ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ନବନିଯୁକ୍ତ ଯୁବକ ଯୁବତୀମାନଙ୍କୁ ୭୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ରୋଜଗାର ମେଳା ନିଯୁକ୍ତି ସୃଷ୍ଟିକୁ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହା ଯୁବପିଢ଼ିଙ୍କୁ ରାଷ୍ଟ୍ର ନିର୍ମାଣ ଓ ଆତ୍ମ-ସଶକ୍ତୀକରଣରେ ଯୋଗଦାନ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରି ସଶକ୍ତ କରିବ।
ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ଗତକାଲି ବିଳମ୍ବିତ ରାତିରେ କୁଏତରୁ ଫେରିଥିଲେ। ସେଠାରେ ସେ ଭାରତୀୟ ଯୁବବର୍ଗ ଏବଂ ପେସାଦାରମାନଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି । ଏହା ଏକ ଅତ୍ୟନ୍ତ ସୁଖଦ ସୌଭାଗ୍ୟ ଯେ ଫେରିବା ପରେ ଦେଶର ଯୁବକମାନଙ୍କ ସହିତ ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ହେଉଛି । ‘‘ଦେଶର ହଜାର ହଜାର ଯୁବକଯୁବତୀଙ୍କ ପାଇଁ ଆଜି ଏକ ନୂଆ ଆରମ୍ଭ। ଅନେକ ବର୍ଷର ସ୍ୱପ୍ନ ସାକାର ହୋଇଛି, ବର୍ଷ ବର୍ଷର କଠିନ ପରିଶ୍ରମ ଫଳ ଦେଇଛି । ୨୦୨୪ର ଏହି ବିଦାୟୀ ବର୍ଷ ଆପଣଙ୍କ ପାଇଁ ନୂଆ ଖୁସି ନେଇ ଆସୁଛି । ମୁଁ ଆପଣ ସମସ୍ତଙ୍କୁ ଏବଂ ଆପଣଙ୍କ ପରିବାରକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି,’’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ରୋଜଗାର ମେଳା ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଭାରତର ଯୁବ ପ୍ରତିଭାଙ୍କ ସମ୍ପୂର୍ଣ୍ଣ ଉପଯୋଗକୁ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ । ବିଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ସରକାରୀ ଚାକିରି ଦେବା ପାଇଁ ପ୍ରୟାସ ଚାଲିଛି। ଆଜି ୭୧ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଗତ ଦେଢ଼ ବର୍ଷ ମଧ୍ୟରେ ପାଖାପାଖି ୧୦ ଲକ୍ଷ ସ୍ଥାୟୀ ସରକାରୀ ଚାକିରି ପ୍ରଦାନ କରାଯାଇ ଏକ ଉଲ୍ଲେଖନୀୟ ରେକର୍ଡ ସୃଷ୍ଟି କରାଯାଇଛି ବୋଲି ଶ୍ରୀ ମୋଦୀ କହିଥିଲେ। ଏହି ଚାକିରିଗୁଡ଼ିକ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ଯୋଗାଇ ଦିଆଯାଉଛି ଏବଂ ନୂତନ ନିଯୁକ୍ତି ପାଇଥିବା କର୍ମଚାରୀମାନେ ନିଷ୍ଠା ଏବଂ ସମର୍ପଣର ସହ ଦେଶର ସେବା କରୁଛନ୍ତି ।
କୌଣସି ଦେଶର ବିକାଶ ଏହାର ଯୁବବର୍ଗଙ୍କ କଠିନ ପରିଶ୍ରମ, ସାମର୍ଥ୍ୟ ଓ ନେତୃତ୍ୱ ଉପରେ ନିର୍ଭର କରେ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ । ଶ୍ରୀ ମୋଦୀ କହିଥିଲେ, ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ପାଇଁ ଭାରତ ସଂକଳ୍ପବଦ୍ଧ, କାରଣ ଦେଶର ନୀତି ଓ ନିଷ୍ପତ୍ତି ଏହାର ପ୍ରତିଭାବାନ ଯୁବକମାନଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱ ଦେଉଛି । ଗତ ଏକ ଦଶନ୍ଧି ମଧ୍ୟରେ ମେକ୍ ଇନ୍ ଇଣ୍ଡିଆ, ଆତ୍ମନିର୍ଭର ଭାରତ, ଷ୍ଟାର୍ଟଅପ୍ ଇଣ୍ଡିଆ, ଷ୍ଟାଣ୍ଡ-ଅପ୍ ଇଣ୍ଡିଆ ଏବଂ ଡିଜିଟାଲ୍ ଇଣ୍ଡିଆ ଭଳି ପଦକ୍ଷେପ ଯୁବବର୍ଗଙ୍କୁ ଆଗରେ ରଖିଛି ବୋଲି ସେ କହିଥିଲେ ।
ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଭାରତ ବର୍ତ୍ତମାନ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥବ୍ୟବସ୍ଥା ଏବଂ ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ ହୋଇଛି । ଆଜି ଭାରତୀୟ ଯୁବପିଢ଼ି ନୂଆ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହୋଇ ରହିଛନ୍ତି। ସେମାନେ ସବୁ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରୁଛନ୍ତି। ଆଜି ଷ୍ଟାର୍ଟଅପ୍ ଆରମ୍ଭ କରୁଥିବା ଯୁବ ଉଦ୍ୟୋଗୀମାନେ ଏକ ଦୃଢ଼ ସମର୍ଥନ ବ୍ୟବସ୍ଥା ଦ୍ୱାରା ଉପକୃତ ହେଉଛନ୍ତି। ସେହିଭଳି କ୍ରୀଡ଼ାରେ କ୍ୟାରିୟର କରୁଥିବା ଯୁବଗୋଷ୍ଠୀଙ୍କ ବିଶ୍ୱାସ ରହିଛି ଯେ ସେମାନେ ବିଫଳ ହେବେ ନାହିଁ କାରଣ ସେମାନଙ୍କୁ ବର୍ତ୍ତମାନ ଆଧୁନିକ ପ୍ରଶିକ୍ଷଣ ସୁବିଧା ଏବଂ କ୍ରୀଡ଼ା ପ୍ରତିଯୋଗିତା ଦ୍ୱାରା ସମର୍ଥନ ମିଳୁଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଦେଇ ଗତି କରୁଛି ଏବଂ ମୋବାଇଲ ଉତ୍ପାଦନ କ୍ଷେତ୍ରରେ ଦ୍ୱିତୀୟ ବୃହତ୍ତମ ରାଷ୍ଟ୍ର ପାଲଟିଛି । ଅକ୍ଷୟ ଶକ୍ତି, ଜୈବିକ କୃଷି, ମହାକାଶ, ପ୍ରତିରକ୍ଷା, ପର୍ଯ୍ୟଟନ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଭାରତ ଅଗ୍ରଗତି କରୁଛି, ନୂତନ ସୁଯୋଗ ସୃଷ୍ଟି କରୁଛି ଏବଂ ପ୍ରତ୍ୟେକ କ୍ଷେତ୍ରରେ ନୂତନ ଉଚ୍ଚତାରେ ପହଞ୍ଚୁଛି ।
ଦେଶର ପ୍ରଗତି ଏବଂ ନୂତନ ଭାରତ ଗଠନ ପାଇଁ ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହନ ଯୋଗାଇ ଦେରିବା ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ଦାୟିତ୍ୱ ଶିକ୍ଷା ବ୍ୟବସ୍ଥା ଉପରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ । ଜାତୀୟ ଶିକ୍ଷା ନୀତି (ଏନଇପି) ଭାରତକୁ ଏକ ଆଧୁନିକ ଶିକ୍ଷା ବ୍ୟବସ୍ଥା ଆଡକୁ ଆଗେଇ ନେଉଛି ଯାହା ଛାତ୍ରଛାତ୍ରୀଙ୍କୁ ନୂତନ ସୁଯୋଗ ପ୍ରଦାନ କରୁଛି । ଶ୍ରୀ ମୋଦୀ କହିଥିଲେ ଯେ ପୂର୍ବରୁ ଏକ ବ୍ୟବସ୍ଥାଗତ ପ୍ରତିବନ୍ଧକ ଥିଲା, କିନ୍ତୁ ବର୍ତ୍ତମାନ ଅଟଳ ଟିଙ୍କରିଂ ଲ୍ୟାବ୍ ଏବଂ ପିଏମ-ଶ୍ରୀ ବିଦ୍ୟାଳୟ ଭଳି ପଦକ୍ଷେପ ମାଧ୍ୟମରେ ଅଭିନବତାକୁ ପ୍ରୋତ୍ସାହିତ କରାଯାଉଛି । ମାତୃଭାଷାରେ ପାଠପଢ଼ା ଓ ପରୀକ୍ଷାକୁ ଅନୁମତି ଦେବା ସହ ୧୩ଟି ଭାଷାରେ ନିଯୁକ୍ତି ପରୀକ୍ଷା ଦେଇ ଗ୍ରାମୀଣ ଯୁବକ ଓ ଅବହେଳିତ ସମ୍ପ୍ରଦାୟର ଭାଷା ପ୍ରତିବନ୍ଧକକୁ ସରକାର ଦୂର କରିଛନ୍ତି। ଏହାବ୍ୟତୀତ ସୀମାବର୍ତ୍ତୀ ଅଞ୍ଚଳର ଯୁବକଙ୍କ ପାଇଁ କୋଟା ବୃଦ୍ଧି କରାଯିବା ସହ ସ୍ଥାୟୀ ସରକାରୀ ଚାକିରି ପାଇଁ ସ୍ୱତନ୍ତ୍ର ନିଯୁକ୍ତି ବ୍ୟବସ୍ଥା କରାଯାଇଛି। ଆଜି ୫୦,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ପାଇଁ ନିଯୁକ୍ତି ପତ୍ର ମିଳିଛି, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଆଜି ଚୌଧୁରୀ ଚରଣ ସିଂଜୀଙ୍କ ଜୟନ୍ତୀ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଚଳିତ ବର୍ଷ ସ୍ୱର୍ଗତ ଚୌଧୁରୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବା ସରକାରଙ୍କ ପାଇଁ ଗୌରବର ବିଷୟ। ‘‘ଆମକୁ ଖାଦ୍ୟ ଯୋଗାଉଥିବା କୃଷକମାନଙ୍କୁ ସମ୍ମାନ ଜଣାଇ ଆମେ ଏହି ଦିନକୁ କୃଷକ ଦିବସ ଭାବରେ ପାଳନ କରୁଛୁ । ଚୌଧୁରୀ ସାହେବ ବିଶ୍ୱାସ କରୁଥିଲେ ଯେ ଦେଶର ପ୍ରଗତି ଗ୍ରାମୀଣ ଭାରତର ଉନ୍ନତି ଉପରେ ନିର୍ଭର କରେ । ଆମ ସରକାରଙ୍କ ନୀତି ଗ୍ରାମାଞ୍ଚଳରେ, ବିଶେଷ କରି କୃଷି କ୍ଷେତ୍ରରେ ଯୁବବର୍ଗଙ୍କ ପାଇଁ ନୂତନ ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିଛି,’’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ବାୟୋଗ୍ୟାସ ପ୍ଲାଣ୍ଟ ସ୍ଥାପନ କରିଥିବା ଗୋବର-ଧନ ଯୋଜନା ଭଳି ପଦକ୍ଷେପ ଶକ୍ତି ଉତ୍ପାଦନ କରିବା ସହିତ ନିଯୁକ୍ତି ସୃଷ୍ଟି କରିଛି ବୋଲି ଶ୍ରୀ ମୋଦୀ ଜୋର୍ ଦେଇ କହିଥିଲେ। ସେ କହିଥିଲେ, କୃଷି ବଜାରକୁ ସଂଯୋଗ କରୁଥିବା ଇ-ନାମ ଯୋଜନା ନୂତନ ନିଯୁକ୍ତି ସୁଯୋଗ ଖୋଲିଛି । ଇଥାନଲ ମିଶ୍ରଣ ବୃଦ୍ଧି କୃଷକମାନଙ୍କୁ ଉପକୃତ କରିଛି ଏବଂ ଚିନି କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରିଛି । ପାଖାପାଖି ୯,୦୦୦ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ପ୍ରତିଷ୍ଠା କିପରି ବଜାର ପ୍ରବେଶରେ ଉନ୍ନତି ଆଣିଛି ଏବଂ ଗ୍ରାମୀଣ ନିଯୁକ୍ତି ସୃଷ୍ଟି କରିଛି ସେ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଏଥିସହିତ ହଜାର ହଜାର ଶସ୍ୟ ଭଣ୍ଡାର ଗୋଦାମ ନିର୍ମାଣ ପାଇଁ ସରକାର ଏକ ବ୍ୟାପକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି, ଯାହାକି ଉଲ୍ଲେଖନୀୟ ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସୁଯୋଗ ପ୍ରଦାନ କରିବ।