ଭୁବନେଶ୍ୱର : ଅନ୍ୟ ରାଜ୍ୟରୁ ଅଣାଯାଉଥିବା ମହାବଳ ବାଘ ଓଡିଶା ଜଙ୍ଗଲରେ ତିଷ୍ଠିପାରୁ ନାହାନ୍ତି । ୨୦୧୮ ମସିହାରେ ଦୁଇଟି ମହାବଳ ଆଣି ବାଘବଂଶ ବୃଦ୍ଧି ଯୋଜନା ଫେଲ୍ ମାରିଥିବାବେଳେ ଛଅ ବର୍ଷ ପରେ ପୁଣିଥରେ ଆଣିଥିବା ଆଉ ଦୁଇଟି ମହାବଳ ଏବେ ତିନିଟି ରାଜ୍ୟର ସରକାରଙ୍କୁ ନାକେଦମ କଲେଣି ।
ଓଡିଶାରେ ମହାବଳ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ନିରନ୍ତର ଭାବେ ଉଦ୍ୟମ କରୁଛନ୍ତି । ଏଥିପାଇଁ ୨୦୧୮ ମସିହାରେ ଦୁଇଟି ମହାବଳ ଆଣିଥିଲେ । ବାଘ ମହାବୀର ଓ ବାଘୁଣି ସୁନ୍ଦରୀକୁ ମଧ୍ୟପ୍ରଦେଶରୁ ଅଣାଯାଇଥିଲା । ମହାବୀର କାହ୍ନାରୁ ଆସିଥିବାବେଳେ ବାନ୍ଧବଗଡରୁ ଆସିଥିଲା ସୁନ୍ଦରୀ । ଉଭୟଙ୍କୁ ସାତକୋଶିଆରେ ଛଡା ଯାଇଥିଲା । ସମସ୍ତ ପ୍ରକାର ସୁରକ୍ଷା ଓ ନଜର ସତ୍ୱେ ମହାବୀର ସାତକୋଶିଆରେ ଫାଶରେ ପଡିମୃତ୍ୟୁବରଣ କରିଥିଲା । ମହାବୀର ମରିବାପରେ ରାଜ୍ୟ ସରକାର ସୁନ୍ଦରୀକୁ ମଧ୍ୟପ୍ରଦେଶକୁ ଫେରାଇ ଦେଇଥିଲେ ।
ଏହାପରେ ଅନ୍ୟ ରାଜ୍ୟରୁ ବାଘ ଆଣି ଓଡିଶାରେ ବାଘ ବଂଶ ବୃଦ୍ଧି ଯୋଜନାକୁ ସ୍ଥଗିତ ରଖାଯାଇଥିଲା । ତେବେ ଛଅବର୍ଷ ପରେ ପୁଣିଥରେ ଚଳିତବର୍ଷ ରାଜ୍ୟ ସରକାର ମହାରାଷ୍ଟ୍ରରୁ ଦୁଇଟି ମହାବଳ ଆଣିଛନ୍ତି । ତେବେ ବାଘୁଣୀ ଜିନ୍ନତକୁ ବନ ବିଭାଗ ପକ୍ଷରୁ ଶିମିଳିପାଳରେ ଛଡାଯାଇଥିଲା । ଆଶା କରାଯାଉଥିଲା ଜିନ୍ନତ ଶିମିଳପାଳରେ ପୁରୁଷ ମହାବଳ ପାଖରେ ରହିବ । ହେଲେ ଜିନ୍ନତ ଇତି ମଧ୍ୟରେ ଶିମିଳିପାଳରୁ ଝାଡଖଣ୍ଡ ଓ ସେଠାରୁ ପଶ୍ଚିମବଙ୍ଗର ପୁରୁଲିଆକୁ ଡିଆଁମାରି ପଳାଇଛି ।
ଓଡିଶା ଆଣିଥିବା ମହାବଳପାଇଁ ଏବେ ଆଉ ଦୁଇ ରାଜ୍ୟର ବନ ବିଭାଗ ରାତି ଅନିଦ୍ରା ହେଲେଣି । ଜିନ୍ନତକୁ ଟ୍ରାଙ୍କୁଲାଇଜ୍ କରି ଓଡିଶା ଫେରାଇ ଆଣିବାକୁ ସମସ୍ତ ପ୍ରକାର ଉଦ୍ୟମ ହେଉଥିବାବେଳେ ତାହା ସଫଳ ହେଉନାହିଁ । କାରଣ ପୁରୁଲିଆ ଠାରେ ବାଘୁଣୀ ଘଞ୍ଚ ଜଙ୍ଗଲ ମଧ୍ୟରେ ରହୁଥିବାବେଳେ ତା ବେକରେ ଲାଗିଥିବା ରେଡିଓ କୋଲାର ଠିକଣା ଭାବେ କାର୍ଯ୍ୟକରୁନାହିଁ । ଫଳରେ ବାଘୁଣୀର ନିର୍ଦ୍ଦିଷ୍ଟ ଅବସ୍ଥିତି ଜଣାପଡୁନାହିଁ । ତେଣେ ଭୋକିଲା ବାଘୁଣୀ କାଳେ ଶିକାର କରିବ ସେହି ଆଶାରେ ଛେଳି, ମଇଁଷି ଆଦି ବାନ୍ଧି ବନ ବିଭାଗ କର୍ତ୍ତୃପକ୍ଷ ବନ୍ଧୁକ ଧରି ଜଗିଛନ୍ତି ।
ଓଡିଶା ସରକାର ଅନ୍ୟ ରାଜ୍ୟରୁ ଆଣୁଥିବା ମହାବଳ ଓଡିଶା ଜଙ୍ଗଲରେ ରହିବାକୁ ରାଜି ହେଉନଥିବାବେଳେ ଗତବର୍ଷ କିନ୍ତୁ ଗୋଟିଏ ମହାବଳ ବଦର୍ଭ ଅଞ୍ଚଳରୁ ପ୍ରାୟ ୨୦୦୦ କିଲୋମିଟର ଅଞ୍ଚଳ ଅତିକ୍ରମ କରି ଓଡିଶାରେ ଆସି ପହଞ୍ଚିଯାଇଥିଲା । ଏହି ମହାବଳଟି ଓଡିଶାରେ ପହଞ୍ଚିବାପାଇଁ ୪ଟି ରାଜ୍ୟ ଅତିକ୍ରମ କରିଥିଲା ।
ତେବେ ରାଜ୍ୟରେ ହୋଇଥିବା ସର୍ବଶେଷ ବାଘ ଗଣନା ଅନୁଯାୟୀ ଓଡିଶାରେ ୩୦ଟି ମହାବଳ ରହିଥିବାବେଳେ ଏମାନଙ୍କର ୮ଟି ଶାବକ ରହିଛନ୍ତି । ସୂଚନା ଅନୁଯାୟୀ ରାଜ୍ୟରେ ଥିବା ୩୦ଟି ମହାବଳଙ୍କ ମଧ୍ୟରୁ କେବଳ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ୨୭ଟି ମହାବଳ ରହିଛନ୍ତି । ଏହି ମହାବଳଗୁଡିକ ସେଠାରେ ସୁରକ୍ଷିତ ଥିବାବେଳେ ମହାରାଷ୍ଟ୍ରରୁ ଅଣାଯାଇ ସେଠାରେ ଛଡାଯାଇଥିବା ବାଘୁଣୀ ଜିନ୍ନତ କିନ୍ତୁ ଶିମିଳିପାଳ ଛାଡି ଅନ୍ୟ ରାଜ୍ୟକୁ ପଳାଇଯିବା ଏବେ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତା ବଢାଇଛି । (ତଥ୍ୟ)