Home News in Odia ସିଧାସଳଖ ବିମାନସେବାର ଶୁଭାରମ୍ଭ

ସିଧାସଳଖ ବିମାନସେବାର ଶୁଭାରମ୍ଭ

ଭୁବନେଶ୍ୱର : ବିକଶିତ ଓଡ଼ିଶା ପାଇଁ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଓ ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଦେଶର ପ୍ରମୁଖ ସ୍ଥାନଗୁଡ଼ିକୁ ବିମାନ ସେବାର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱରରୁ ଜୟପୁର, କୋଚି, ଲକ୍ଷ୍ନୌ ଓ ପାଟ୍‌ନା ଏବଂ ଝାରସୁଗୁଡ଼ାରୁ ହାଇଦ୍ରାବାଦ, ରାୟପୁର ଓ ଲକ୍ଷ୍ନୌକୁ ବିମାନ ଚଳାଚଳ କରିବ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ପ୍ରସ୍ତୁତ ନୂଆ ଡେଷ୍ଟିନେସନ୍‌ ପଲିସି (ଏନ୍‌ଡିପି) ୨୦୨୪ ଆଧାରରେ ଏପରି ଉଡ଼ାଣ ରାଜ୍ୟର ବିମାନସେବା ଭିତ୍ତିଭୂମିକୁ ପ୍ରଶସ୍ତ କରିବ ବୋଲି କୁହାଯାଇଛି ।

ଆଜିର ଉଡ଼ାଣ କାର୍ଯ୍ୟକ୍ରମରେ ଭୁବନେଶ୍ୱର-ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ପତାକା ଦେଖାଇ ବିମାନସେବାର ଶୁଭାରମ୍ଭ କରି କହିଲେ ଯେ ଏହା ଫଳରେ ଭାରତର ଅନ୍ୟାନ୍ୟ ଅଞ୍ଚଳ ସହିତ ଆମ ରାଜ୍ୟର ଲୋକ, ସଂସ୍କୃତି ଓ ଅର୍ଥନୀତି ମଧ୍ୟ ସଂଯୁକ୍ତ ହେବ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସମର୍ଥ ଦିଗ୍‌ଦର୍ଶନ ଓ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ଏପରି ମହତ୍ତ୍ୱାକାଂକ୍ଷୀ ଅଭିଯାନ ସଫଳ ହୋଇଛି ବୋଲି ଦର୍ଶାଇ ଶ୍ରୀ ସିଂ କହିଲେ ଯେ ନୂଆସ୍ଥାନଗୁଡ଼ିକୁ ବିମାନ ଚଳାଚଳ ହେଲେ ରାଜ୍ୟର ଛାତ୍ରଛାତ୍ରୀ, ବୃତ୍ତିଧାରୀ ଓ ବ୍ୟବସାୟୀଙ୍କ ପରି ସମାଜର ବିଭିନ୍ନ ଶ୍ରେଣୀର ବ୍ୟକ୍ତିବିଶେଷ ଉପକୃତ ହେବେ । ଅନୁରୂପ ଭାବରେ ଚିଲିକା ଓ କୋଚି ମଧ୍ୟରେ ନୌବାହିନୀରେ କାର୍ଯ୍ୟରତ ବନ୍ଧୁମାନେ ଗତାଗତ କରିପାରିବେ । ଏହି ବିମାନ ସେବା ସମସ୍ତଙ୍କ ମଧ୍ୟରେ ସଂପର୍କ ଦୃଢ଼ କରିବ ଓ ଜୀବନଧାରାକୁ ସୁଗମ କରିବ ବୋଲି ଶ୍ରୀ ସିଂ ପ୍ରକାଶ କରିଥିଲେ । ସେ ପ୍ରଥମ ବିମାନ ଯାତ୍ରୀଙ୍କୁ ଟିକେଟ ହସ୍ତାନ୍ତର କରିଥିଲେ ।

ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ଓ ଷ୍ଟାର୍‌ ଏୟାର ରାଜ୍ୟ ସରକାରଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିଛନ୍ତି ଏବଂ ଦେଶର ବିଭିନ୍ନ ଅଞ୍ଚଳ ସହିତ ଓଡ଼ିଶାର ଯୋଗାଯୋଗକୁ ଗତିଶୀଳ କରିଛନ୍ତି । ଆଜି ଭୁବନେଶ୍ୱରରୁ ଜୟପୁର ଓ କୋଚି ମଧ୍ୟରେ ବିମାନସେବାର ଶୁଭାରମ୍ଭ ହୋଇଥିବାବେଳେ ଆସନ୍ତାକାଲି ଲକ୍ଷ୍ନୌକୁ ଉଡ଼ାଣ ହେବ । ୧୫ ତାରିଖ ଦିନ ପାଟ୍‌ନାକୁ ମଧ୍ୟ ଉଡ଼ାଣ ହେବ । ଇତି ମଧ୍ୟରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ଭୁବନେଶ୍ୱରରୁ ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ହାଇଦ୍ରାବାଦ, ଜୟପୁର, କୋଚି, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ପାଟ୍‌ନା ଓ ପୁନେକୁ ୧୦୪ ସାପ୍ତାହିକ ବିମାନସେବା ଜାରି ରଖିଛି ।

ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ କର୍ତ୍ତୃପକ୍ଷ ବିମାନକୁ ଓଡ଼ିଶାର ପାରମ୍ପରିକ ସମୃଦ୍ଧ ବୟନକଳାରେ ସୁଶୋଭିତ କରିଥିବାରୁ ବିଭିନ୍ନ ମହଲରେ ଆନନ୍ଦ ପ୍ରକାଶ ପାଇଛି ।

ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କହିଛନ୍ତି ଯେ ରାଜ୍ୟରେ ବିମାନସେବା କ୍ଷେତ୍ରରେ ଏପରି ସଂପ୍ରସାରଣ ଅର୍ଥନୀତିକ ପ୍ରଗତି ଓ ସୁଦୃଢ଼ ସଂପର୍କକୁ ଅଧିକ ଗତିଶୀଳ କରିବା ସହିତ ଆମର ପର୍ଯ୍ୟଟନ ସମେତ ବିମାନସେବା କ୍ଷେତ୍ରକୁ ପରିପୁଷ୍ଟ କରିବ । କାର୍ଯ୍ୟକ୍ରମରେ ବିଭାଗର ପଦସ୍ଥ ଅଧିକାରୀବୃନ୍ଦଙ୍କ ସମେତ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।