ଖୋର୍ଦ୍ଧା : ସଚେତନତା, ଦକ୍ଷତା ବୃଦ୍ଧି ଓ ବିଭିନ୍ନ ବିଭାଗ ଗୁଡିକ ମଧ୍ୟରେ ସମନ୍ଵୟ ମାଧ୍ୟମରେ ସମାଜରୁ ଶିଶୁଶ୍ରମର ବିଲୋପ ସମ୍ଭବ ବୋଲି ଖୋର୍ଦ୍ଧାଠାରେ ଅନୁଷ୍ଠିତ ହୋଇଥିବା ଏକ ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା କର୍ମଶାଳାର ରେ ଭାଗନେଇ ବିଶିଷ୍ଟ ବକ୍ତା ମାନେ ମତଦେଇଥିଲେ ।
ଏହି କର୍ମଶାଳାର ଆୟୋଜନସ୍ଵେଚ୍ଛାସେବୀ ଅନୁଷ୍ଠାନ ପିପୁଲ୍ସ୍ କଲଚରାଲ୍ ସେଣ୍ଟର (ପିକକ୍), ଖୋର୍ଦ୍ଧାର ଶିଶୁ ସୁରକ୍ଷା ୟୁନିଟର ସହାୟତାରେ ଓ ଆଡପସନସେଣ୍ଟ୍ରମର ସହଯୋଗ ରେ ଆୟୋଜିତ ହୋଇଥିଲା । ଏହି କର୍ମଶାଳାରେ ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ସ୍ୱାଗତ ଭାଷଣ ଦେଇ ଏହି କର୍ମଶାଳାର ଉଦ୍ଦେଶ୍ୟ ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରାଇଥିଲେ। ସମାଜରୁ ଶିଶୁଶ୍ରମର ବିଲୋପ ନିମନ୍ତେ ସବୁ ସ୍ତରରେ ଉଦ୍ୟମ ହେବା ନିତ୍ୟାନ୍ତ ଆବଶ୍ୟକ । ଶିଶୁମାନଙ୍କୁ ଏକ ସୁରକ୍ଷିତ ବାତାବରଣ ଯୋଗାଇଦେବା ଆମ ସମସ୍ତଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ବୋଲି ସେ ନିଜର ମତବ୍ୟକ୍ତ କରିଥିଲେ ।
କର୍ମଶାଳାରେ ଯୋଗଦେଇ ଖୋର୍ଦ୍ଧା ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧକ୍ଷା ରଞ୍ଜିତା ପଣ୍ଡା ନିଜ ବକ୍ତବ୍ୟରେ ସରକାର, ସ୍ଵେଚ୍ଛାସେବୀ ସଙ୍ଗଠନ ଓ ତଥା ସମସ୍ତଙ୍କର ମିଳିତ ଉଦ୍ୟମରେ ସମାଜରୁ ଶିଶୁ ଶ୍ରମର ବିଲୋପ ସମ୍ଭବ ବୋଲି ନିଜ ମତ ଦେଇଥିଲେ । ଅତିରିକ୍ତ ଶ୍ରମ ଅଧିକାରୀ ଅର୍ଚ୍ଚନା ନାୟକ ନିଜ ବକ୍ତବ୍ୟରେ ଶିଶୁ ଶ୍ରମ ର ବିଲୋପ ପାଇଁ ଶ୍ରମ ବିଭାଗ ଦ୍ଵାରା କରାଯାଇଥିବା ବିଭିନ୍ନ ଉଦ୍ୟମ ବିଷୟରେ ସୂଚନା ଦେଇଥିଲେ ।
ପୂର୍ବତନ ଯୁଗ୍ମ ଶ୍ରମ କମିଶନର ତଥା ଓକିଲ ଅଜୟ କୁମାର ପଟ୍ଟନାୟକ ଶିଶୁ ଓ କିଶୋର ଶ୍ରମ (ନିଷେଧ ଏବଂ ନିୟମାବଳୀ) ଅଧିନିୟମ ଉପରେ ବିଶେଷ ଭାବରେ ଆଲୋକପାତ କରିଥିଲେ । କର୍ମଶାଳା ରେ ଯୋଗଦେଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ପରାମର୍ଶଦାତ୍ରୀ ମନସ୍ଵିନୀ ମହାପାତ୍ର, ଜିଲ୍ଲାର ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଇନ୍ଦିରା କୁମାରୀ ରଥ, ବ୍ଲକ ସମାଜ ସୁରକ୍ଷା ଅଧିକାରୀ ସୋନାଲୀ ପ୍ରିୟଦର୍ଶିନୀ, ଅତିରିକ୍ତ ସମାଜ କଲ୍ଯାଣ ଅଧିକାରୀ ସୁଷମା ମହାନ୍ତି, ଯୁଭେନାଇଲ ଜଷ୍ଟିସ ବୋର୍ଡର ସଦସ୍ୟା ଅଞ୍ଜୁ ପ୍ରଭା, ଖୋର୍ଦ୍ଧା ଶିଶୁ କଲ୍ୟାଣ ସମିତିର ସଦସ୍ୟ ବ୍ରଜ କିଶୋର ମହାପାତ୍ର, ପ୍ରମୁଖ ଆଲୋଚନାରେ ଭାଗନେଇ କହିଥିଲେଯେ ସମସ୍ତଙ୍କର ମିଳିତ ଉଦ୍ୟମରେ ଶିଶୁ ମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ଗଠନ ସମ୍ଭବ ହୋଇପାରିବ ତଥା ଶିଶୁଶ୍ରମ ଭଳି ଏକ ଘୃଣ୍ୟ ପ୍ରଥା କୁ ଦୂର କରାଯାଇପାରିବ ।
ବିଭିନ୍ନ ବିଭାଗ ଗୁଡିକ ମଧ୍ୟରେ ସମନ୍ଵୟ ଓ ଶିଶୁ ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସମସ୍ତ ବ୍ୟକ୍ତି ଯଥା ଶିକ୍ଷକ, ଅଭିଭାବକ, ଅଙ୍ଗନବାଡି କର୍ମୀ, ସ୍ଵେଚ୍ଛାସେବୀ ସଂଗଠନ, କିଶୋରକିଶୋରୀ, ପଞ୍ଚାୟତ ପ୍ରତିନିଧି ମାନଙ୍କର ବିଭିନ୍ନ ଆଇନ ସମ୍ବଧୀୟ ଜ୍ଞାନ, ତଥା ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ସେମାନେ ଗୁରୁତ୍ଵ ଆରୋପ କରିବା ସହିତ ଶିଶୁ ସୁରକ୍ଷା ସମିତିକୁ ମଜଭୁତ କରିବା, ମିଶନ ବାତ୍ସଲ୍ୟ ଯୋଜନାରେ ପିଲାମାନଙ୍କୁ ସାମିଲ କରାଇବା, ଶିଶୁ ଓ କିଶୋର କିଶୋରୀ ଙ୍କ ଶିକ୍ଷା ଉପରେ ଗୁରୁତ୍ଵ ଦେଇଥିଲେ ।
ଏହି କର୍ମଶାଳା ରେ ୭୦ ରୁ ଊର୍ଦ୍ଦ୍ଵ ପ୍ରତିନିଧି ଯଥା ଗ୍ରାମ୍ୟ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଓ ପଞ୍ଚାୟତ ଶିଶୁ ସୁରକ୍ଷା କମିଟିର ସଦସ୍ୟ ସଦସ୍ୟା, ପଂଚାୟତ ପ୍ରତିନିଧି, ଶିକ୍ଷକ, ଚାଇଲ୍ଡ ଲାଇନ, ସ୍ଵେଚ୍ଛାସେବୀ ସଂଗଠନ, ପ୍ରମୁଖ ଭାଗ ନେଇଥିଲେ । ପିକକ୍ ର ଅଳ୍ପନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପିକକ୍ ର ପ୍ରୋଗ୍ରାମ ମ୍ୟାନେଜର ଜ୍ୟୋତିଶଙ୍କର ମହାନ୍ତି ଏହି କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ ।