ଭୁବନେଶ୍ୱର : ସହରାଞ୍ଚଳରେ ଲୋକଙ୍କୁ ଘର ଯୋଗାଇଦେବାପାଇଁ ବିଭିନ୍ନ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଘର ନିର୍ମାଣ କିନ୍ତୁ ମନ୍ଥର ଗତିରେ ଚାଲିଛି । ଘର ମିଳିବାରେ ବିଳମ୍ବ ହେଉଥିବାରୁ ଲୋକେ ବି ବସ୍ତି ଛାଡି ସହଜରେ ଯାଉନାହାନ୍ତି ।
ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଚନ୍ଦ୍ରଶେଖରପୁର ଠାରେ ବିଡିଏକୁ ୨୬୦୦ ଘର ପାଇଁ ମଞ୍ଜୁରୀ ଦେଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୪୦୦ ଘର ନିର୍ମାଣ ହୋଇନାହିଁ । ୧୩୮୦ ଘରର ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ମାତ୍ର ୮୨୦ଟି ଘରର ନିର୍ମାଣ କାର୍ଯ୍ୟ ସରିଛି । ନିର୍ମାଣ ସରିଥିବା ଏହି ଘର ମଧ୍ୟରୁ ୪୦୩ଟି ଘର ହିତାଧିକାରୀମାନଙ୍କୁ ହସ୍ତାନ୍ତର କରାଯାଇଛି ।
ସେହଭଳି ସତ୍ୟନଗର, ସୁବୁଦ୍ଧିପୁର ଏବଂ ଗାଡକଣ ଠାରେ କେନ୍ଦ୍ର ସରକାର ୨୬୬୨ଟି ଘର ମଞ୍ଜୁର କରିଥିବାବେଳେ ଏଥିରୁ ମାତ୍ର ୩୪୨ଟି ନିର୍ମାଣ ସରିଛି ଏବଂ ୧୬୧ଟି ଲୋକଙ୍କୁ ହସ୍ତାନ୍ତର ହୋଇଛି । ଜଟଣୀର ରାମଚନ୍ଦ୍ରପୁର ଓ ଷଣ୍ଢପୁର ଠାରେ ୬୦୦ ଟି ଘରକୁ କେନ୍ଦ୍ର ସରକାର ମଞ୍ଜୁର କରିଥିବାବେଳେ ଏଥିରୁ ଗୋଟିଏ ବି ଘରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ ।
ତେବେ କଟକର ନାରଣପୁର ଠାରେ କେନ୍ଦ୍ର ସରକାର ମଞ୍ଜୁର କରିଥିବା ୫୫୦ଟି ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଏଥିରୁ ମାତ୍ର ୫ଟି ଘର ହିତାଧିକାରୀମାନଙ୍କୁ ହସ୍ତାନ୍ତର କରାଯାଇଛି । ସେହଭଳି କଟକର ନିମପୁର ଠାରେ ୨୮୮ଟି ଘର ମଞ୍ଜୁର ହୋଇଥିବାବେଳେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ ।
କଟକ ତୁଳସୀପୁର ଠାରେ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି ୫୪୦ଟି ଘର । ଏଥିରୁ ଗୋଟିଏ ହେଲେ ନିର୍ମାଣ ଆରମ୍ଭ ହୋଇପାରି ନାହିଁ । ରାଉରକେଲାର ବାସନ୍ତି କଲୋନୀ ଠାରେ ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କ ପାଇଁ ୪୨୦ଟି ଘରକୁ କେନ୍ଦ୍ର ସରକାର ମଞ୍ଜୁର କରିଥିବାବେଳେ ଏହାର ନିର୍ମାଣ ଆରମ୍ଭ ହୋଇନାହିଁ ।
ସେହିଭଳି ରାଉରକେଲାର ହନୁମାନ ବାଟିକା, ଛେଣ୍ଡ ଠାରେ ୩୬୦ଟି ଘର ନିର୍ମାଣ ପାଇଁ କେନ୍ଦ୍ର ସରକାର ମଞ୍ଜୁର କରିଥିବାବେଳେ ଛେଣ୍ଡ୍ ଠାରେ ଆଉ ୮୦୦ ଟି ଘର ମଞ୍ଜୁର ହୋଇଛି । ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନଥିବାବେଳେ ପିପିପି ମୋଡ୍ରେ ଛେଣ୍ଡ ଠାରେ କେନ୍ଦ୍ର ସରକାର ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ମଞ୍ଜୁର କରିଥିବା ୫୦୦ଟି ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ତେବେ ଏଥିରୁ ଗୋଟିଏ ହେଲେ ହିତାଧିକାରୀଙ୍କୁ ହସ୍ତାନ୍ତର ହୋଇନାହିଁ ।
ଭୁବନେଶ୍ୱର ନୀଳମାଧବ ଆବାସ ଯୋଜନାରେ ୧୨୦୦ ଘର ନିର୍ମାଣକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । ଏଥିରୁ ୯୬୦ଟି ଘରର ନିର୍ମାଣ କାର୍ଯ୍ୟ ସରିଥିବାବେଳେ ୨୪୦ଟି ନିର୍ମାଣ କାର୍ଯ୍ୟ ଜାରି ରହିଛି । ତେବେ ଏଥିରୁ ଗୋଟିଏ ହେଲେ ଘର ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଇ ନାହିଁ । ଶାନ୍ତିନଗର ଆବାସ ଯୋଜନାରେ କେନ୍ଦ୍ର ସରକାର ପ୍ରଦାନ କରିଥିବା ୧୩୦୦ ଘର ମଧ୍ୟରୁ ହିତାଧିକାରୀଙ୍କୁ ୪୫୨ଟି ଘର ମିଳିଛି । ତେବେ ଭିଏସଏସ ନଗର ଠାରେ ମହାବୀର ଆବାସ ଯୋଜନାରେ କେନ୍ଦ୍ର ସରକାର ଯୋଗାଇ ଦେଇଥିବା ୪୦୦ଟି ଘରର ନିର୍ମାଣ କାର୍ଯ୍ୟ ଜାରି ରହିଛି ।
ଯେଉଁଠାରେ କେନ୍ଦ୍ରୀୟ ଯୋଜନାରେ ଘର ତିଆରି ହୋଇ ଲୋକଙ୍କୁ ଯୋଗାଇ ଦିଆଯାଇଛି ସେମାନେ ସେଠାକୁ ଯିବାକୁ ରାଜି ହେଉନାହାନ୍ତି । ବସ୍ତିରେ ଏକାଧିକ ବଡ ବଡ ଘରେ ବସବାସ କରୁଥିବା ଲୋକେ ବଖୁରିକିଆ ଛୋଟ ଘରକୁ ଯିବା ବଦଳରେ ତାହାକୁ ଭଡାରେ ଲଗାଇ ବସ୍ତିରେ ରହିବାକୁ ପସନ୍ଦ କରୁଛନ୍ତି । (ତଥ୍ୟ)