Home News in Odia ଠକଙ୍କ ନୂଆ ଫର୍ମୁଲା ରେକର୍ଡିଂ କଲ୍‍

ଠକଙ୍କ ନୂଆ ଫର୍ମୁଲା ରେକର୍ଡିଂ କଲ୍‍

ଭୁବନେଶ୍ୱର : ସାଇବର ଠକଙ୍କର ଏବେ ନୂଆ ତରିକା । ଲୋକଙ୍କୁ ଠକିବାପାଇଁ ଏବେ ମୋବାଇଲକୁ ରେକର୍ଡିଂ କଲ କରୁଛନ୍ତି । ଇ-ମେଲ୍‍ରେ ବି ମିଛ ମେସେଜ୍‍ ପଠାଇବା ଆରମ୍ଭ କରିଛନ୍ତି ।

ପୂର୍ବରୁ ସାଇବର ଠକମାନେ ଲୋକଙ୍କୁ ଟେଲିଫୋନ୍‍ କରି ବିଭିନ୍ନ ଲୋଭନୀୟ କଥା କହି ଠକୁଥିଲେ । ହେଲେ ଅନେକ ବ୍ୟକ୍ତି ସଚେତନ ହେବା ସହିତ ଟେଲିଫୋନ୍‍ରେ ଗାଳିମନ୍ଦ କରିବା ଯୋଗୁଁ ଠକମାନେ ଏବେ ସେମାନଙ୍କର ତରିକା ବଦଳାଇ ଦେଇଛନ୍ତି । ଏବେ ଭିନ୍ନ ଭିନ୍ନ ନମ୍ବରରୁ ଲୋକଙ୍କୁ ନିକଟକୁ ରେକର୍ଡିଂ କଲ୍‍ ଆସୁଛି । ଫୋନ୍‍ ଉଠାଇଲେ ସେପଟୁ ଅବିକଳ ଭାବେ ଜଣେ ମହିଳା କଥା କହିଲା ଭଳି ଲାଗୁଛି । ଅଧିକାଂଶ ଫୋନ୍‍ ଟେଲିଫୋନ୍‍ ସଂଯୋଗ କଟିବା ନେଇ ଆସୁଛି । ଦୁଇ ଘଣ୍ଟା ମଧ୍ୟରେ କେୱାଇସି ନଦେଲେ ଟେଲିଫୋନ୍‍ କାଟି ଦିଆଯିବ ବୋଲି କୁହାଯାଉଛି ।

ସେହିଭଳି ବିଭିନ୍ନ ବୀମା କମ୍ପାନୀ ନାଁରେ ଏବେ ରେକର୍ଡିଂକଲ୍‍ ମୋବାଇଲ୍‍କୁ ଆସୁଛି । ଉଠାଇଲା ମାତ୍ରେ ବୀମା ପ୍ରିମିୟମ ନଦେଲେ ପୂର୍ବରୁ ଦେଇଥିବା ଟଙ୍କା ବୁଡିଯିବାର ଭୟ ଦେଖାଯାଉଛି । ଯେଉଁମାନେ କେବେହେଲେ ସେହିସବୁ ବୀମା କମ୍ପାନୀର ନାଁ ଶୁଣିନାହାନ୍ତି ସେହି କମ୍ପାନୀର ଏଜେଣ୍ଟ ବୋଲି ପରିଚୟ ଦେଇ କଲ୍‍ ଆସୁଛି ।

ବିଦ୍ୟୁତ୍‍ ସଂଯୋଗ କାଟିବାପାଇଁ ସିଧାସଳଖ ଫୋନ୍‍ କିମ୍ବା ମେସେଜ୍‍ ଆସୁଛି । ହିତାଧିକାରୀଙ୍କୁ ଭୟ ଦେଖାଯାଉଛି ଯେ ସେମାନେ ବାକିଆ ବିଲ୍‍ ପଇଠ ନକଲେ ଦୁଇ ଘଣ୍ଟା ମଧ୍ୟରେ ସେମାନଙ୍କ ସଂଯୋଗ କାଟି ଦିଆଯିବ ବୋଲି କୁହାଯିବା ସହିତ ତୁରନ୍ତ ଟଙ୍କା ପଇଠ ପାଇଁ ଠକ୍‍ମାନେ ଲିଙ୍କ୍‍ ଦେଉଛନ୍ତି । ଯେଉଁମାନେ ବିଦ୍ୟୁତ୍‍କାଟ୍‍ ଭୟରେ ଲିଙ୍କ୍‍ରେ କ୍ଲିକ୍‍ କରୁଛନ୍ତି ସେମାନଙ୍କ ଟଙ୍କା ଆଖିପିଛୁଳାକେ କଟି ଯାଉଛି ।

ବର୍ତ୍ତମାନ ସାଇବର ଠକଙ୍କ ମୁକାବିଲା ପାଇଁ ବିଭିନ୍ନ ସ୍ତରରେ ଲୋକଙ୍କୁ ସଚେତନ କରାଯାଉଥିବାବେଳେ ଠକମାନେ ବି ଏହାର ସୁରାକ ପାଇଁ ନୂଆ ନୂଆ ଉପାୟରେ ଠକିବା ଆରମ୍ଭ କରିଛନ୍ତି । ବିଏସଏନଏଲ୍‍ ନାଁରେ ଏବେ ଅନେକଗୁଡିଏ ମିଛ ଇମେଲ୍‍ ଆସିବାରେ ଲାଗିଛି । ଏଥିରେ ଦର୍ଶାଯାଉଛି ଯେ ହିତାଧିକାରୀମାନେ ସେମାନଙ୍କ ସଂଯୋଗ କାଟିବାକୁ ଅନୁରୋଧ କରିଛନ୍ତି । ଏହା ଖୁବ୍‍ଶୀଘ୍ର କାଟି ଦିଆଯିବ । ଯେଉଁମାନେ ଠକଙ୍କ ଚାଲ୍‍ ବୁଝିପାରୁ ନାହାନ୍ତି ସେମାନେ ଠିକାମୀରେ ପଡିବା ସାର ହେଉଛି ।

ତେବେ ବିଦ୍ୟୁତ୍‍ କମ୍ପାନୀ ଠାରୁ ଆରମ୍ଭକରି, ବୀମା ଓ ଟେଲିଫୋନ୍‍ କମ୍ପାନୀ ପର୍ଯ୍ୟନ୍ତ ବିଭିନ୍ନ ସଂସ୍ଥା ନାଁରେ ଠକମାନେ ଲୋକଙ୍କୁ ଚୂନା ଲଗାଉଥିବାବେଳେ ସମ୍ପୃକ୍ତ ସଂସ୍ଥା କିନ୍ତୁ ଏ ଦିଗରେ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନାହାନ୍ତି । ବରଂ ଲୋକଙ୍କୁ ସଚେତନ କରିବାପାଇଁ ବାର୍ତ୍ତାଟିଏ ଦେଇ ବସିଯାଉଛନ୍ତି । ଯେଉଁ ଟେଲିଫୋନ୍‍ ନମ୍ବରରୁ ସେମାନଙ୍କ ନାଁରେ ଠକେଇ ହେଉଛି ତାହା ବିରୁଦ୍ଧରେ ସମ୍ପୃକ୍ତ ସଂସ୍ଥାମାନେ ଆଇନ୍‍ର ଆଶ୍ରୟ ନେଉନାହାନ୍ତି । ସେହିଭଳି ଯେଉଁମାନେ ବଡ ଧରଣର ଠକାମୀର ଶିକାର ହେଉଛନ୍ତି ସେମାନେ ହିଁ ଆଇନ୍‍ର ଆଶ୍ରୟ ନେଉଛନ୍ତି । ହେଲେ ଠକ୍‍ଙ୍କ ଟେଲିଫୋନ୍‍ ପାଉଥିବା ବହୁ ବ୍ୟକ୍ତି ଆଇନ୍‍ର ଆଶ୍ରୟ ନେବା ବଦଳରେ ଚୁପ୍‍ଚାପ୍‍ ରହିବାକୁ ଉଚିତ୍‍ ମଣୁଚନ୍ତି । (ତଥ୍ୟ)