Home General ମାଡି ବସିଲେଣି ୫୦୦ ଏକର

ମାଡି ବସିଲେଣି ୫୦୦ ଏକର

ଭୁବନେଶ୍ୱର : ରାଜଧାନୀରେ ୫୦୦ ଏକର ସରକାରୀ ଜମିକୁ ମାଫିଅମାନେ ମାଡି ବସିଲେଣି । ସଚିବାଳୟର ଆଖପାଖରୁ ଆରମ୍ଭକରି ସହରତଳି ଅଞ୍ଚଳ ପର୍ଯ୍ୟନ୍ତ ଯେଉଁଠି ସରକାରୀ ଜାଗା ଦେଖୁଛନ୍ତି ତାକୁ ଜବରଦସ୍ତ ମାଡି ବସୁଛନ୍ତି । ସରକାରୀ ଜମି ଉଦ୍ଧାର ପାଇଁ ସରକାରଙ୍କର ଏକାଧିକ ଏନଫୋର୍ସମେଣ୍ଟ ସଂସ୍ଥା ଥିଲେ ମଧ୍ୟ ମୂଲ୍ୟବାନ ଜମିଗୁଡିକୁ ଉଦ୍ଧାର କରାଯାଉ ନାହିଁ ।

ରାଜଧାନୀ ସହର ସମେତ ଏହାର ଆଖପାଖରେ ସାଧାରଣ ପ୍ରଶାସନ ବିଭାଗର ପାଖପାଖି ୨୫ହଜାର ଏକର ଜମି ରହିଛି । ହେଲେ ଏହି ଜମିରୁ ୫୦୦ ଏକର ମୂଲ୍ୟବାନ ଜମିକୁ ମାଫିଅମାନେ ଜବରଦଖଲ କରିସାରିଲେଣି । ଆଗକୁ ଆହୁରି ଜମି ଦଖଲ ଲାଗି ଯୋଜନା ଚାଲିଥିବା ସୂଚନା ମିଳିଛି । କେବଳ ବାପୁଜୀନଗରରେ ଜବରଦଖଲ ହୋଇଛି ୫ଏକର ଜମି । ଅଶୋକନଗରରେ ୭ଏକରରୁ ଜମିକୁ ବି ମାଫିଅମାନେ ଦଖଲ କରିନେଇଛନ୍ତି ।

ସାରା ଭୁବନୋ୍‍ବରରେ ସମାନ ଅବସ୍ଥା । ଗୌତମନଗର, ଚନ୍ଦ୍ରଶେଖରପୁର, କପିଳପ୍ରସାଦ, ସୂର୍ଯ୍ୟନଗର, ଶହୀଦନଗର, ବମିଖାଲ ଆଦି ଅଞ୍ଚଳରେ ମୂଲ୍ୟବାନ ଜମି ଜବରଦଖଲ ହୋଇଛି । ସରକାର ବି ଜମି ଉଦ୍ଧାର ପାଇଁ ୧୦ହଜାରରୁ ଅଧିକ ମାମଲା ଲଢୁଛନ୍ତି । ତେବେ ଯେଉଁସବୁ ସ୍ଥାନରେ ବିଡିଏ, ହାଉସିଂବୋର୍ଡ, ଖଦିବୋର୍ଡ ଭଳି ସଂସ୍ଥାର ଜମିଗୁଡିକ ଜବଦରଖଲ ହେଉଛି ତାହାକୁ ମୁକୁଳାଇବାପାଇଁ ସରକାର ଯେଭଳି ପଦକ୍ଷେପ ନେବାକଥା ତାହା ନେଉନାହାନ୍ତି । ଫଳରେ ଏହିସବୁ ସଂସ୍ଥା ଯାହା ଅଳ୍ପକିଛି ଜମି ରାଜଧାନୀରେ ରହିଛି ତାହାକୁ ବି ଆଉ କିଛିଦିନ ମଧ୍ୟରେ ଜବରଦଖଲକାରୀମାନେ ଅଧିଗ୍ରହଣ କରିନେବେ ।

ସରକାରୀ ଜମିକୁ ମୁକୁଳାଇବାପାଇଁ ବିଡିଏ, ବିଏମ୍‍ସି ଓ ସାଧାରଣ ପ୍ରଶାସନ ନିକଟରେ ଏନଫୋର୍ସଟିମ୍‍ ରହିଛନ୍ତି । ଏମାନେ ଯେଉଁ ମୂହୂର୍ତ୍ତରେ ଚାହିଁବେ କମିଶନରେଟ ପୁଲିସ୍‍ ସେମାନଙ୍କୁ ଆବଶ୍ୟକ ସୁରକ୍ଷାବଳ ଯୋଗାଇଦେବ । ହେଲେ ଏହି ତିନି ସଂସ୍ଥାର ଏନଫୋର୍ସମେଣ୍ଟ ଟିମ୍‍ ମଝିରେ ମଝିରେ ଛୋଟ ମୋଟ ଉଚ୍ଛେଦ କରି ଗଣମାଧ୍ୟମରେ ଖବର ପ୍ରକାଶ ପରେ ଶୋଇ ପଡୁଥିବା ଲକ୍ଷ୍ୟ କରାଯାଉଛି ।

ସରକାରଙ୍କର କୋହଳ ପଣ ଦେଖି ଏବେ ମାଫିଅମାନେ ସରକାରୀ ଜମିକୁ ଜବରଦଖଲ କରିବା ସହିତ ତୁରନ୍ତ ତାହାକୁ ପ୍ଲଟ କରି ବିକି ଦେଉଛନ୍ତି । ସବୁଠାରୁ ବଡ କଥା ହେଲା ମାଫିଆମାନେ ସରକାରୀ ଜମିକୁ ଜବରଦଖଲ କରିବା ପରେ ତତ୍କାଳ ଦୁଇ ସରକାରୀ ସଂସ୍ଥା ଜଳ ଯୋଗାଣ ଓ ବିଦ୍ୟୁତ୍‍ ଯୋଗାଣ ସେଠାରୁ ପାଣି ଓ ବିଦ୍ୟୁତ୍‍ ସଂଯୋଗ ଯୋଗାଇ ଦେଉଛନ୍ତି । ପରେ ଏହାକୁ ବସ୍ତିର ମାନ୍ୟତା ମିଳିଯାଉଛି । ଯାହା ଫଳରେ ବିନା କାଗଜପତ୍ରରେ ମାଫିଆମାନେ ସରକାରୀ ଜମିକୁ କୋଟି କୋଟି ଟଙ୍କାରେ ବିକ୍ରି ମାଲେମାଲ ହେଉଥିବାବେଳେ ସରକାର କିନ୍ତୁ ରାଜକୋଷରୁ ଅର୍ଥ ଶ୍ରାଦ୍ଧ କରି ୧୦ହଜାରରୁ ଅଧିକ ମାମଲା ଲଢୁଛନ୍ତି । (ତଥ୍ୟ)