Home General ଗଞ୍ଜାମରେ ସର୍ବାଧିକ ଭିନ୍ନକ୍ଷମ

ଗଞ୍ଜାମରେ ସର୍ବାଧିକ ଭିନ୍ନକ୍ଷମ

ଭୁବନେଶ୍ୱର : ରାଜ୍ୟର ସବୁଠାରୁ ଅଧିକ ଭିନ୍ନକ୍ଷମ ଗଞ୍ଜାମ ଜିଲ୍ଲାରେ ଅଛନ୍ତି । ଏହି ଜିଲ୍ଲାରେ ୧,୦୩,୫୭୩ ଜଣ ଭିନ୍ନକ୍ଷମ ଥିବା ବେଳେ କଟକ ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଛି ।

ବିଜେପି ବିଧାୟକ ଭୂପିନ୍ଦର ସିଂହଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ମୋଟ୍‍ ୧୨,୪୪,୪୦୨ ଜଣ ଭିନ୍ନକ୍ଷମ ଥିବା ବେଳେ ଏମାନଙ୍କ ମଧ୍ୟରେ ୫,୬୯,୬୨୭ ଜଣ ମହିଳା ଅଛନ୍ତି ।

କଟକ ଜିଲ୍ଲାରେ ରାଜ୍ୟର ଦ୍ୱିତୀୟ ସର୍ବାଧିକ ୧,୦୨,୦୧୮ ଜଣ ଭିନ୍ନକ୍ଷମ ଥିବା ବେଳେ ଏମାନଙ୍କ ମଧ୍ୟରେ ୪୬,୬୪୨ ଜଣ ମହିଳା ରହିଛନ୍ତି । ତେବେ ଦେବଗଡ଼ ଜିଲ୍ଲାରେ ସବୁଠାରୁ କମ୍‍ ୮୬୬୨ ଜଣ ଭିନ୍ନକ୍ଷମ ରହିଥିବା ବେଳେ ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଖୋର୍ଦ୍ଧା, ପୁରୀ ଓ ବଲାଙ୍ଗୀର ଜିଲ୍ଲାରେ ଭିନ୍ନକ୍ଷମମାନଙ୍କ ସଂଖ୍ୟା ୫୦ହଜାରରୁ ଅଧିକ ରହିଛି ।

ସେହିଭଳି ଦେବଗଡ଼, ଗଜପତି, ବୌଦ୍ଧ, ସୁବର୍ଣ୍ଣପୁର, ନୂଆପଡ଼ା ଓ ମାଲକାନଗିରି ଜିଲ୍ଲାରେ ମହିଳା ଭିନ୍ନକ୍ଷମଙ୍କ ସଂଖ୍ୟା ୧୦ହଜାର ତଳେ ରହିଛି । ରାଜ୍ୟ ସରକାର ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ପାଇଁ ଯୋଗାଉଥିବା ସୁବିଧା ସଂକ୍ରାନ୍ତରେ ମନ୍ତ୍ରୀ କହିଛନ୍ତି ଯେ ଛାତ୍ରଛାତ୍ରୀମାନଙ୍କୁ ଇନ୍ଦିରା ଗାନ୍ଧୀ ଜାତୀୟ ଭିନ୍ନକ୍ଷମ ଭତ୍ତା ଓ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଛି ।

ଅର୍ଥନୈତିକ କ୍ଷେତ୍ରରେ ନିଯୁକ୍ତି ଓ ଆତ୍ମନିଯୁକ୍ତି କ୍ଷେତ୍ରରେ ଦକ୍ଷତା ବିକାଶ ତାଲିମରେ ଆତ୍ମନିଯୁକ୍ତି ସରଞ୍ଜାମ ଯୋଗାଇ ଦିଆଯାଉଛି । ଏଥିସହିତ ଉଚ୍ଚଶିକ୍ଷା କ୍ଷେତ୍ରରେ ୫ ପ୍ରତିଶତ ଓ ଚାକିରି କ୍ଷେତ୍ରରେ ଭିନ୍ନକ୍ଷମମାନଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି ।