ଭୁବନେଶ୍ବର : ଓଡିଶା ଭିଜନ-୨୦୩୬ ଓ ୨୦୪୭ ଗଠନ ପାଇଁ ରେକର୍ଡ ୩ ଲକ୍ଷ ଲୋକକଙ୍କ ମତାମତ ହସ୍ତଗତ ହୋଇଛି। ଲୋକଙ୍କ ମତାମତ ଆଧାରରେ ବିକଶିତ ଓଡିଶା ଓ ବିକଶିତ ଭାରତ ଗଠନରେ ସାଧାରଣ ଲୋକଙ୍କ ମତାମତ ନେଇ ଭିଜନ ପ୍ରସ୍ତୁତ କରିବାରେ ଏହା ଏକ ମାଇଲଖୁଣ୍ଟ।ରାଜ୍ୟର ବିକାଶରେ ଏତେ ସଂଖ୍ୟକ ଲୋକଙ୍କ ସମୁହ ଯୋଗଦାନ ବିକଶିତ ଓଡିଶା ଗଠନ ଦିଗରେ ଏକ ବଡ ପଦକ୍ଷେପ ହୋଇଥିବା ବେଳେ ଲୋକଙ୍କ ଭାଗିଦାରୀ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଇ-ମେଲ, ହ୍ବାର୍ଟଆସ, ଓଡିଶା ଭିଜନ ୱେବସାଇଟ ଜରିଆରେ ସେମାନଙ୍କ ମତାମତ ପଠାଇଛନ୍ତି। ଏପରିକି ବିଦେଶରେ ରହୁଥିବା ଓଡିଆମାନେ ମଧ୍ୟ ସେମାନଙ୍କ ମତାମତ ଦେଇଛନ୍ତି। ଭାଗିଦାରୀତା ଭିତ୍ତିରେ ପ୍ରଶାସନର ଏହା ଏକ ବଡ ଉଦାହାରଣ। ରାଜ୍ୟର ଏହି ବିକାଶ ପ୍ରକ୍ରିୟାରେ ସାମିଲ ହୋଇଥିବା ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ “ଧନ୍ୟବାଦ ଓଡିଶା” କହି କୃତଜ୍ଞତା ଜଣାଇଛନ୍ତି। ରାଜ୍ୟର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ମହିଳା, ବୃତିଧାରୀ, ସରକାରୀ କର୍ମଚାରୀ, ବିଶଷ୍ଠ ବ୍ୟକ୍ତିବିଶେଷ ଓ ବହୁ ସଂଗଠନ ବିକଶିତ ଓଡିଶା ଗଠନ ପାଇଁ ସେମାନଙ୍କ ସୁଚିନ୍ତିତ ମତାମତ ଦେଇଛନ୍ତି।
ପ୍ରଥମ ଥର ପାଇଁ ବିକଶିତ ଓଡିଶା ଗଠନ ପାଇଁ ଆସିଥିବା ମତାମତାକୁ ସମୀକ୍ଷା କରିବାକୁ ଏଆଇ-ଟକ୍ନୋଲୋଜିର ବ୍ୟବହାର କରିଛନ୍ତି ସରକାର। ଯାହାଦ୍ବାରା ମତାମତ ଦେଇଥିବା ପ୍ରତ୍ୟେକଟି ରାଜ୍ୟବାସୀଙ୍କ ପ୍ରସ୍ତାବ ଓ ପରାମର୍ଶକୁ ବିକଶିତ ଓିଡଶା ଗଠନରେ ସାମିଲ କରାଯାଇପାରିବ। ରାଜ୍ୟର ବିକାଶ ପାଇଁ ପ୍ରସ୍ତୁତ ହେଉଥିବା ଷ୍ଟ୍ରାଟେଜି ଭିତ୍ତିକ ରୋଡମ୍ୟାପରେ ସବୁ ସ୍ବର ଗୁରୁତ୍ବପୂର୍ଣ୍ଣ ଏହି ବାର୍ତ୍ତା ଦେବାକୁ ଚେଷ୍ଟା କରୁଛନ୍ତି ସରକାର। ଏଥିସହିତ ଟେକ୍ନୋଲୋଜି ଭିତ୍ତିକ ବିକାଶ ରଣନୀତି ପ୍ରସ୍ତୁତ କରାଯାଉଥିବା ଜଣାପଡିଛି।
ବିକଶିତ ଓ ସମ୍ବୃଦ୍ଧ ଓଡିଶା ଗଠନରେ ଲକ୍ଷ୍ୟକୁ ସାକାର କରିବାକୁ ସମନ୍ବିତ ଉଦ୍ୟମର ଏହା ଏକ ଜ୍ବଳନ୍ତ ଉଦାହାରଣ ହୋଇଥିବାରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏକ ଉଜ୍ବଳ ଭବିଷ୍ୟତ ଗଠନରେ ଏହା ଏକ ସହଯୋଗୀତାପୂର୍ଣ୍ଣ ଉଦ୍ୟମ।
ଓଡିଶା ବିକାଶର ଭିତ୍ତିଭୂମୀକୁ ସୁଦୃଢ କରିବାକୁ ୧୭ଟି ବିଭିନ୍ନ କ୍ଷେତ୍ରରେ ମତାମତ ଲୋଡିଥିଲେ ସରକାର। ବିଶେଷ କରି କୃଷି ଓ ଗ୍ରାମୀଣ ବିକାଶ, ଦୀର୍ଘସ୍ଥାୟୀ ଖଣି ଉତ୍ତୋଳନ ସହ ପରିବେଶ ସୁରକ୍ଷା, ମହିଳା ଭିତ୍ତିକ ବିକାଶ, ପର୍ଯ୍ୟଟନ ବିକାଶ ସହ ଐତିହ୍ୟର ସୁରକ୍ଷା, ସହରାଞ୍ଚଳ ବିକାଶ ଓ କ୍ଲାଇମେଟ ଚେଞ୍ଜ ଏହିସବୁ ପ୍ରସଙ୍ଗରେ ରାଜ୍ୟବାସୀ ସେମାନଙ୍କ ମତାମତ ଦେଇଛନ୍ତି।