Home Forest ଚିଲିକା ଜୈବ ବିବିଧତାର ସୁରକ୍ଷା ଆବଶ୍ୟକ

ଚିଲିକା ଜୈବ ବିବିଧତାର ସୁରକ୍ଷା ଆବଶ୍ୟକ

ଭୁବନେଶ୍ୱର : ୫ମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଆଜି ଉଦଘାଟିତ ହୋଇଯାଇଛି । ଏଥିରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ୟଟନ ବିଭାଗ ମନ୍ତ୍ରୀ  ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ଚିଲିକାର ସ୍ଵତନ୍ତ୍ର ସ୍ଥାନ ରହିଥିବା ବେଳେ, ନିଜର ଭୌଗୋଳିକ ଅବସ୍ଥିତି ତଥା ଅନୁକୂଳ ପରିବେଶ ନିମିତ୍ତ କେଉଁ ଅନାଦି କାଳରୁ ଚିଲିକା ଏକ ପକ୍ଷୀ ତୀର୍ଥ ପାଲଟିଯାଇଛି । ଦକ୍ଷିଣ ଆଫ୍ରିକାର ଭିକ୍ଟୋରିଆ ହ୍ରଦ ପରେ ଚିଲିକା ବିଶ୍ୱର ଦ୍ଵିତୀୟ ବୃହତ୍ତମ ପକ୍ଷୀ ହ୍ରଦ ଭାବରେ ସାରା ବିଶ୍ଵରେ ପରିଚିତ ।

ଏହି ସମାହାରକୁ ବିଶ୍ଵସ୍ତରରେ ପହଞ୍ଚାଇବା ପାଇଁ ଓ ଚିଲିକା ସହ ସାତକୋଶିଆ, ଭିତରକନିକା ଏବଂ ହୀରାକୁଦ ଭଳି ପକ୍ଷୀ ତୀର୍ଥ ପର୍ଯ୍ୟଟନସ୍ଥଳୀର ବିକାଶ ଓ ପ୍ରୋତ୍ସାହନ କରିବା ନିମନ୍ତେ ଏହି ଉତ୍ସବର ଆୟୋଜନ। ଏହି ଉତ୍ସବର ଭାଗ ନେଉଥିବା ସମସ୍ତ ଅଂଶଗ୍ରହଣକାରୀ ଆମ ପାଇଁ ଜଣେ ଜଣେ ବ୍ରାଣ୍ଡ ଆମ୍ବାସାଡାର ।  ଜବରଦଖଲ ହଟାଇବା ଭଳି ସୁରକ୍ଷାମୂଳକ କାର୍ଯ୍ୟଠାରୁ ଆରମ୍ଭ କରି ୫ମ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ ଭଳି ପ୍ରଚାର ଅଭିଯାନ ପର୍ଯ୍ୟନ୍ତ – ଆମେ ମିଳିତ ଭାବରେ ଓଡ଼ିଶା – ଚିଲିକା ସହିତ ସାତକୋଶିଆ, ଭିତରକନିକା ଏବଂ ହୀରାକୁଦ ଭଳି ଅନ୍ୟାନ୍ୟ ସ୍ୱତନ୍ତ୍ର ସ୍ଥାନଗୁଡ଼ିକୁ ଏସିଆ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସବୁଠାରୁ ଆକର୍ଷଣୀୟ ପକ୍ଷୀ କେନ୍ଦ୍ର କରିବାକୁ ପ୍ରୟାସ କରୁଛୁ।

ଆମେ ଏହି ମହୋତ୍ସବରେ ସ୍ଥାନୀୟ ନାବିକ ସମ୍ପ୍ରଦାୟକୁ ନିୟୋଜିତ କରିଛୁ ଯାହାଦ୍ୱାରା ସ୍ଥାୟୀ ପର୍ଯ୍ୟଟନ ଅଭ୍ୟାସ ପ୍ରତି ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରି ସଂରକ୍ଷଣ ପ୍ରୟାସରେ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ ହୋଇପାରିବ। ସାରା ଦେଶରେ ପକ୍ଷୀପ୍ରେମୀଙ୍କ ପ୍ରତିନିଧିତ୍ୱ ହିଁ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବକୁ ସଫଳ କରିଥାଏ । ଗତ ଜାନୁୟାରୀ ୨୦୨୪ ପକ୍ଷୀ ଗଣନା ଅନୁଯାୟୀ ଚିଲିକାକୁ ପ୍ରାୟ ୧୮୭ ପକ୍ଷୀ ପ୍ରଜାତିର ୧୧.୩୭ଲକ୍ଷ ପକ୍ଷୀ ଆସିଥିଲେ । ଅଧିକରୁ ଅଧିକ  ପକ୍ଷୀପ୍ରେମୀ ଏହି ପକ୍ଷୀ ସ୍ୱର୍ଗ ପରିଦର୍ଶନ କରିବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଆହ୍ବାନ ଦେଇଥିଲେ ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା  ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ପ୍ରାକୃତିକ ଐତିହ୍ୟ, ଜୈବବିବିଧତାର ସଂରକ୍ଷଣ ନିମନ୍ତେ ଓଡ଼ିଶା ପ୍ରତିବଦ୍ଧ । ଏହି ୫ମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଚିଲିକା ହ୍ରଦର ସୌନ୍ଦର୍ଯ୍ୟ, ଜୈବବିବିଧତା, ସୁରକ୍ଷା ଏବଂ ଗୋଷ୍ଠୀ ପରିଚାଳିତ ସଂରକ୍ଷଣର ଗରିମାମୟ ଐତିହ୍ୟକୁ ଅଧିକ ଋଦ୍ଧିମନ୍ତ କରିବା ନିମନ୍ତେ ଏକ ପ୍ରଚେଷ୍ଟା । ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏହି ଜାତୀୟ ଚିଲିକା ପକ୍ଷୀ ଉତ୍ସବରେ ସାମିଲ ହେବା ପାଇଁ ନାମ ପଞ୍ଜୀକରଣ କରି ମଙ୍ଗଳାଯୋଡ଼ି, ନଳବଣ ପ୍ରଭୃତି ପକ୍ଷୀ ଭୂସ୍ୱର୍ଗକୁ ଦେଖିବାର ମଜା ଉଠାନ୍ତୁ ଓ ଲକ୍ଷାଧିକ ପକ୍ଷୀଙ୍କ ସମାଗମକୁ ମନଭରି ଉପଭୋଗ କରନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ସିଂ ଖୁଣ୍ଟିଆ ପ୍ରକାଶ କରିଥିଲେ ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଉତ୍ସବରେ ଅତିଥି ଭାବେ ଯୋଗଦେଇ କହିଲେ ଯେ ଚିଲିକାର ଗୁରୁତ୍ୱ, ମହତ୍ତ୍ୱ ଓ ସୌନ୍ଦର୍ଯ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଜାତୀୟ ଚିଲିକା ବିହଙ୍ଗ ଉତ୍ସବର ଲକ୍ଷ୍ୟ । ସ୍ଥାନୀୟ ଲୋକମାନେ ଚିଲିକା ହ୍ରଦ ଓ ଚିଲିକାକୁ  ଆସୁଥିବା ପକ୍ଷୀମାନଙ୍କ ସୁରକ୍ଷା ଦାୟିତ୍ୱ ନେବା 
ଜରୁରୀ । ସେମାନଙ୍କର ବିକଳ୍ପ ଜୀବନଜୀବିକା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଚିଲିକା ହ୍ରଦ ମଧ୍ୟରେ ସୌରଶକ୍ତି ଚାଳିତ ଡଙ୍ଗା ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ ।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ୱାଳ ଚିଲିକା ହ୍ରଦକୁ ଓଡ଼ିଶାର ଅନୁପମ ପ୍ରାକୃତିକ ବିଭବ ତଥା ସୌନ୍ଦର୍ଯ୍ୟର ଗନ୍ତାଘର ବୋଲି ଅଭିହିତ କରି ବିହଙ୍ଗ ଉତ୍ସବ ପକ୍ଷୀ ପର୍ଯ୍ୟଟନକୁ ଅଧିକ ଆକର୍ଷଣୀୟ କରି ଗଢ଼ିତୋଳିବ ବୋଲି କହିଥିଲେ ।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଶ୍ରୀ ପ୍ରେମ୍‌ କୁମାର ଝା ସ୍ୱାଗତ ଭାଷଣ ଦେଇଥିଲେ । ପୂର୍ବରୁ ଅତିଥିମାନେ ଫଟୋ, ପୋଷ୍ଟର ଓ ପେଣ୍ଟିଂ ପ୍ରତର୍ଶନୀକୁ ଉଦ୍‌ଘାଟନ କରିଥିଲେ । ବି.କେ ଆର୍ଟ କଲେଜ, କଳିଙ୍ଗ, ଧଉଳି ଓ ଖଲ୍ଲିକୋଟ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ରକଳା ପୋଷ୍ଟର ଓ ଫଟୋ ପ୍ରଦର୍ଶନୀ ଅତିଥିମାନଙ୍କୁ ଚମତ୍କୃତ କରିଥିଲା । ନନ୍ଦନକାନନ ମୁଖ୍ୟ ବନ ସଂରକ୍ଷକ ତଥା ନିର୍ଦ୍ଦେଶକ ଶ୍ରୀ ମନୋଜ ଭି ନାୟାର ଧନ୍ୟବାଦ ଦେଇଥିଲେ । ପ୍ରଚାରଧର୍ମୀ ବୃତ୍ତଚିତ୍ର ମୁଖ୍ୟ ଅତିଥି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କା ଦ୍ୱାରା ଲୋକାର୍ପିତ ହୋଇଥିଲା ।

ବିଭାଗ ଦ୍ୱାରା ପ୍ରସ୍ତୁତ ‘ବାର୍ଡ ଅଫ୍‌ ଚିଲିକା ଲେକ୍‌’ ପକେଟ୍‌ ଡାଏରୀକୁ ଉନ୍ମୋଚନ କରାଯାଇଥିଲା ଚିତ୍ରାଙ୍କନ, ପୋଷ୍ଟର, କୁଇଜ୍‌ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପକ୍ଷୀ ବିଶାରଦ ଡ. ଅସାଦ ରହମାନୀ ଓ ଡ. ସୁରେଶ କୁମାରଙ୍କ ସହ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବନ୍ୟପ୍ରାଣୀ ଫଟୋଗ୍ରାଫର ଧ୍ରୀତିମାନ ମୁଖାର୍ଜୀଙ୍କୁ ଉପମୁଖ୍ୟମନ୍ତ୍ରୀ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ । ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲୱନ୍ତ ସିଂ ଉପସ୍ଥିତ ଥିଲେ । ବିଭାଗର ବହୁ ପଦାଧିକାରୀ, ପରିବେଶବିତ୍‌, ପକ୍ଷୀପ୍ରେମୀ ଓ ଫଟୋଗ୍ରାଫରମାନେ ମଧ୍ୟ ଉପସ୍ଥିତ ଥିଲେ ।

ଦ୍ୱିତୀୟ ପର୍ଯ୍ୟାୟରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପକ୍ଷୀ ବିଶାରଦ ଡ. ଅସାଦ ରହମାନୀ ଓ ଡ. ସୁରେଶ କୁମାରଙ୍କ ସହ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବନ୍ୟପ୍ରାଣୀ ଫଟୋଗ୍ରାଫର ଧ୍ରୀତିମାନ ମୁଖାର୍ଜୀ ନିଜ ନିଜ ଜୀବନର ଅଭିଜ୍ଞତା ବର୍ଣ୍ଣନା ଓ ଭାବ ବିନିମୟ ଉପସ୍ଥିତ ସମସ୍ତଙ୍କ ମନକୁ ବେଶ୍‌ ଛୁଇଁଥିଲା ।