ଭୁବନେଶ୍ୱର : ଚଳିତ ବର୍ଷର ପିକ୍ନିକ୍ ଋତୁକୁ ବର୍ଷା ବିଗାଡିବାରେ ଲାଗିଛି । ତିନି ଦିନର ଲଗାଣ ବର୍ଷା ଛାଡିବାପରେ ଲଘୁଚାପ ପ୍ରଭାବରେ ପୁଣି ବର୍ଷା ଆସୁଥିବାର ସତର୍କ ସୂଚନା ଏବେ ବଣଭୋଜି ଆୟୋଜକଙ୍କୁ ଅଡୁଆରେ ପକାଇ ଦେଇଛି ।
ସୋମବାର ଠାରୁ ରାଜ୍ୟର ବିଦ୍ୟାଳୟଗୁଡିକରେ ବଡଦିନ ଛୁଟି ଆରମ୍ଭ ହୋଇଛି । ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ କର୍ତ୍ତୃପକ୍ଷ, ବିଭିନ୍ନ ଶିକ୍ଷାନୁଷ୍ଠାନ, ଛାତ୍ରଛାତ୍ରୀ, ଅଭିଭାବକମାନେ ବଣଭୋଜିର ଆୟୋଜନ କରିଥିଲେ । ଏଥିପାଇଁ ଗାଡିମୋଟର ଠାରୁ ଆରମ୍ଭ କରି ବଣଭୋଜି ସ୍ଥାନ ସଂରକ୍ଷଣ ଏବଂ ରୋଷେଇ କରିବାକୁ ଥିବା ଲୋକଙ୍କୁ ଅଗ୍ରୀମ ଦିଆ ସରିଥିଲା ।
ଅଧିକାଂଶ ବଣଭୋଜି ବଡଦିନ ଅବସରରେ ଆୟୋଜନ ହେବାକୁ ଥିବାବେଳେ ୨୪ ତାରିଖରୁ ରାଜ୍ୟରେ ପୁଣି ବର୍ଷା ହେବ ଏବଂ ସାତଟି ଜିଲ୍ଲାକୁ ଏଥିପାଇଁ ସତର୍କ କରାଯାଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଅଦିନିଆ ବର୍ଷା ଲଗାଣ ଭାବେ ହେଉଥିବାରୁ ଏଥିରେ କିଭଳି ବଣଭୋଜି ଆୟୋଜନ ହେବ ତାହା ଚିନ୍ତାର କାରଣ ହୋଇଛି । କେତେକ ଅନୁଷ୍ଠାନ ବଣଭୋଜି ଘୁଞ୍ଚାଇବାକୁ ଯୋଜନା କରୁଥିବାବେଳେ ନୂଆବର୍ଷରୁ ଶିକ୍ଷାନୁଷ୍ଠାନ ଖୋଲିବାକୁ ଥିବାରୁ ଏହା ସମ୍ଭବପ ହୋଇପାରୁନାହିଁ ।
ଅନ୍ୟ ପକ୍ଷରେ ଅଧିକାଂଶ ବଣଭୋଜି ସ୍ଥାନ ତିନି ଦିନିଆ ବର୍ଷାରେ କାଦୁଅ ପଚ ପଚ ହୋଇଥିବାବେଳେ ଦୁଇ ଦିନ ପରେ ପୁଣିଥରେ ଏଠାରେ ବର୍ଷା ହେଲେ ଭୋଜି କରିବା ତ ଦୂରରକଥା ସେଠାରେ ବସିବାକୁ ମଧ୍ୟ ସ୍ଥାନ ଟିକେ ମିଳିବ ନାହିଁ । ବଣଭୋଜି ସମୟରେ ବିଭିନ୍ନ ସ୍ଥାନରେ ଲୋକେ ସାଙ୍ଗରେ ଆଣିଥିବା ଦରିପାଲ ଆଦି ପକାଇ ତଳେ ବସିବା ସହିତ ରୋଷେଇବାସ କରିଥାନ୍ତି । ହେଲେ ଏଥରର ଅଦିନିଆ ବର୍ଷା ତାହାକୁ ଧୋଇଦେବାର ଆଶଙ୍କା ସୃଷ୍ଟି ହେଲାଣି ।
ବର୍ଷ ଶେଷରେ ଏଭଳି ଅଦିନିଆ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ବ୍ୟବସାୟୀମାନେ ହତାଶ ହୋଇପଡିଛନ୍ତି । କାରଣ ଝିପିଝିପି ବର୍ଷା ସାଙ୍ଗକୁ ପ୍ରବଳ ଥଣ୍ଡା ଯୋଗୁଁ ଲୋକେ ଘରୁ ବାହାରୁ ନାହାନ୍ତି । ଦୁଇଦିନର ବର୍ଷା ସମୟରେ ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ପର୍ଯ୍ୟଟକମାନଙ୍କୁ ଦେଖିବାକୁ ମିଳିନଥିଲା । ସମୁଦ୍ରକୂଳ ସମେତ ଶ୍ରୀମନ୍ଦିର ଖାଁ ଖାଁ ହୋଇଯାଇଥିଲା । ବର୍ତ୍ତମାନ ପାଣିପାଗ ବିଭାଗ ପକ୍ଷରୁ ଯେଉଁ ସାତଟି ଜିଲ୍ଲାକୁ ବର୍ଷା ସତର୍କତା ଜାରି କରାଯାଇଛି ସେହିସବୁ ଜିଲ୍ଲାରେ ଥିବା ଦେବାଳୟ ଓ ପର୍ଯ୍ୟଟନସ୍ଥଳୀର ବ୍ୟବସାୟୀମାନେ ଚିନ୍ତାରେ ପଡିଗଲେଣି ।
କେବଳ ବର୍ଷା ନୁହେଁ, ପାଣିପାଗ ବିଭାଗ ପକ୍ଷରୁ ଘନ କୁହୁଡି ପାଇଁ ସତର୍କତା ଜାରି କରାଯାଇଥିବାରୁ ରାତିରେ କିମ୍ବା ପାହାନ୍ତାରେ ଦୂର ସ୍ଥାନକୁ ବଣଭୋଜି ପାଇଁ ବାହାରିବାକୁ ଥିବା ଲୋକେ ଓ ଗାଡିଚାଳକମାନେ ମଧ୍ୟ ଚିନ୍ତାରେ ପଡିଛନ୍ତି । କାରଣ ଘନକୁହୁଡି ସମୟରେ ଗାଡି ଚଳାଚଳ କଲେ ଦୁର୍ଘଟଣାର ସମ୍ଭାବନା ଅଧିକ ଥିବାରୁ ଏଥିପ୍ରତି ସତର୍କ ହେବା ସହିତ ଦୂର ଦୂରାନ୍ତକୁ ଯିବାପାଇଁ ଯୋଜନା କରିଥିବା ଲୋକେ ଏବେ ସେଥିରେ କାଣ୍ଟଛାଣ୍ଟ କରିବାକୁ ପ୍ରସ୍ତୁତ ହେଉଥିବା ଲକ୍ଷ୍ୟ କରାଯାଇଛି ।
ମୋଟାମୋଟି ଭାବେ ଚଳିତବର୍ଷର ଶେଷ ୧୦ଦିନରେ ଛୁଟିସମୟରେ ବଣଭୋଜି ପାଇଁ ସାରା ରାଜ୍ୟରେ ଯେଉଁ ଉତ୍ସୁକତା ଦେଖା ଦେଇଥିଲା ଅଦିନିଆ ବର୍ଷା ସେଥିରେ ଏକ ପ୍ରକାର ପାଣି ପୂରାଇ ଦେଇଛି । (ତଥ୍ୟ)