ଭୁବନେଶ୍ୱର : ଓଡ଼ିଶା ସରକାର ‘କୁଟୁମ୍ବ’ ଯୋଜନାରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉତ୍ତରଦାୟଦମାନଙ୍କୁ ଭତ୍ତା ପ୍ରଦାନ କରିବା ପାଇଁ ପୂର୍ବରୁ ଯେଉଁ ଘୋଷଣା କରାଯାଇଥିଲା ତାହା କେବେଠାରୁ ଲାଗୁ ହେବ ସେ ସଂକ୍ରାନ୍ତରେ ସରକାର ସ୍ପଷ୍ଟ ଘୋଷଣା କରିବାକୁ ଦାବି ହେଉଛି । ଏଥିସହିତ ୧୯୭୫ ମସିହାର ଜାତୀୟ ଜରୁରୀ ପରିସ୍ଥିତି ସମୟରେ ଯେଉଁମାନଙ୍କୁ ବନ୍ଦୀ କରାଯାଇଥିଲା ସେମାନଙ୍କୁ ଓ ସେମାନଙ୍କ ପରିବାରବର୍ଗଙ୍କୁ ଦ୍ୱିତୀୟ ସ୍ୱତନ୍ତ୍ର ସେନାନୀ ସମ୍ମାନ ନିଧି ପ୍ରଦାନ ପାଇଁ ବି ଦାବି ଜୋର ଧରିଛି ।
ଗତ ଅଗଷ୍ଟ କ୍ରାନ୍ତି ଦିବସ ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ଏକ ମନୋଜ୍ଞ ସମାବେଶରେ ‘କୁଟୁମ୍ବ’ ଯୋଜନା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଏହା ପରଠାରୁ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ଉତ୍ତରାଧିକାରୀମାନେ କୁଟୁମ୍ବ ଯୋଜନା ଲାଗି ଆବେଦନ କରିବା ପାଇଁ ଅପେକ୍ଷା କରି ବସିଛନ୍ତି । ତେବେ ଏଯାବତ୍ ଏହି ଯୋଜନାର ସ୍ୱତନ୍ତ୍ର ରୂପରେଖ ନିର୍ଦ୍ଧାରଣ କରାଯାଇ ନାହିଁ ।
କୁଟୁମ୍ବ ଯୋଜନା ପାଇଁ ସ୍ୱତନ୍ତ୍ର ବଜେଟ୍ ବ୍ୟବସ୍ଥା ହୋଇନଥିଲେ ମଧ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ଦିଆଯାଉଥିବା ପେନ୍ସନ୍ ବାବଦରେ ବଜେଟ୍ରେ ବ୍ୟବସ୍ଥା ରହିଛି । ମୃତ ସଂଗ୍ରାମୀଙ୍କ ପରିବାରବର୍ଗଙ୍କୁ ଏଥିରୁ ଅର୍ଥ ଦିଆଯିବାରେ ବିଶେଷ କିଛି ସମସ୍ୟା ଉପୁଜିବ ନାହିଁ ବୋଲି କୁହାଯାଉଛି । ତେବେ ୧୯୨୦ରୁ ୧୯୪୭ ପର୍ଯ୍ୟନ୍ତ ରାଜ୍ୟରେ ଯେଉଁମାନେ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ ସେମାନଙ୍କ ପୁଅ, ଝିଅ, ନାତି, ନାତୁଣୀ, ଅଣ ନାତି, ଅଣନାତୁଣୀ ଆଦିଙ୍କ ମଧ୍ୟରୁ କାହାକୁ କିପରି ବଛାଯିବ ଓ କାହାକୁ କଟାଯିବ ସେ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ମାର୍ଗ ନିର୍ଦ୍ଦେଶିକା ପ୍ରସ୍ତୁତ ହେବା ପରେ ଯାଇ ବହୁ ପ୍ରଚାରିତ କୁଟୁମ୍ବ ଯୋଜନା ବାସ୍ତବ ରୂପ ନେଇପାରେ ବୋଲି ଆଶା କରାଯାଉଛି । ଆଗାମୀ ଜାନୁଆରୀ ୨ ତାରିଖରେ ସ୍ୱାଧୀନତା ସଂଗ୍ରାମୀ ସମିତିର ବାର୍ଷିକ ଉତ୍ସବ ସମାରୋହ ଅବସରରେ ଏ ସଂକ୍ରାନ୍ତରେ ବଡ଼ଧରଣର ଘୋଷଣା ଆସିପାରେ ବୋଲି ଅନେକ ଆଗ୍ରହର ସହ ଅପେକ୍ଷା କରିଛନ୍ତି ।
ସେହିଭଳି ଜରୁରୀ ପରିସ୍ଥିତି ସମୟରେ ଇନ୍ଦିରା ଗାନ୍ଧିଙ୍କ ଶାସନ ବ୍ୟବସ୍ଥାକୁ ବିରୋଧ କରି କାରାବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅନେକ ଇତିମଧ୍ୟରେ ଇହଲୀଳା ସମ୍ବରଣ କରିସାରିଲେଣି । କେତେକ ରାଜ୍ୟରେ ‘ମିଶା’ ବନ୍ଦୀମାନଙ୍କୁ ସ୍ୱତନ୍ତ୍ର ସମ୍ମାନ ରାଶି ପ୍ରଦାନ କରାଯାଉଛି । ଏ କ୍ଷେତ୍ରରେ ଓଡ଼ିଶା ବହୁ ପଛରେ ରହିଛି । ସେତେବେଳେ ଜନସଂଘ, ଲୋକଦଳ, ସମାଜବାଦୀ, ସଂଗଠନ କଂଗ୍ରେସ, ସିପିଏମ୍ ଆଦି ବହୁ ଦଳର ନେତାମାନେ ଜୟପ୍ରକାଶଙ୍କ ସଂପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ସାମିଲ ହୋଇ ଇନ୍ଦିରାଙ୍କ ଶାସନକୁ ବିରୋଧ କରୁଥିଲେ ।
ଏମାନଙ୍କ ଛଡ଼ା ବହୁ ଛାତ୍ର ଓ ଯୁବକ ମଧ୍ୟ ଜେଲ୍ ଯାଇଥିଲେ । ଏହି ସଂଗ୍ରାମୀ ଓ ସେମାନଙ୍କ ଉତ୍ତରଦାୟଦମାନଙ୍କୁ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସମ୍ମାନ ନିଧି ପ୍ରଦାନ କରିବା ପାଇଁ ହେଉଥିବା ଦାବିକୁ ରାଜ୍ୟର ଅନେକ ମନ୍ତ୍ରୀ, ବିଧାୟକ, ସାଂସଦ ଓ ବରିଷ୍ଠ ନେତା ସମର୍ଥନ କରୁଥିବା ପରିପ୍ରେକ୍ଷୀରେ ତୁରନ୍ତ ଏ ସଂକ୍ରାନ୍ତରେ ରାଜ୍ୟ ସରକାର ଘୋଷଣାନାମା ପ୍ରକାଶ କରିବାକୁ ଦାବି ହେଉଛି । (ତଥ୍ୟ)