ଭୁବନେଶ୍ୱର: ଅଲ୍ ଥିଙ୍ଗ୍ସ ଓଡ଼ିଶା ପକ୍ଷରୁ ସେଫ୍ ଓଡ଼ିଶା ଫର୍ ହାର୍ ର ମୁଖ୍ୟ କାର୍ଯ୍ୟାଳୟରେ ‘ଓଡ଼ିଶା ମନସ୍କ’ର ପଞ୍ଚମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ‘ବିୟଣ୍ଡ ଦି ପ୍ଲେଟ୍ : ଓଡ଼ିଆ ଖାଦ୍ୟର ସାଂସ୍କୃତିକ, ସାମାଜିକ-ଅର୍ଥନୈତିକ ଦିଗ ଅନୁସନ୍ଧାନ’ ଶୀର୍ଷକ ଏହି କାର୍ଯ୍ୟକ୍ରମରେ ପରିଚୟ, ସାଂସ୍କୃତିକ ଗୌରବ ଓ ସାମାଜିକ-ଅର୍ଥନୈତିକ ଅଭିବ୍ୟକ୍ତିର ପ୍ରତୀକ ଭାବରେ ଖାଦ୍ୟର ଭୂମିକା ଉପରେ ଆଲୋକପାତ କରାଯାଇଥିଲା।
ଏହି ଆଲୋଚନାରେ ଖାଦ୍ୟ ଅଧିକାର କର୍ମୀ ସମୀତ ପଣ୍ଡାଙ୍କ ବକ୍ତବ୍ୟ ରହିଥିବା ବେଳେ ଖାଦ୍ୟ ସମାଲୋଚିକା, ଗବେଷିକା ଓ ଲେଖିକା ରିତୁ ପଟ୍ଟନାୟକ, ଖାଦ୍ୟ ଗବେଷିକା ତଥା ଲେଖିକା ଶ୍ବେତା ବିଶ୍ୱାଳ, ଆଦିବାସୀ ଖାଦ୍ୟ ପରାମର୍ଶଦାତା ତଥା ମାଷ୍ଟରସେଫ୍ ଇଣ୍ଡିଆ ସିଜନ ୮ ପ୍ରତିଯୋଗୀ ମଧୁସ୍ମିତା ସୋରେନ ପ୍ରମୁଖ ଯୋଗ ଦେଇଥିଲେ ।
ଖାଦ୍ୟ କିପରି ବ୍ୟକ୍ତିଗତ ଏବଂ ସାମୂହିକ ପରିଚୟ ସୃଷ୍ଟି କରିଥାଏ ତାହା ଏହି ପ୍ୟାନେଲ ଅନୁଧ୍ୟାନ କରାଯାଇଥିଲା । ୨୫୦ରୁ ଅଧିକ ପାରମ୍ପରିକ ଓଡ଼ିଆ ଖାଦ୍ୟର ଦସ୍ତାବିଜ ସମ୍ବଳିତ ପୁସ୍ତକ ରଚନା କରିଥିବା ରିତୁ ପଟ୍ଟନାୟକ ଖାଦ୍ୟ ଓ ଓଡ଼ିଆ ସମାଜ ଓ ସଂସ୍କୃତିର ପରସ୍ପର ସମ୍ପର୍କ ଉପରେ ଆଲୋକପାତ କରି ସେ ନିଜ ବ୍ୟକ୍ତିଗତ ଜୀବନର କାହାଣୀ ସହିତ ବର୍ଣ୍ଣନା କରି କହିଥିଲେ ଯେ, “ଏକ ସମ୍ପ୍ରଦାୟ, ଏକ ଭୂଗୋଳର ପରିଚୟ ହେଉଛି ଖାଦ୍ୟ ଏବଂ ସେଠାରେ ଉପଲବ୍ଧ ସାଂସ୍କୃତିକ ଗୁଣ ଏବଂ ପ୍ରାକୃତିକ ସମ୍ପଦ ବିଷୟରେ ଅନେକ କିଛି କହିଥାଏ” ।
ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ମଧୁସ୍ମିତା ସୋରେନ ତାଙ୍କ ନିଜ ମୂଳ ବିଷୟରେ ଉତ୍ସାହର ସହ କହିଥିଲେ ଯେ, ଭେଦଭାବର ଅନୁଭୂତି କିପରି ତାଙ୍କୁ ସାନ୍ଥାଳି ଖାଦ୍ୟ ପ୍ରଦର୍ଶନ କରିବାକୁ ପ୍ରୋତ୍ସାହିତ କରିଥିଲା । ସେ ଦୃଢ଼ୋକ୍ତି ପ୍ରକାଶ କରି କହିଥିଲେ ଯେ, “ଖାଦ୍ୟ ମୋତେ ମୋ ମୂଳ ସହିତ ଯୋଡିଥାଏ ଏବଂ ଆଦିବାସୀ ଖାଦ୍ୟକୁ ପ୍ରୋତ୍ସାହନ ଦେବା କେବଳ ସ୍ୱାଦ ବିଷୟରେ ନୁହେଁ ବରଂ ଏହା ବିଷୟରେ ଥିବା ଅବଧାରଣାକୁ ଭାଙ୍ଗିବା ।
‘ବିୟଣ୍ଡ ଡାଲାମା’ର ଲେଖିକା ଶ୍ବେତା ବିଶ୍ୱାଳ ଓଡ଼ିଆ ଖାଦ୍ୟରେ ଆଞ୍ଚଳିକ ପ୍ରତିନିଧିତ୍ୱ ଉପରେ ଗୁରୁତ୍ୱାରୋପ କରି ଡାଲମାଙ୍କୁ ପ୍ରାୟତଃ ଓଡ଼ିଆ ଖାଦ୍ୟର ଚେହେରା ଭାବରେ ଦେଖାଯାଏ, କିନ୍ତୁ ପଶ୍ଚିମ ଓଡ଼ିଶା ସମେତ ଆମ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳର ବିବିଧ ଏବଂ ସମୃଦ୍ଧ ଖାଦ୍ୟ ସଂସ୍କୃତି ସମାନ ମାନ୍ୟତା ପାଇବାକୁ ଯୋଗ୍ୟ ବୋଲି କହିଥିଲେ ।
ଖାଦ୍ୟ ଅଧିକାର କର୍ମୀ ସମୀତ ପଣ୍ଡା ଖାଦ୍ୟର ସାମାଜିକ-ରାଜନୈତିକ ଦିଗ ପ୍ରତି ଦୃଷ୍ଟି ଆକର୍ଷଣ କରି ପୋଷଣକୁ ବ୍ୟବସ୍ଥାଗତ ଅସମାନତା ସହ ଯୋଡ଼ିଥିଲେ। ଓଡ଼ିଶାରେ ୫୦% ରୁ ଅଧିକ ମହିଳା ରକ୍ତହୀନତାରେ ପୀଡ଼ିତ ଥିବା ବେଳେ ସେଠାରେ ପୁଷ୍ଟିହୀନତାର ଭୟାବହ ବାସ୍ତବତାକୁ ସେ ଉଲ୍ଲେଖ କରିଥିଲେ। “ଖାଦ୍ୟ ପ୍ରଚୁର ମାତ୍ରାରୁ ଉତ୍ପାଦନ ହେଉଥିଲେ ମଧ୍ୟ ଖାଦ୍ୟ ଅନେକଙ୍କ ପାଇଁ ଜୀବିକା ଏବଂ ବଞ୍ଚିବାର ବିଷୟ ହୋଇ ରହିଛି । ସୁଗମତା ଏବଂ ପୋଷଣ ସୁନିଶ୍ଚିତ କରିବା ଏକ ସୁସ୍ଥ ସମାଜ ଗଠନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଭାରତର ଜନସଂଖ୍ୟାର ଏକ ବୃହତ ଅଂଶ ପାଇଁ ଖାଦ୍ୟ ଅଧିକାର ସୁନିଶ୍ଚିତ କରିବାର ପଦକ୍ଷେପ ହେଉଛି ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା (ପିଡିଏସ୍) ଏବଂ ମଧ୍ୟାହ୍ନ ଭୋଜନ (ଏମଡିଏମ) ଭଳି କଲ୍ୟାଣକାରୀ ବ୍ୟବସ୍ଥା । ଏହା କରାଯାଇନଥିଲେ ଅନେକ ଭୋକ ଉପାସରେ ମୃତ୍ୟୁ ବରଣ କରିଥାନ୍ତେ।
ଆଧୁନିକ ଖାଦ୍ୟ ଧାରା ଯୋଗୁଁ ଧୀରେ ଧୀରେ ବିଲୁପ୍ତ ହେଉଥିବା ପାରମ୍ପରିକ ଓଡ଼ିଆ ଖାଦ୍ୟଗୁଡ଼ିକୁ ସଂରକ୍ଷିତ ରଖିବାର ଆବଶ୍ୟକତା ଉପରେ ରିତୁ ପଟ୍ଟନାୟକ କ୍ଷୋଭ ପ୍ରକାଶ କରି କହିଥିଲେ ପ୍ରାମାଣିକତା ବଜାୟ ରଖିବା ଜରୁରୀ ଏବଂ ଆମ ଖାଦ୍ୟ କେବଳ ସ୍ୱାଦ ପାଇଁ ନୁହେଁ ବରଂ ଏହା ଇତିହାସ, କାହାଣୀ ଏବଂ ପରିଚୟ ବିଷୟରେ ମଧ୍ୟ ରହିଛି ।
ସନ୍ତୁଳିତ ପୋଷକ ତତ୍ତ୍ୱର ଅଭାବ ଅଧିକାଂଶ ଲୋକଙ୍କ ପାଇଁ ଉପଲବ୍ଧ ଓଡିଆ ଥାଳିକୁ ଅସ୍ୱାସ୍ଥ୍ୟକର କରିଥାଏ ବୋଲି ସମୀତ ପଣ୍ଡା ଆଲୋକପାତ କରିଥିଲେ। ସମସ୍ତଙ୍କ ପାଇଁ ଖାଦ୍ୟ ଅଧିକାର ସୁନିଶ୍ଚିତ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ବ୍ୟାପକ ପରିଶ୍ରମ କରିଥିବା ଏହି କର୍ମକର୍ତ୍ତା ଯୁକ୍ତି ବାଢ଼ିଛନ୍ତି ଯେ, “କାର୍ବୋହାଇଡ୍ରେଟ୍ ର ପ୍ରଚୁରତା ଏବଂ ପ୍ରୋଟିନ ଓ ଚର୍ବି ଜାତିୟ ଖାଦ୍ୟର ଅଭାବ ଅନେକଙ୍କ ପାଇଁ ସ୍ୱାସ୍ଥ୍ୟ ଗତ ସମସ୍ୟା ସୃଷ୍ଟି କରିଥାଏ । ଅସୁସ୍ଥ ନାଗରିକ ଏକ ସୁସ୍ଥ ସମାଜ ଗଠନ କରିପାରିବେ ନାହିଁ ଏବଂ ରାଜ୍ୟର ସମୃଦ୍ଧିରେ ଯୋଗଦାନ କରିପାରିବେ ନାହିଁ।
ପ୍ୟାନେଲରେ ଯୋଗ ଦେଇଥିବା ଅତିଥିଗଣ ବ୍ରାଣ୍ଡିଂ ଓ ମାର୍କେଟିଂ ପାଇଁ ସଠିକ୍ ରଣନୀତି ଅବଲମ୍ବନ କରି ଓଡ଼ିଆ ଖାଦ୍ୟକୁ ଅଧିକ ଆକାଂକ୍ଷୀ କରିବାର ଉପାୟ ଖୋଜିବା ସହ ବ୍ୟାପକ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଉପଯୁକ୍ତ ମିଶ୍ରଣ ବା ଖାଦ୍ୟ ଯୋଡି ଚୟନ କରି ଏହାର ସ୍ୱାସ୍ଥ୍ୟକର ଦିଗକୁ ଅନୁସନ୍ଧାନ କରିବା ପାଇଁ ଆହ୍ୱାନ ଦେଇଥିଲେ। ଉପଯୁକ୍ତ ପୋଷକ ତତ୍ତ୍ୱ କୁ ସୁନିଶ୍ଚିତ କରିବା ପାଇଁ ଖାଦ୍ୟର ଚୟନମୂଳକ ଯୋଡ଼ି ଉପରେ ଗୁରୁତ୍ୱ ଦେଇ ଉତ୍ତମ ବ୍ରାଣ୍ଡିଂ ଏବଂ ମାର୍କେଟିଂ ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଶ୍ବେତା ବିଶ୍ୱାଳ କହିଥିଲେ ଯେ, ଓଡ଼ିଆ ଖାଦ୍ୟକୁ ସ୍ୱାସ୍ଥ୍ୟକର, ସୁସ୍ଥ ଓ ଅନନ୍ୟ ଭାବେ ସ୍ଥାନିତ କରାଯାଇପାରିବ। ଉଭୟ ପୁଷ୍ଟିସାଧନ ଓ ସାଂସ୍କୃତିକ ଦୃଷ୍ଟିରୁ ଆକର୍ଷିତ ହେଉଥିବା ଖାଦ୍ୟର ସଠିକ୍ ମିଶ୍ରଣକୁ ଚିହ୍ନଟ କରିବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି।
ବିଭିନ୍ନ କାର୍ଯ୍ୟକ୍ରମ ଓ ପର୍ବପର୍ବାଣୀରେ ଆଦିବାସୀ ଖାଦ୍ୟକୁ ପ୍ରୋତ୍ସାହିତ କରିଥିବା ମଧୁସ୍ମିତା ସୋରେନଙ୍କ ଅନୁଭୂତିକୁ ପ୍ରବଳ ପ୍ରତିକ୍ରିୟା ମିଳିଥିଲା। ଯେମିତି ଆମେ ଅନ୍ୟ ଅଞ୍ଚଳର ଖାଦ୍ୟ ଗ୍ରହଣ କରିଥାଉ, ଠିକ୍ ସେମିତି ଆମ ଖାଦ୍ୟକୁ ଓଡ଼ିଶା ବାହାରକୁ ନେବାକୁ ପଡ଼ିବ। ସଚେତନତା ଏବଂ ପ୍ରାମାଣିକତା ଗୁରୁତ୍ୱପୂର୍ଣ୍ଣ ଏବଂ ଏକ ଆଦିବାସୀ ଖାଦ୍ୟ ରେଷ୍ଟୁରାଣ୍ଟ ପାଇଁ ନିଜର ଦୃଷ୍ଟିକୋଣକୁ ସେ ପ୍ରକାଶ କରିଥିଲେ ।