତ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରମ୍ବାର ଓଡ଼ିଶା ଗସ୍ତ ଯୋଗୁ ରାଜ୍ୟ ବିଜେପି ସଂଗଠନ ସକ୍ରିୟ ହୋଇଥିବା ବେଳେ ସରକାର ଉପରେ ବି ପ୍ରଭାବ ପଡୁଛି । ଜୁନ୍‍ରୁ ଜାନୁଆରୀ ଭିତରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶାକୁ ୫ଥର ଗସ୍ତ ହେବା ଏକ ରେକର୍ଡ ବୋଲି କୁହାଯାଉଛି ।

୨୦୨୪ ଜୁନ୍‍ ୧୨ ତାରିଖରେ ଓଡ଼ିଶାରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ମନ୍ତ୍ରିମଣ୍ଡଳ ଶପଥ ନେବା ଦିନ ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପିର ବହୁ କେନ୍ଦ୍ରୀୟ ନେତା ଉପସ୍ଥିତ ଥିଲେ । ଏହାପରେ ନିର୍ବାଚନ ପ୍ରତିଶ୍ରୁତି ପାଳନ ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ଲାଗି ଶ୍ରୀ ମୋଦୀ ପୁଣି ଆଉଥରେ ଓଡ଼ିଶା ଗସ୍ତରେ ଆସିଥିଲେ । ଗତମାସରେ ଭୁବନେଶ୍ୱରରେ ଅନୁଷ୍ଠିତ ସର୍ବ ଭାରତୀୟ ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ ମଧ୍ୟ ସେ ଯୋଗ ଦେଇଥିଲେ ।

ଚଳିତମାସ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଏଠାରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଅନୁଷ୍ଠିତ ହେଉଛି । ଏହାର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ଯୋଗଦେଇ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧିତ କରିବେ । ଏଥିରେ ୧୬୦ଟି ଦେଶର ପ୍ରାୟ ସାଢ଼େ ୭ ହଜାର ପ୍ରବାସୀ ଭାରତୀୟ ଯୋଗ ଦେବାର ସମ୍ଭାବନା ରହିଛି । ଏଥିଲାଗି ଭୁବନେଶ୍ୱର ସମେତ ରାଜ୍ୟର ବହୁ ଅଞ୍ଚଳରେ ବ୍ୟାପକ ପ୍ରସ୍ତୁତି କାର୍ଯ୍ୟ ଚାଲିଛି । ଚଳିତମାସର ଶେଷ ପର୍ଯ୍ୟାୟରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି ଉତ୍କର୍ଷ ଓଡ଼ିଶା ସମ୍ମିଳନୀ । ଏଥିରେ ଦେଶ ବିଦେଶର ଅନେକ ପୁଞ୍ଜି ନିବେଶକାରୀ ଅଂଶଗ୍ରହଣ କରିପାରନ୍ତି । ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରହିବେ । ଚଳିତବର୍ଷ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରଧାନମନ୍ତ୍ରୀଙ୍କ ବହୁ କାର୍ଯ୍ୟକ୍ରମ ହେବ ବୋଲି ସୂଚନା ମିଳୁଛି ।

ରାଜ୍ୟରେ ନୂଆ ସରକାର ଗଢ଼ାଯିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ବିଭିନ୍ନ ସ୍ଥାନକୁ ଅନେକ କାର୍ଯ୍ୟକ୍ରମ ହୋଇସାରିଲାଣି । ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଅନୁଷ୍ଠିତ ସମାବେଶରେ ରାଷ୍ଟ୍ରପତି ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଛଡ଼ା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ରୀୟ ବିଜେପି ନେତା ଏକାଧିକଥର ଓଡ଼ିଶା ଗସ୍ତରେ ଆସିସାରିଲେଣି । କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଥିବା ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍‍ ଓରାମ୍‍ ଓ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଘନଘନ ଓଡ଼ିଶା ଗସ୍ତ କରୁଛନ୍ତି । ଏହାଛଡ଼ା ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ନେତାମାନେ ଓଡ଼ିଶାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଦିଲ୍ଲୀରୁ ଆଭାସୀ ଯୋଗେ ବି ଯୋଡ଼ି ହେଉଛନ୍ତି । ଓଡ଼ିଶା ଦାୟିତ୍ୱରେ ଥିବା ବିଜେପିର କେନ୍ଦ୍ରୀୟ ପ୍ରଭାରୀମାନେ ଅଧିକାଂଶ ସମୟ ରାଜ୍ୟ ଭିତରେ କଟାଇ ଦଳୀୟ ସଂଗଠନକୁ ମଜଭୁତ କରୁଛନ୍ତି ।

ଏବେ ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ ଚାଲିବା ସହିତ ମଣ୍ଡଳ, ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରର କର୍ମକର୍ତ୍ତା ନିର୍ବାଚନ ପାଇଁ ପ୍ରକ୍ରିୟା ଚାଲିଛି । କେନ୍ଦ୍ରୀୟ ନେତାମାନଙ୍କ ଘନଘନ ଗସ୍ତ ଏହାକୁ ତ୍ୱରାନ୍ୱିତ କରୁଛି । ବିଶେଷକରି ରାଜ୍ୟରେ ନୂଆ ବିଜେପି ସରକାର ଘେନି ସାଧାରଣ ଲୋକଙ୍କ ମନରେ ଯେଉଁ ଭାବନା ସୃଷ୍ଟି ହେଉଛି ତାହାକୁ ସକାରାତ୍ମକ ରୂପ ଦେବା ପାଇଁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶାକୁ ଫୋକସ୍‍ କରୁଛନ୍ତି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତବ୍ୟକ୍ତ କରୁଛନ୍ତି । ବିଜେପି ସପକ୍ଷରେ ଏଥିଯୋଗୁ ବାତାବରଣ ସୃଷ୍ଟି କରି ବିଜେଡିକୁ ଦୁର୍ବଳ କରିବାରେ ଏହା କେତେଦୂର ସଫଳ ହେବ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ । (ତଥ୍ୟ)