Home General ଭିନ୍ନକ୍ଷମ ଅଧିକାରୀ ଆଇନ୍‍ ରୂପାୟନ ପାଇଁ ଚିଠି

ଭିନ୍ନକ୍ଷମ ଅଧିକାରୀ ଆଇନ୍‍ ରୂପାୟନ ପାଇଁ ଚିଠି

ଭୁବନେଶ୍ୱର : ଭିନ୍ନକ୍ଷମ ଅଧିକାର ଆଇନ ୨୦୧୬ ଓ ଓଆରପିଡବ୍ଲ୍ୟୁଡି ନିୟମ, ୨୦୧୮ର ସଠିକ ରୂପାୟନ ନିମନ୍ତେ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ଭିନ୍ନକ୍ଷମ ସମ୍ପର୍କିତ ଜିଲ୍ଲାସ୍ତରୀୟ କମିଟିର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ସହ ଆଇନ ଓ ନିୟମପାଳନ ସୁନିଶ୍ଚିତ କରିବାକୁ କହିଛନ୍ତି । ଏ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ (ଏସ୍‌ଏସ୍‌ଇପିଡି) ର ସଚିବ ଆର୍ ଏସ୍ ଗୋପାଳନ୍ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।

ଏସ୍‌ଏସ୍‌ଇପିଡି ସଚିବ କହିଛନ୍ତି, ଓଆରପିଡବ୍ଲ୍ୟୁଡି ନିୟମ, ୨୦୧୮ର ଧାରା ୨୩ ଓ ୨୪ ଅନୁଯାୟୀ ଗଠିତ ଭିନ୍ନକ୍ଷମ ସମ୍ପର୍କିତ ଜିଲ୍ଲାସ୍ତରୀୟ କମିଟିଗୁଡ଼ିକୁ ତୁରନ୍ତ ସକ୍ରିୟ କରିବା ଏବଂ ର୍ନିଦ୍ଧାରିତ ମାନଦଣ୍ଡ ପାଳନ କରିବାର ଆବଶ୍ୟକତା ରହିଛି ।

ଭିନ୍ନକ୍ଷମ ଅଧିକାର ଆଇନ, ୨୦୧୬ ଏବଂ ଓଆରପିଡବ୍ଲ୍ୟୁଡି ନିୟମ, ୨୦୧୮ ଅଧୀନରେ ଥିବା ବ୍ୟବସ୍ଥାଗୁଡ଼ିକର ପ୍ରଭାବଶାଳୀ ରୂପାୟନ ସୁନିଶ୍ଚିତ କରିବା ପାଇଁ ବର୍ତ୍ତମାନର ସରକାରୀ ସଦସ୍ୟମାନଙ୍କୁ ସାମିଲ କରି ସଦସ୍ୟତାରେ ଆବଶ୍ୟକ ପରିବର୍ତ୍ତନ ସହିତ ବିନା ବିଳମ୍ବରେ ଭିନ୍ନକ୍ଷମ ସମ୍ପର୍କିତ ସମସ୍ତ ଜିଲ୍ଲାସ୍ତରୀୟ କମିଟିର ବୈଠକ କରିବାକୁ ସେ ଜିଲ୍ଲାପାଳମାନଙ୍କୁ କହିଛନ୍ତି ।

ଏହି ଆଇନ ଅନୁଯାୟୀ ୨୧ଟି ବର୍ଗର ଭିନ୍ନକ୍ଷମ ବ୍ୟକ୍ତିଙ୍କ ମଧ୍ୟରୁ ଅତି କମରେ ଜଣେ ଲେଖାଏଁ ପ୍ରତିନିଧିଙ୍କୁ ସହଯୋଗ କରିବାକୁ କମିଟିଗୁଡ଼ିକୁ ନିର୍ଦେଶ ଦିଆଯାଇଛି, ଯାହା କି ସମସ୍ତ ବର୍ଗର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏକ ଜରୁରୀ ପଦକ୍ଷେପ ବୋଲି ଶ୍ରୀ ଗୋପାଳନ କହିଛନ୍ତି ।

କମିଟିଗୁଡ଼ିକ ପ୍ରତି ତ୍ରୈମାସରେ ଅତିକମରେ ଥରେ ନିୟମିତ ବୈଠକ ଡାକିବା ଉଚିତ୍‍ । ଆବଶ୍ୟକ ପଡ଼ିଲେ ଜିଲ୍ଲାପାଳମାନେ ତାଙ୍କର ଜଣେ ବରିଷ୍ଠ ଅଧିକାରୀଙ୍କୁ ବୈଠକରେ ଅଧ୍ୟକ୍ଷତା କରିବାକୁ ନିର୍ଦ୍ଦେଶ ଦେଇପାରିବେ । ଏଥିରେ ଭିନ୍ନକ୍ଷମ ସମ୍ବନ୍ଧୀୟ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଉପରେ ନଜର ରଖିବା ଏବଂ ଜିଲ୍ଲାରେ ଭିନ୍ନକ୍ଷମଙ୍କ ଅଭିଯୋଗର ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଜାନୁଆରୀ, ଏପ୍ରିଲ, ଜୁଲାଇ ଓ ଅକ୍ଟୋବର ୧୦ ତାରିଖ ସୁଦ୍ଧା କେବଳ ଅନ୍ଲାଇନ୍ ମାଧ୍ୟମରେ ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାସ୍ତରୀୟ କମିଟିଗୁଡ଼ିକୁ କୁହାଯାଇଛି । ଜିଲ୍ଲାସ୍ତରୀୟ ଭିନ୍ନକ୍ଷମ କମିଟି ଯେପରି ର୍ନିଦ୍ଧାରିତ ମାର୍ଗଦର୍ଶିକା ଅନୁଯାୟୀ ପ୍ରଭାବଶାଳୀ ଭାବେ କାର୍ଯ୍ୟ କରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଏସ୍‌ଏସ୍‌ଇପିଡି ସଚିବ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଉପରୋକ୍ତ ନିର୍ଦ୍ଦେଶାବଳୀ ପାଳନ ନକରିବାକୁ ଗମ୍ଭୀରତାର ସହ ବିଚାର କରାଯିବ । ଏସଏସଇପିଡି ବିଭାଗ ଏହି କମିଟିଗୁଡ଼ିକର କାର୍ଯ୍ୟକାରିତା ଆକଳନ କରିବା ପାଇଁ ନିୟମିତ ସମୀକ୍ଷା କରିବ ବୋଲି ସେ ଚେତାବନୀ ଦେଇଛନ୍ତି । (ତଥ୍ୟ)